
- “ଯୁବପିଢ଼ିକୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ର ଭୂମିକା ଅପରିହାର୍ଯ୍ୟ”
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଗତ ଏପ୍ରିଲ ୧୫ତାରିଖରୁ ଏପ୍ରିଲ ୨୧ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ଆନୁକୂଲ୍ୟରେ ଚାଲିଥିବା ସାତ ଦିନିଆ ବେସିକ କୋର୍ସ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏହି ଶିବିରରେ ଶିବିରାର୍ଥୀମାନେ ସ୍କାଉଟ ଓ ଗାଇଡ଼ର ମୂଳନୀତି, ଶିଷ୍ଟାଚାର, ନେତୃତ୍ୱ କୌଶଳ, ସାମାଜିକ ସେବା ସମ୍ବନ୍ଧୀୟ ପ୍ରଶିକ୍ଷଣ ଗ୍ରହଣ କରିବା ସହ ବିଭିନ୍ନ ପ୍ରାକ୍ଟିକାଲ କାର୍ଯ୍ୟକ୍ରମ, ଦଳୀୟ କାର୍ଯ୍ୟ, ଆପତ୍କାଳୀନ ସହାୟତା ସମ୍ପର୍କରେ ଶିକ୍ଷା ଗ୍ରହଣ କରିଥିଲେ । ବିଶେଷ କରି ପ୍ରବଳ ଗ୍ରୀଷ୍ମ ତାପରୁ ପଥିକ ମାନଙ୍କ ଶୋଷ ନିବାରଣ ପାଇଁ ଦିନବେଳା ବିଦ୍ୟାଳୟ ସମ୍ମୁଖରେ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ପ୍ରତ୍ୟେକ ଦିନ ରାତ୍ରିକାଳୀନ କ୍ୟାମ୍ପ ଫାୟାର କାର୍ଯ୍ୟକ୍ରମରେ ଶିବିରାର୍ଥୀମାନେ ଗୀତ, ନାଚ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ପରିବେଶକୁ ଉତ୍ସବ ମୁଖର କରୁଥିଲେ । ଉଦଯାପନୀ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ସଭାପତିତ୍ୱ କରି ନିଜ ବକ୍ତବ୍ୟରେ ଶିବିରରେ ଅର୍ଜିତ ଜ୍ଞାନ ଓ କୌଶଳକୁ ବିଦ୍ୟାଳୟରେ ପ୍ରୟୋଗ କରି ଛାତ୍ରଛାତ୍ରୀଙ୍କୁ ଉତ୍ତମ ନାଗରିକ ଭାବେ ଗଢି ତୋଳିବାକୁ ପ୍ରେରଣା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ସମାଜସେବୀ ଡ଼. ଶ୍ରୀକର ମିଶ୍ର ନିଜ ବକ୍ତବ୍ୟରେ ଆଜିର ଯୁବପିଢ଼ିକୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ର ଭୂମିକା ଅପରିହାର୍ଯ୍ୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ ନିଜ ବକ୍ତବ୍ୟରେ ସମାଜ ସେବା, ପରିବେଶ ସୁରକ୍ଷା ଓ ଦେଶପ୍ରେମର ମୂଲ୍ୟବୋଧକୁ ଅନୁସରଣ କରି ଆଗକୁ ବଢିବାକୁ ଆହ୍ୱାନ ଦେଇଥିଲେ । ସ୍କାଉଟ ମାଷ୍ଟର ଅଜିତ ମିଶ୍ର ଓ ଗାଇଡ଼ କ୍ୟାପ୍ଟନ ଜିନିମା ନନ୍ଦ ନିଜ କ୍ୟାମ୍ପ ଅନୁଭୂତି କହିଥିଲେ । ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ, ବଲାଙ୍ଗିର ବିଇଓ ନୀଳମଣି ପଟେଲ, ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା ସମ୍ପାଦକ ପ୍ରଦୀପ ପାତ୍ର, କୋର୍ସ ଲିଡର ପୀତବାସ ପଟ୍ଟନାୟକ, ପ୍ରିୟଦର୍ଶିନୀ ମହାପାତ୍ରଙ୍କ ତତ୍ୱାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା । କୋର୍ସ ସହଯୋଗୀ ଭାବେ ସୁରଜିତ ସେନ, ନୀଳାଞ୍ଚଳ ଚିର୍ଗୁନ, ବସନ୍ତ ମେହେର, ଜୟଶ୍ରୀ ପୋଢ଼, ଦେବାଶିଷ ମେହେର, କସ୍ତୁରୀ ରଥ, ହେମନ୍ତ ପ୍ରଧାନ ସହଯୋଗ କରିଥିଲେ । ଏହି ତାଲିମ ଶିବିରରେ ୭୦ଜଣ ସ୍କାଉଟ ମାଷ୍ଟର ଓ ୫୫ଜଣ ଗାଇଡ଼ କ୍ୟାପ୍ଟନ ଯୋଗ ଦେଇଥିଲେ । ଶିବିରରେ ସଫଳତାର ସହ ଅଂଶ ଗ୍ରହଣ କରିଥିବା ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ରଞ୍ଜିତ ବେହେରା, ସୁଦର୍ଶନ ନାୟକ, ବ୍ରାହ୍ମଣୀ ଦୀପ, ଚକ୍ରପାଣି ଷଡ଼ଙ୍ଗୀ, ଗୋବିନ୍ଦ ବଗର୍ତି, ସୁଦୀପ୍ତ ଦୀପ, ବୈକୁଣ୍ଠ ଜେନା, ଦନାର୍ଦନ ପାଣ୍ଡେ, ଯୋଗେନ୍ଦ୍ର ପଟେଲ ସହଯୋଗ କରିଥିଲେ ।