ଆଇନ ସହାୟତା ସଂପର୍କରେ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ପକ୍ଷରୁ ଆଇନ ସହାୟତା ସଂପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଲୁମନି ଆସୋସିଏସନ୍‌ର ସଭାପତି ସୁମନ ଦତ୍ତଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ତଥା ଆଲୁମନି ଗିରିଶ ମହାପାତ୍ର ମୁଖ୍ୟଅତିଥି, ଆସୋସିଏସନ୍‌ର ଉପସଭାପତି ତଥା ଆଲୁମନି ବବିତା ମହାପାତ୍ର ଓ ସାମାଜିକ କର୍ମୀ ତଥା ଆଲୁମନି ପଶୁପତିନାଥ ଚାଟାର୍ଜୀ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଆଇନ ସହାୟତା ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ମହାପାତ୍ର କହିଲେ ଯେ ୧୯୫୨ ମସିହାରେ ଜଷ୍ଟିସ ଭି.ଆର.କୃଷ୍ଣା ଆୟାର ଆଇନ ସହାୟତା ସଂପର୍କରେ ଏକ ଆଇନ ପ୍ରଣୟନ କରିଥିଲେ । ୧୯୮୭ରେ ଲିଗାଲ ଅଥୋରିଟ ଆକ୍ଟ ଆରମ୍ଭ ହେଲା । ଏହାର ମୂଳଲକ୍ଷ୍ୟ ହେଲା ଏହି ଆଇନ ବଳରେ ଅବହେଳିତ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକ ସାମାଜିକ ନ୍ୟାୟ ପାଇପାରିବେ । ସଚେତନତା ଅଭାବରୁ ଅନ୍ଧବିଶ୍ବାସ ଓ କୁସଂସ୍କାର ବ୍ୟାପିଥାଏ । ଏଥିପାଇଁ ସେ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ବକ୍ତା ଶ୍ରୀମତୀ ମହାପାତ୍ର କହିଲେ ଯେ ସାକ୍ଷରତା ଓ ଅନଭିଜ୍ଞତା ଯୋଗୁଁ ଆମେ ଆଇନ ସହାୟତା ପାଇପାରି ନାହୁଁ । ନ୍ୟାୟ ପାଇବା ସମସ୍ତଙ୍କ ଅଧିକାର । ଏହା ସହ ଜିରୋ ଏଫଆଇଆର୍‌ ଓ କେଉଁ ମାଧ୍ୟମରେ ଆଇନ ସହାୟତା ପାଇବେ, ସେ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ବକ୍ତା ଶ୍ରୀ ଚାଟାର୍ଜୀ ଆର୍ଥିକ ଅନଗ୍ରସର ବ୍ୟକ୍ତି ନ୍ୟାୟ ପାଇବା ପାଇଁ ନ୍ୟାୟମୂର୍ତ୍ତି ଭଗବତୀଙ୍କ ଅବଦାନ ସଂପର୍କରେ ଆଲୋଚନା କରିବା ସହ ସାମାଜିକ ଦାୟିତ୍ୱବୋଧ ଓ ନାରୀ ସଶକ୍ତିକରଣ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଆଲୁମନି ଆଲୋକ ରଂଜନ ପିଙ୍ଗୁଆଙ୍କ ନେତୃତ୍ଵରେ ସିଡବ୍ଲ୍ୟୁଏସ୍‌ ଗୃପର ସ୍ବେଚ୍ଛାସେବୀମାନେ ଯୋଗଦେଇ ଆଇନ ସଂପର୍କୀତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ଦତ୍ତ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ, ଅତିଥିଙ୍କ ପରିଚୟ ସହ ସ୍ବାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରୁଥିବା ଅଧ୍ୟକ୍ଷ ଡଃ ବେହେରା ଆଇନର ଉପଯୋଗୀତା ଓ ଏହାର ସୁଫଳ ପାଇବା ପାଇଁ କିଭଳି ପ୍ରୟାସ କରାଯାଇପାରିବ ସେ ସମ୍ପର୍କରେ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଲୁମନି ଆସୋସିଏସନ୍‌ର କାର୍ୟ୍ୟକାରୀ ସଂପାଦକ ଦେବାଶିଷ ମହାନ୍ତି ଓ କୋଷାଧ୍ୟକ୍ଷା ଅଧ୍ୟାପିକା ପ୍ରଜ୍ଞା ପରମିତା ପଣ୍ଡା ମଞ୍ଚାସୀନ ଥିବା ବେଳେ ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ୟ୍ୟକ୍ରମର ସଫଳ ରୂପାୟନ ପାଇଁ ଅଧ୍ୟାପିକା ଡଃ ସଂପାଦିକା ମହାନ୍ତି, ଅଧ୍ୟାପକ ତନ୍ମୟ ରାଜ ପାଢୀ, ବିଶିଷ୍ଟ ଲେଖକ ଗଣେଶ ଚନ୍ଦ୍ର ମେକାପ, ଆଞ୍ଚଲ ପ୍ରଧାନ, ଅନପୂର୍ଣ୍ଣା ଟୁଟୁ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

18 − sixteen =

error: Content is protected !!