
ରାଉରକେଲା, (ସସ୍ମିତା ପ୍ରଧାନ) : ସଚେତନ ନାଗରିକ ମଞ୍ଚର ଉପଦେଷ୍ଟା, ଆର୍ଡବ୍ଲ୍ୟୁୟୁର କାର୍ଯ୍ୟକାରୀ ସଭାପତି, ଆର୍ଇଡବ୍ଲୁୟୁର ସାଧାରଣ ସମ୍ପାଦକ ତଥା ଏସୟୁସିଆଇ ସି ଦଳର ବରିଷ୍ଠ ସଦସ୍ୟ ଓ ଜନନେତା ସତ୍ୟପ୍ରିୟ ମହାନ୍ତିଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚ ତରଫରୁ ଶୋକସଭା କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ଅଠର ତାରିଖ ସନ୍ଧ୍ୟାରେ ସନ୍ଧ୍ୟା ଭ୍ରମଣ ସମୟରେ ବାସନ୍ତୀ କଲୋନୀ ରାସ୍ତାରେ ଷଣ୍ଢ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ସ୍ଥାନୀୟ ଜନ ସାଧାରଣ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ । ପରେ ସେଠାରୁ ଆଇଜିଏଚ ଓ ତାପରେ ଆପୋଲୋ ହସ୍ପିଟାଲକୁ ନେଇଥିଲେ । ଆଇଜିଏଚ୍ର ସିଟି ସ୍କାନ ବ୍ୟବସ୍ଥା ନଥିବାରୁ ଆପୋଲୋ ହସ୍ପିଟାଲରେ ସିଟିସ୍କାନ କରାଯାଇଥିଲା । ଚିକିତ୍ସାରେ ବିଳମ୍ବ ହେତୁ ମସ୍ତିଷ୍କରେ ଅତ୍ୟଧିକ ରକ୍ତସ୍ରାବ ହୋଇ ଆଜି ପୂର୍ବାହ୍ନ ୧୦ଟା ୪୫ରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିବା ବେଳେ ସେ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଚଣ୍ଡିସିଂହପୁର ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଏକ ଜନନେତା, ଶ୍ରମିକ ଆନ୍ଦୋଳନ ଏବଂ ଗଣ ଆନ୍ଦୋଳନର ଟାଣୁଆ ଓ ଜଣାଶୁଣା ନେତା ଥିବାବେଳେ ମଞ୍ଚର ସଭ୍ୟ ଓ ପରେ ଉପଦେଷ୍ଟା ରହି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ସ୍ପଷ୍ଟ ମତ ରଖୁଥିଲେ । ତାଙ୍କ ବିୟୋଗରେ ମଞ୍ଚର ସଭାପତି ଇଂ ଅଭୟ କୁମାର ଦାସ, ସାଧାରଣ ସମ୍ପାଦକ ପି ପି ରାୟ, ଜଗବନ୍ଧୁ ଜେନା, ଉପେନ୍ଦ୍ର ନାୟକ, ଶଶଧର ପାତ୍ର, ଜଟାଧାରୀ ମାଝୀ, ରମେଶ ସେଠୀ, ଡା. ବସନ୍ତ ଦାସ, ଅଟମ ରଥ, ବିଜୟ କୁମାର ବରାଳ, ଜଗନ୍ନାଥ ରାଉତ, ସୁବ୍ରତ ମଲ୍ଲିକ, ଅକ୍ଷୟ ଦାସ, ରଜନୀକାନ୍ତ ସ୍ୱାଇଁ, ଭଗବାନ ମହାପାତ୍ର, ଅକ୍ଷୟ ଜେନା, ସୁମନ୍ତ ବର୍ମା, ପ୍ରଫୁଲ୍ଲ ସ୍ୱାଇଁ, ଚିତ୍ତରଞ୍ଜନ ଦାସ, କୁଞ୍ଜବିହାରୀ ରାଉତ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।