୨୬ ଜଣ ଶିଶୁ ସହ ୭୩ ଜଣ ଶ୍ରମିକ ଉଦ୍ଧାର : ପୋଲିସ ଜିମାରେ ଦେଇ ଗଲେ ନିଜେ ମାଲିକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ପୋଲିସ ଷ୍ଟେସନରେ ୨୬ ଜଣ ଶିଶୁ ସହ ୭୩ ଜଣ ଶ୍ରମିକଙ୍କୁ ଏକ ବସ୍ ଯୋଗେ ଆଣି ପୋଲିସର ଜିମାରେ ଛାଡି ଗଲେ ତେଲେଙ୍ଗାନା ରାଜ୍ୟର ଜଗତିଆଲ ଜିଲ୍ଲାର ତଳିପଲ୍ଲି ଗ୍ରାମର ମହମ୍ମଦ ସକିଲ । ଶ୍ରମିକଙ୍କ କରୁଣ ନିବେଦନର ଭାଇରାଳ ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ, ଶ୍ରମ ଅଧିକାରୀ ଓ ଚାଇଲ୍ଡ ଲାଇନର ମିଳିତ ଉଦ୍ୟମରେ ଏହି ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିଲା । କିଛି ଶ୍ରମିକ ଦଲାଲ ଟଙ୍କା ଲୋଭ ଦେଖାଇ ଦାଦନ ଶ୍ରମିକ ମାନଙ୍କୁ ତେଲେଙ୍ଗାନା ରାଜ୍ୟରେ ଇଟାଭାଟିରେ କାମ କରିବା ପାଇଁ ନେଇଥିଲେ । ସେଠାରେ ସର୍ଦ୍ଦାର ତିରିଶ ଲକ୍ଷ ଟଙ୍କା ନେଇ ଫେରାର ମାରିଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହା ପରେ ପ୍ରଶାସନ ଓ ଚାଇଲ୍ଡ ଲାଇନର ହସ୍ତକ୍ଷେପ ପରେ ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିଲା । ଇଟାଭାଟିର ମାଲିକ ନିଜେ ଏକ ବସ୍ ଭଡା କରି ଦାଦନ ଶ୍ରମିକ ମାନଙ୍କୁ ତେଲେଙ୍ଗାନାରୁ ଆଣି ଟିଟିଲାଗଡ ପୋଲିସ ଷ୍ଟେସନରେ ଚାଇଲ୍ଡ ଲାଇନର ଟିଟିଲାଗଡ ସଦସ୍ୟ ଶିବାନନ୍ଦ ବେହେରାଙ୍କ ଉପସ୍ଥିତିରେ ପୋଲିସ ଜିମା ଦେଇ ଯାଇଥିଲେ । ଶ୍ରମ ଅଧିକାରୀ କହିଛନ୍ତି ଯେ, ଦାଦନ ଶ୍ରମିକ ମାନଙ୍କ ଯଥା ସମ୍ଭବ ଉପଯୁକ୍ତ ଥଇଥାନ କରାଯିବା ପାଇଁ ସରକାରଙ୍କ ନିକଟରେ ଆବେଦନ କରାଯିବ ।

Leave A Reply

Your email address will not be published.