jayashree

ରାଉରକେଲା ଗାନ୍ଧୀ ମହାବିଦ୍ୟାଳୟ ରୋଟାରୀ କ୍ଲବ ଅଫଊ ରାଉରକେଲା ଷ୍ଟିଲ ସିଟି କ୍ଲବର ୮ମ ଦାୟିତ୍ୱ ହସ୍ତାନ୍ତର ସମାରୋହ ସମ୍ପନ୍ନ : ନୂଆ ନେତୃତ୍ୱ ନେଲେ ସୋନୁ ଓ ଅର୍ପିତା

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍‌ ରାଉରକେଲା ଷ୍ଟିଲ ସିଟି ଦ୍ୱାରା ପ୍ରାୟୋଜିତ ରୋଟାରାକ୍ଟ କ୍ଲବ ଅଫ ଗାନ୍ଧୀ ମହାବିଦ୍ୟାଳୟର ୮ମ ପ୍ରତିଷ୍ଠା ତଥା ଦାୟିତ୍ୱ ହସ୍ତାନ୍ତର ଉତ୍ସବ ମହାବିଦ୍ୟାଳୟ ପରିସରରେ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ରୋଟାରୀ ସଦସ୍ୟଙ୍କ ଉପସ୍ଥିତିରେ ନୂଆ କାର୍ଯ୍ୟକାରିଣୀ କମିଟି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦାୟୀ ସଭାପତି ରୋଟାରାକ୍ଟର ରୋହିତ ଦେହୁରୀ ତାଙ୍କ ବର୍ଷର କାର୍ଯ୍ୟବିବରଣୀ ଉପସ୍ଥାପନ କରିଥିଲେ । ସେ ବର୍ଷ ସାରା ହୋଇଥିବା ରକ୍ତଦାନ ଶିବିର, ପରିବେଶ ସଫେଇ, ସଚେତନତା କାର୍ଯ୍ୟକ୍ରମ ଓ ସାମାଜିକ ସେବା ବିଷୟରେ ସୂଚନା ଦେଇଥିଲେ । ବିଦାୟୀ ସଚିବ ଲକ୍ଷ୍ମୀପ୍ରିୟା କୁମ୍ଭାର ମଧ୍ୟ ସମସ୍ତ ସହଯୋଗୀ ଓ ଶିକ୍ଷକଙ୍କୁ ଧନ୍ୟବାଦ ଜଣାଇଥିଲେ । ପରେ ଆନୁଷ୍ଠାନିକ ଭାବେ ବିଦାୟୀ ସଭାପତି ରୋହିତ ଦେହୁରୀ ନବ ନିର୍ବାଚିତ ସଭାପତି ରୋଟାରାକ୍ଟର ସୋନୁ ତାନ୍ତୀଙ୍କୁ କଲର ପିନ୍ଧାଇ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ସେହିପରି ବିଦାୟୀ ସଚିବ ଲକ୍ଷ୍ମୀପ୍ରିୟା ନୂଆ ସଚିବ ଅର୍ପିତା ବାରିକଙ୍କୁ ଦାୟିତ୍ୱ ଦେଇଥିଲେ । ନୂଆ ବିଓଡି ସଦସ୍ୟମାନଙ୍କୁ ମଧ୍ୟ ପିନ୍ ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସୁରେଶ କୁମାର ମହାପାତ୍ର ଯୋଗ ଦେଇ କହିଥିଲେ, ରୋଟାରାକ୍ଟ କ୍ଲବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ଗୁଣ ଓ ସମାଜ ସେବା ମନୋଭାବ ବଢାଇଥାଏ । ଛାତ୍ରମାନେ ପାଠ ସହ ସମାଜ ପାଇଁ କାମ କରିବା ଶିଖିବା ଉଚିତ । କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ୍‌ ରାଉରକେଲା ଷ୍ଟିଲ ସିଟିର ସଭାପତି ଡ. ସରିତା ମଲ୍ଲ, କ୍ଲବ ପରାମର୍ଶଦାତା ରୋଟାରିଆନ ଡ. ଅଞ୍ଜନା ମୈତ୍ର, ସହ-ଅଧ୍ୟକ୍ଷ ରୋଟାରିଆନ ନିବେଦିତା ମହାନ୍ତି ଏବଂ ପବ୍ଲିକ ଇମେଜ ନିର୍ଦ୍ଦେଶକ ରୋଟାରିଆନ ଆଶିଷ ନାୟକ ଉପସ୍ଥିତ ରହି ନୂଆ ଟିମକୁ ଶୁଭେଚ୍ଛା ଜଣାଇଥିଲେ । ମହାବିଦ୍ୟାଳୟର ଷ୍ଟୁଡେଣ୍ଟ ଆଡଭାଇଜର ଉଷା ରାଣୀ ସାହୁ କହିଥିଲେ ଯେ, ଏହି କ୍ଲବ ଜରିଆରେ ଛାତ୍ରଛାତ୍ରୀ ସମାଜର ବିଭିନ୍ନ ସମସ୍ୟା ବୁଝି ସମାଧାନ ପାଇଁ କାମ କରିପାରିବେ । ଫାକଲ୍ଟି ସଦସ୍ୟା ବନଜା ମିଶ୍ର ଓ ଡ. ନମିତା ରଥ ମଧ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ନୂଆ ସଭାପତି ସୋନୁ ତାନ୍ତୀ ତାଙ୍କ ଅଭିଭାଷଣରେ କହିଥିଲେ, ଆଗାମୀ ବର୍ଷରେ ରକ୍ତଦାନ ଶିବିର, ବୃକ୍ଷରୋପଣ, ସ୍ୱଚ୍ଛତା ଅଭିଯାନ ଓ ଶିକ୍ଷା ସଚେତନତା ଭଳି କାର୍ଯ୍ୟକ୍ରମ ଅଧିକ କରାଯିବ । ନୂଆ ସଚିବ ଅର୍ପିତା ବାରିକ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.