ରାଉରକେଲା ମହାନଗର ପକ୍ଷରୁ ଖାଦ୍ୟ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ୦୧ ଅକ୍ଟୋବର ୨୦୨୨ ଶାରଦୀୟ ପୂଜା ଏବଂ ହକି ବିଶ୍ୱ କପ୍‌କୁ ନଜରରେ ରଖି ଶନିବାର ରାଉରକେଲା ମହାନଗର ନିଗମ ସଭାଗୃହରେ ଖାଦ୍ୟ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଉରକେଲା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱଚ୍ଛତା, ରୋଷେଇ ଏବଂ ଅନ୍ୟ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ଜଳର ଉତ୍ସ, ଖାଦ୍ୟ ପ୍ରସ୍ତୁତି ଶୈଳୀ ଆଦି ଉପରେ ଗୁରୁତ୍ୱ ଦିଆଯାଇଥିଲା । ଅନ୍ୟପକ୍ଷରେ ରାଉରକେଲା ମହାନଗର ନିଗମର ସହର ସ୍ୱାସ୍ଥ୍ୟ ଅଧିକାରୀ ଡ. ସୁଶୀଳ କୁମାର ପରିଡ଼ା ଉପସ୍ଥିତ ରହି ହୋଟେଲ ଓ ରେଷ୍ଟୁରାଣ୍ଟ ପରିସର ସଫା ରଖିବା, ଖାଦ୍ୟର ମାନ ଯାଞ୍ଚ କରିବା ଏବଂ ନିୟୋଜିତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ସହିତ ରାଉରକେଲା ମହାନଗର ନିଗମର ପରାମର୍ଶଦାତା ପ୍ରଶାନ୍ତ ନାୟକ ଆଗାମୀ ହକି ବିଶ୍ୱକପ୍‌ ଅବସରରେ ରାଉରକେଲାର ଆତିଥ୍ୟ ସମସ୍ତ ଅତିଥିଙ୍କ ପାଇଁ କିଭଳି ସ୍ମରଣୀୟ ହୋଇପାରିବ ସେ ଉପରେ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆରଏମ୍‌ସି ଖାଦ୍ୟ ନିରାପତ୍ତା ଅଧିକାରୀ, ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ‌ର ସଭାପତି ଓ ସାଧାରଣ ସମ୍ପାଦକଙ୍କ ସମେତ ଆସୋସିଏସନ‌ର ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eight + five =