
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଧର୍ମ, ପରମ୍ପରା ଓ କର୍ମର ସମନ୍ୱୟର ପବିତ୍ର ପର୍ବ ବିଶ୍ୱକର୍ମା ପୂଜା ଅବସରରେ ବାଲିଗୁଡ଼ା ତଥା ଆଖପାଖ ଅଞ୍ଚଳର ବିଭିନ୍ନ ଶିଳ୍ପାନୁଷ୍ଠାନ, ଗ୍ୟାରେଜ୍, ନିର୍ମାଣ ସଂସ୍ଥା, ଯାନବାହନ ଚଳାଚଳ କ୍ଷେତ୍ର ଓ ବିଭିନ୍ନ କାର୍ଯ୍ୟସ୍ଥଳରେ ଧୁମ୍ଧାମରେ ବିଶ୍ୱକର୍ମା ପୂଜା ପାଳିତ ହୋଇଛି । ସକାଳୁ ବିଭିନ୍ନ କାର୍ଯ୍ୟସ୍ଥଳକୁ ସଫାସୁତରା କରାଯାଇ ସୁନ୍ଦର ଭାବେ ସଜାଯାଇଥିଲା । ଭଗବାନ ବିଶ୍ୱକର୍ମାଙ୍କ ପ୍ରତିମା ସ୍ଥାପନ କରି ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ପ୍ରସାଦ ବଣ୍ଟନ କରାଯାଇଥିଲା । କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି, ମେସିନ୍, ଗାଡ଼ି ଓ ଅନ୍ୟାନ୍ୟ ସରଞ୍ଜାମକୁ ମଧ୍ୟ ପୂଜା କରାଯାଇଥିଲା । ଏହି ପୂଜାରେ ଶିଳ୍ପାନୁଷ୍ଠାନର ମାଲିକଙ୍କ ଠାରୁ ଆରମ୍ଭ କରି ଠିକାଦାର, ଶ୍ରମିକ, ଦିନମଜୁରିଆ, ମେକାନିକ୍, ଡ୍ରାଇଭର ଓ ବସ୍ କର୍ମଚାରୀମାନେ ଉତ୍ସାହର ସହ ସାମିଲ ହୋଇଥିଲେ । କର୍ମଜୀବୀମାନେ ନିଜ ନିଜ କାର୍ଯ୍ୟ ଉପକରଣ ଓ ଯାନବାହନର ସୁରକ୍ଷା ତଥା ଆଗାମୀ ଦିନରେ ସୁଚାରୁ ଭାବେ କାମ କରିବା ପାଇଁ ବିଶ୍ୱକର୍ମାଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପୂଜାକୁ ନେଇ ବିଭିନ୍ନ ସ୍ଥାନରେ ଦିନତମାମ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା । ସନ୍ଧ୍ୟାରେ ମଧ୍ୟ ଅନେକ ସ୍ଥାନରେ ଭକ୍ତଙ୍କ ଭିଡ଼ ଲାଗିଥିବା ଦେଖାଯାଇଥିଲା । କର୍ମ ଓ କୌଶଳର ଦେବତା ଭଗବାନ ବିଶ୍ୱକର୍ମାଙ୍କ ପୂଜା ମାଧ୍ୟମରେ ଶ୍ରମିକ ଓ କର୍ମଜୀବୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଆଶା ସଞ୍ଚାର ହୋଇଥିବା ପରିଲକ୍ଷିତ ହୋଇଛି ।

