jayashree

ପଦ୍ମପୁର ପୋଲିସକୁ ବଡ ସଫଳତା : ଲକ୍ଷାଧିକ ଟଙ୍କାର କଫ ସିରପ ଜବତ, ଦୁଇ ଅଭିଯୁକ୍ତ ଗିରଫ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ପଦ୍ମପୁର ପୋଲିସକୁ ବିଳମ୍ବିତ ସନ୍ଧ୍ୟାରେ ନିଶା କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି । ପୋଲିସ ଗଡ଼ଭାଟି ଛକ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ବେଆଇନ କଫ ସିରପ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହି ଚଢ଼ାଉ ସମୟରେ ପଦ୍ମପୁର ତହସିଲଦାର ମାନସ ପଣ୍ଡା ଉପସ୍ଥିତ ଥିଲେ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଦ୍ମପୁର ପୋଲିସ ପକ୍ଷରୁ ଚାଲିଥିବା ଯାଞ୍ଚ ବେଳେ ଗଡ଼ଭାଟି ଛକଠାରେ ଏହି ବେଆଇନ କାରବାରର ପର୍ଦ୍ଦାଫାଶ ହୋଇଛି । ପୋଲିସ ସେମାନଙ୍କ ନିକଟରୁ ମୋଟ ୨୨ଟି ପ୍ଲାଷ୍ଟିକ୍ ବସ୍ତା ଜବତ କରିଛି । ପ୍ରତ୍ୟେକ ବସ୍ତାରେ ୩ଟି କାର୍ଟୁନ୍ ରହିଥିବା ବେଳେ ପ୍ରତି କାର୍ଟୁନରେ ୧୨୦ଟି ‘ୱିନସରେକ୍ସ’ କଫ ସିରପ ବୋତଲ ରହିଥିଲା । ଏହିପରି ଭାବେ ମୋଟ ୭,୯୨୦ ବୋତଲ କଫ ସିରପ ଜବତ କରାଯାଇଛି, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ । ଏଥିସହିତ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଏକ ଗାଡ଼ି ନଂ- ଓଡ଼ି ୦୨ ଡିପି ୪୭୪୫କୁ ମଧ୍ୟ ପୋଲିସ ଜବତ କରିଛି । ଏହି ଘଟଣାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଝାଙ୍କରପାଲି ଗାଁର ମାନସ ପାଣ୍ଡେ (୨୫) ଓ ଖୋର୍ଦ୍ଧା ଜିଲ୍ଲା ନୟାପଲ୍ଲୀ ଥାନା ସାଲିଆସାହି (ୱାର୍ଡ ନଂ-୨୬)ର ଶରତ ଚନ୍ଦ୍ର ତୁଙ୍ଗା । ଭୁବନେଶ୍ୱରରୁ ପଦ୍ମପୁର ଅଞ୍ଚଳକୁ ଏହି ବେଆଇନ କଫ ସିରପ ଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଥିଲେ । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.