
ରାଉରକେଲା, ଝାରସୁଗୁଡା, (ସସ୍ମିତା ପ୍ରଧାନ) : ଝାରସୁଗୁଡା ସଦର ବ୍ଲକ ମରାକୁଟା ସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ଦ୍ୱାରା କରାଯାଉଥିବା ବେଆଇନ ଗଭୀର ନଳକୂପ ଏବଂ ଇନଟେକ୍ ୱେଲ୍ ନିର୍ମାଣକୁ ନେଇ ବିବାଦ ତେଜିବାରେ ଲାଗିଛି । ପ୍ରଥମ ପର୍ଯ୍ୟାୟ ମିଳିତ ଅନୁଧ୍ୟାନ ସମୟରେ ୧୩ ଟି ବେଆଇନ ଗଭୀର ନଳକୂପ ଚିହ୍ନଟ କରାଯାଇଥିବା ବେଳେ, ୫ ଜୁନ୍ରେ ଦ୍ୱିତୀୟ ପର୍ଯ୍ୟାୟ ଯାଞ୍ଚ ସମୟରେ କମ୍ପାନୀ କର୍ତ୍ତୃପକ୍ଷ ଓ ଜଳସେଚନ ବିଭାଗର ଇଞ୍ଜିନିୟର କମିଟି ସଦସ୍ୟମାନଙ୍କୁ ସାମିଲ କରିବାକୁ ସିଧାସଳଖ ମନା କରିଦେଇଛନ୍ତି । ସରକାରୀ ଅଧିକାରୀ ଓ କମ୍ପାନୀର ଏଭଳି ମନୋଭାବ ବିରୋଧରେ ଶନିବାର କମିଟି ସଦସ୍ୟମାନେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମରାକୁଟାର ସରପଞ୍ଚ ଲିଲି ତନ୍ତୀଙ୍କ ଅଧ୍ୟକ୍ଷତାରେ ଓଡିଶା ମେଟାଲିକ କମ୍ପାନୀ ଭିତରେ ଥିବା ବେଆଇନ ଗଭୀର ନଳକୂପର ଅନୁଧ୍ୟାନ ପାଇଁ ୧୦ ଜଣିଆ ପ୍ରତିନିଧି ଦଳର ଏକ ତାଲିକା ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଦାଖଲ କରିଥିଲେ ଏବଂ ଯାଞ୍ଚ କରିବା ପାଇଁ ଉପଜିଲ୍ଲାପାଳ କମିଟିକୁ ଅନୁମତି ମଧ୍ୟ ପ୍ରଦାନ କରିଥିଲେ । ମାତ୍ର ୫ ଜୁନ ଶୁକ୍ରବାର ଦିନ ଯାଞ୍ଚ ବେଳେ ଜଳସେଚନ ବିଭାଗର ଯନ୍ତ୍ରୀ ଏବଂ କମ୍ପାନୀ କର୍ତ୍ତୃପକ୍ଷ କମିଟି ସଦସ୍ୟଙ୍କୁ ସହଯୋଗ କରିନଥିଲେ । କମ୍ପାନୀ ଭିତରକୁ ଯିବା ପାଇଁ ସରପଞ୍ଚ ଲିଲି ତନ୍ତୀଙ୍କ ସହିତ ସମସ୍ତ ସଦସ୍ୟଙ୍କୁ ଜଳସେଚନ ବିଭାଗର ଯନ୍ତ୍ରୀ ଏବଂ କମ୍ପାନୀ କର୍ତ୍ତୃପକ୍ଷ ମନା କରିଥିଲେ । ଯାହାକି ଉପଜିଲ୍ଲାପାଳଙ୍କ ଆଦେଶ ତଥା ନିରପେକ୍ଷ ତଦନ୍ତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା କମ୍ପାନୀର ବେଆଇନ କାର୍ଯ୍ୟକୁ ସରକାରୀ ବାବୁମାନେ ସୁରକ୍ଷା ଦେଉଥିବା ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି କମିଟି ଅଭିଯୋଗ କରିଛି । ଓଡ଼ିଶା ମେଟାଲିକ୍ସ କମ୍ପାନୀ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଗରିବ ଲୋକେ ନିଜର ଚାଷଜମି, ଭିଟାମାଟି ସବୁକିଛି ହରାଇଛନ୍ତି । ଓଡିଶା ମେଟାଲିକ କମ୍ପାନୀ ବେଆଇନ ଜଙ୍ଗଲ ଜମି ଅଧିକାର, ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ନଦେବା ସହ ବହୁ ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିବା ନେଇ ଅଭିଯୋଗ ହୋଇସାରିଛି । ବେଆଇନ ଗଭୀର ନଳକୂପ ଦ୍ୱାରା କମ୍ପାନୀ ଭୂତଳ ଜଳକୁ ଶୋଷଣ କରି ମରାକୁଟା, ଜମେରା ତଥା ବ୍ରଜରାଜନଗରର ପାର୍ଶ୍ୱବର୍ତ୍ତୀ ଅଂଚଳରେ ଜଳ ସଙ୍କଟ ସୃଷ୍ଟି କରିସାରିଛି । ଏଭଳି ସ୍ଥିତିରେ ସରକାରୀ ଅଧିକାରୀମାନେ ଜନସ୍ୱାର୍ଥ ବିରୋଧରେ ଯାଇ କମ୍ପାନୀ ସପକ୍ଷରେ କାମ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ମରାକୁଟା ସରପଞ୍ଚ ଲିଲି ତନ୍ତୀ, ଜିଲ୍ଲା ପରିଷଦ ସଦସ୍ୟ ଦିଗାମ୍ବର ଭୋଇ, ଝରଣା ସାଗର, କାଉନସିଲର ଦ୍ରୌପଦୀ ମେହେର, ସତ୍ୟପ୍ରକାଶ ସାହୁ, ଟିକେଶ୍ୱରୀ ପ୍ରଧାନ, କ୍ଷମାଶୀଳ ସାହୁ, ନୃପଲାଲ ମେହେର ଏବଂ ରାଜକୁମାର ବୁଡ଼ା ପ୍ରମୁଖ କହିଛନ୍ତି । ଶୁକ୍ରବାର ଦିଆଯାଇଥିବା ଦାବିପତ୍ର ଅନୁଯାୟୀ ଜନସ୍ୱାର୍ଥର ସୁରକ୍ଷା ପାଇଁ ଆଗାମୀ ୭ ଦିନ ମଧ୍ୟରେ କମିଟି ସଦସ୍ୟଙ୍କ ଉପସ୍ଥିତିରେ ପୁନର୍ବାର ସଠିକ୍ ଭାବେ ମିଳିତ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ଯଦି ଜଳସେଚନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ଉଚିତ୍ ନ୍ୟାୟ ନମିଳେ, ତେବେ ଆଗାମୀ ଦିନରେ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦିଆଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବିପତ୍ରର ନକଲ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ , ଏସ.ପି, ଝାରସୁଗୁଡା, ଉପଜିଲ୍ଲାପାଳ,ସଦର ଥାନା ଆଇ.ଆଇ.ସି ଏବଂ ହୀରାକୁଦ ବନ୍ଧ ସଂଭାଗ (ବୁର୍ଲା)ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ମଧ୍ୟ ଅବଗତି ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି । ଏନେଇ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ସନ୍ତୋଷିନୀ ସେଠୀ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ, ତାଙ୍କର ଆଦେଶ ପରେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏନେଇ ଓଡିଶା ମେଟାଲିକ କମ୍ପାନୀର ବରିଷ୍ଠ ଅଧିକାରୀ ଅଜିତ ସିଂଙ୍କ ସହିତ ଯୋଗାଯୋଗ ହୋଇପାରି ନଥିଲା ।