
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସେକ୍ଟର ୨୧ ଠାରେ ଥିବା ଓଡିଶା ବନ ଉନ୍ନୟନ ନିଗମ ଓଏଫ୍ଡ଼ିସି କାର୍ଯ୍ୟାଳୟ ଠାରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି କିପରି କରାଯିବ ସେ ସମ୍ପର୍କରେ ବନ କର୍ମଚାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ସିଭିଲ ଡିଫେନସ ଓ ଅଗ୍ନିଶମ ବାହିନୀର ଅଧିକାରୀ ଓ କର୍ମଚାରୀ ବନ କର୍ମଚାରୀ ମାନଙ୍କୁ ବିପର୍ଯ୍ୟୟ ପରିଚାଳନା ପାଇଁ ବିଭିନ୍ନ ପ୍ରକାରର ତାଲିମ ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ଵନ ଉନ୍ନୟନ ନିଗମର ଡିଭିଜନାଲ ମ୍ୟାନେଜର ବିଶ୍ଵଜିତ ରାଉତ, ରାଉରକେଲା ବନଖଣ୍ଡ ଅଧିକାରୀ ରବିକାନ୍ତ ମିନା, ରାଉରକେଲା ଅଗ୍ନିଶମ ଅଧିକାରୀ ସଂଗ୍ରାମ ହାନସନ୍ଦା, ସିଭିଲ ଡିଫେନସର ଶୁଭେନ୍ଦୁ କୁମାର ପଣ୍ଡା ତାଲିମ ଶିବିର ପରିଚାଳନା କରିଥିଲେ । ବିଗତ ଫାଇଲନ ବାତ୍ୟାରେ ଓଡିଶା ବନ ଉନ୍ନୟନ ନିଗମ ଓଏଫ୍ଡ଼ିସିର ଉଲ୍ଲେଖନୀୟ ଅବଦାନ ପାଇଁ ସରକାରଙ୍କ ତରଫରୁ ବିପର୍ଯ୍ୟୟ ପରିଚାଳନାରେ ଓଏଫ୍ଡ଼ିସିକୁ ଅନ୍ତର୍ଭୁକ୍ତ କରାଯାଇଥିଲା ।