jayashree

ଟିଟିଲାଗଡ଼ରେ ଭକ୍ତିମୟ ପରିବେଶରେ ଜନ୍ମାଷ୍ଟମୀ ଉପଲକ୍ଷେ ଭଜନ ସନ୍ଧ୍ୟା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ଜନ୍ମାଷ୍ଟମୀ ଅବସରରେ ଭକ୍ତି ଓ ଉତ୍ସାହରେ ଚଳଚଞ୍ଚଳ ହୋଇଉଠିଥିଲା ଟିଟିଲାଗଡ଼ ସହର । ସହରର ରଘୁନାଥପଡ଼ାସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଧୁମଧାମରେ ପାଳିତ ହୋଇଥିଲା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିର ପରିସରକୁ ଆକର୍ଷଣୀୟ ଭାବେ ସଜା ଯାଇଥିଲା । କୋଲକାତାରୁ ଅଣାଯାଇଥିବା ବିଭିନ୍ନ ପ୍ରକାରର ଫୁଲ ଓ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସି ଉଠିଥିଲା ସମଗ୍ର ମନ୍ଦିର ପରିସର । ରାଧାକୃଷ୍ଣଙ୍କୁ ମନୋମୁଗ୍ଧକର ଶୃଙ୍ଗାରରେ ସଜାଯାଇଥିବା ବେଳେ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା । ଏହି ଅବସରରେ ଆୟୋଜିତ ଭଜନ ସନ୍ଧ୍ୟାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଭଜନର ତାଳେ ତାଳେ ଭକ୍ତମାନେ ଝୁମି ଉଠିଥିଲେ । ବିଧାୟକ ନବୀନ ଜୈନ ଓ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ମଧ୍ୟ ଭଜନ ସନ୍ଧ୍ୟାରେ ଯୋଗଦେଇ ଭକ୍ତି ରସରେ ମସଗୁଲ ହୋଇଥିଲେ । ଅନ୍ୟପକ୍ଷରେ, ଗୋପାଳଙ୍କୁ ଝୁଲାରେ ଝୁଲାଇବାର ସୁଯୋଗ ପାଇଥିଲେ ଭକ୍ତମାନେ । ରାତିରେ ନିର୍ଦ୍ଧାରିତ ସମୟରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଇଥିଲା । ଆଜି ମନ୍ଦିର ପରିସରରେ ନନ୍ଦଉତ୍ସବ ପାଳନ କରାଯିବ ବୋଲି ଶ୍ରୀକାନ୍ତ ଅଗ୍ରୱାଲ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.