jayashree

ମୁରିବାହାଲରେ ପାନୀୟ ଜଳ ସମସ୍ୟାକୁ ନେଇ ସମିତି ସଭ୍ୟଙ୍କ ବ୍ଲକ ସମ୍ମୁଖରେ ଆମରଣ ଅନଶନ ଓ ମହିଳାଙ୍କ ରାସ୍ତାରୋକ୍

  • ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପ୍ରବଳ ଗ୍ରୀଷ୍ମ ପ୍ରବାହ, ଗରମ ଓ ଗୁଳୁଗୁଳିରେ ଅତିଷ୍ଠ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଅଞ୍ଚଳର ସମସ୍ତ ଗ୍ରାମରେ ଉତ୍କଟ ପାନୀୟ ଜଳ ସଙ୍କଟ ଲାଗିରହିଛି । ପିଇବା ପାଣି ମୁନ୍ଦିଏ ପାଇଁ ପ୍ରଶାସନକୁ ବାରମ୍ବାର ହାରି ଗୁହାରି ସତ୍ତ୍ୱେ ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରିନଥିଲା । ଏହାରି ପ୍ରତିବାଦରେ ସୋମବାର ମୁରିବାହାଲ ସଦର ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ଲକ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ । ତାଙ୍କୁ ସମର୍ଥନ କରି ଗ୍ରାମର ଶତାଧିକ ମହିଳା ଗରାବାଲଟି ଧରି ବ୍ଲକ ସମ୍ମୁଖ ଦେଇ ଯାଇଥିବା ବଲାଙ୍ଗିର- ବଙ୍ଗୋମୁଣ୍ଡା ମୁଖ୍ୟରାସ୍ତାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅବରୋଧ କରି ରଖିଥିଲେ । ଘଟଣା ସ୍ଥଳକୁ ସମାଧାନ ପାଇଁ ପହଞ୍ଚିଥିବା ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ବିଶ୍ୱଜିତ୍ ଜେନା ଓ ରଜନୀକାନ୍ତ ବାଗ ଆନ୍ଦୋଳନକାରୀଙ୍କ ତୀବ୍ର ବିରୋଧର ସମ୍ମୁଖୀନ ସହ ହଟହଟା ହୋଇ ଫେରିଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟା ୫ଟାରେ ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ବାସନ୍ତୀ ସେଠୀ, ମାଜିଷ୍ଟ୍ରେଟ ଦାୟିତ୍ୱରେ ତହସିଲଦାର ଜଗଦୀଶ କର୍ତ୍ତାମୀ, ସରପଞ୍ଚ ବିଶ୍ୱବିହାରୀ ଯୋଶୀ ଓ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ପହଞ୍ଚି ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କ ଉପସ୍ଥିତିରେ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆମରଣ ଅନଶନ ଓ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା । ଖୋଦ୍ ମୁରିବାହାଲ ସଦର ମହକୁମା ସମେତ ବିଭିନ୍ନ ଗ୍ରାମରେ ପାନୀୟ ଜଳଯୋଗାଣରେ ଅବ୍ୟବସ୍ଥା, ପଞ୍ଚାୟତରେ ଗୋଟିଏ ବି ଜଳଛତ୍ର ଖୋଲାଯାଇନଥିବା ପ୍ରତିବାଦରେ ପୂର୍ବରୁ ପ୍ରଶାସନକୁ ଲିଖିତ ଅଭିଯୋଗ ସତ୍ତ୍ୱେ ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରିନଥିଲା । ଏହାରି ପ୍ରତିବାଦରେ ସୋମବାର ସକାଳେ ସମିତି ସଭ୍ୟ ଶ୍ରୀ ହେର୍ଣ୍ଣାଙ୍କ ନେତୃତ୍ୱରେ ବ୍ଲକ ସମ୍ମୁଖରେ ଆମରଣ ଅନଶନ ଜାରି ରହିଥିବା ବେଳେ ବ୍ଲକ ଅର୍ଥ ଅଧିକାରୀ ଘେନୁରାମ୍ ତାଣ୍ଡି ଓ ସେକ୍ସନ ଅଫିସର ରାଜେନ୍ଦ୍ର ନାୟକ ଆସି ଦାବିପତ୍ର ଗ୍ରହଣ କରିଥିଲେ । ଆମରଣ ଅନଶନ ଜାରି ରହିଥିବା ବେଳେ ଶତାଧିକ ମହିଳା ଗରାବାଲଟି ଧରି ମୁଖ୍ୟରାସ୍ତା ଅବରୋଧ କରି ରଖିଥିଲେ । ଫଳରେ ଯାତାୟାତ ଗୁରୁତର ବାଧାପ୍ରାପ୍ତ ହୋଇ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଥିଲା । ଅନଶନକାରୀ ଓ ରାସ୍ତା ଅବରୋଧକାରୀମାନେ ଯେ ପର୍ଯ୍ୟନ୍ତ ପାଣି ଦିଆନଯାଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି ଅଡି ବସିଥିଲେ । ପୁଲିସ୍ ଓ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ବୁଝାଇବାକୁ ଯାଇ ନାକେଦମ୍ ହୋଇପଡ଼ିଥିଲେ । ଶେଷରେ ଜନଗଣନା ବୈଠକକୁ ଯାଇଥିବା ବିଡ଼ିଓ ଶ୍ରୀମତୀ ସେଠୀ ଓ ତହସିଲଦାର ଶ୍ରୀ କର୍ତ୍ତାମୀଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ଓ ପାନୀୟ ଜଳଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆମରଣ ଅନଶନ ଓ ରାସ୍ତାରୋକ୍ ପ୍ରତ୍ୟାହୃତ ହୋଇଥିଲା । ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ଏବେ ସେ ଆମରଣ ଅନଶନରୁ ଓହରି ଯାଉଛନ୍ତି କିନ୍ତୁ ମୋ ପଞ୍ଚାୟତର ପାନୀୟ ଜଳଯୋଗାଣ ସମସ୍ୟା ସମାଧାନ ନ ହେଲେ ସେ ପୁଣି ଅନଶନରେ ବସିବେ ବୋଲି ଶ୍ରୀ ହେର୍ଣ୍ଣା ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଏହି ଅନଶନ ଓ ରାସ୍ତାରୋକରେ ମୁରିବାହାଲ ପଞ୍ଚାୟତ ଅଞ୍ଚଳର ଶତାଧିକ ମହିଳା, ଯୁବଗୋଷ୍ଠୀ, ବିକାଶ ମଞ୍ଚ ସଭାପତି ଫାଲଗୁନି ହାତୀ, ଅମରେଶ ମାଝୀ, ସ୍ୱେଚ୍ଛାସେବୀ ଅଗସ୍ତି ବଘାର, ଯଦୁପତି ଅଗସ୍ତି, ବସନ୍ତ ଭୋଇ, ରବି ବାଗ, କବିରାଜ ବାଗ, ସୂରଜ ହରପାଲ ଓ ଗୋବିନ୍ଦ ସେଠଙ୍କ ସମେତ ବହୁ ଜନସାଧାରଣ ଖୋଦ୍ ବ୍ଲକ ସଦର ମହକୁମାର ପାଣି ସମସ୍ୟାକୁ ନେଇ ତୀବ୍ର ପ୍ରତିବାଦ କରି ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.