ଉପଭୋକ୍ତା ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି : ଶ୍ରୀ ପ୍ରସାଦ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଞ୍ଜୁମର ଫ୍ରଣ୍ଟ ତରଫରୁ କୋଏଲନଗର ଖାଉଟି ସୁରକ୍ଷା ଭବନଠାରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳନ କରାଯାଇଛି । ଫ୍ରଣ୍ଟର ସଭାପତି ସୁଧୀର ସୁନ୍ଦରରାୟଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ମିହିର ରାୟଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଜିଲ୍ଲା ଉପଭୋକ୍ତା ଫୋରମର ସଭାପତି ରାଜେନ୍ଦ୍ର ପ୍ରସାଦ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ବ୍ରିଜମୋହନ ଅଗ୍ରୱାଲ, ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ସଭାପତି ଦିଲ୍ଲୀପ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ‘ସ୍ୱଚ୍ଛ ଶକ୍ତି ସ୍ଥାନାନ୍ତର ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତିକରଣ କରିବା’ ଓ ଉପଭୋକ୍ତା ସୁରକ୍ଷା ଆଇନ ଅନ୍ତର୍ଗତ ଉପଭୋକ୍ତାମାନଙ୍କର ଅଧିକାର ସଂପର୍କରେ ସଚେତନ କରାଇଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରସାଦ ଉପଭୋକ୍ତାଙ୍କ ସଚେତନତାକୁ ଗୁରୁତ୍ୱାରୋପ କରିଥିବା ବେଳେ ଅର୍ଥ ବଦଳରେ ଉପଯୁକ୍ତ ସେବା ଓ ବସ୍ତୁ ନପାଇବା, ସେବା ପାଇବାରେ ବିଳମ୍ବ, ଶିକ୍ଷା କ୍ଷେତ୍ରରେ ଠକାମି, କ୍ୟାରୀ ବ୍ୟାଗ୍ ପାଇଁ ଅର୍ଥ ଆଦି ଦାବୀ କରିବା ଭଳି ଉପଭୋକ୍ତାଙ୍କ ସହ ଠକାମି ଅନୁଭବ ହେଲେ ଆଇନର ଆଶ୍ରୟ ନେବାପାଇଁ ମତ ରଖିଥିଲେ । ସମ୍ମାନିତ ଅତିଥି ଶ୍ରୀ ଅଗ୍ରୱାଲ ସଂପ୍ରତି ବଜାରରେ ସଂପର୍କର ମୂଲ୍ୟ, ସାମାଜିକ ସୁରକ୍ଷା ଓ ଖାଉଟିମାନେ ଜାଣିବାର ଅଧିକାର ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ଅନ୍ୟତମ ଅତିଥି ଶ୍ରୀ ମହାପାତ୍ର ଉପଭୋକ୍ତାଙ୍କ ମାନସିକ ଦୁର୍ବଳତା ଠକାମୀର ଅନ୍ୟ ଏକ କାରଣ ବୋଲି ମତ ରଖିଥିଲେ । ଏହି ଅବସରରେ ଟାଟା ପାୱାର ସୋଲାର ତରଫରୁ ରୂପକ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ । ସଭାପତି ଶ୍ରୀ ସୁନ୍ଦରରାୟ ସଭାପତିତ୍ୱ ଅଭିଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରି ଆଲୋଚ୍ୟ ବିଷୟର ଆବଶ୍ୟକତା ଉପରେ ମତ ରଖିଥିଲେ । ସଂପାଦକ ଶ୍ରୀ ରାୟ ସାଂପ୍ରତିକ ସ୍ଥିତିରେ ଉପଭୋକ୍ତା ନିଜର ଅଧିକାର ଓ ସୁରକ୍ଷା ସଂପର୍କରେ ଅଧିକ ସଚେତନ ହେବା ଉପରେ ଗୁରୁତ୍ୱାରୋପ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଉପସଭାପତି ସୁରେନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ଜଣାଶୁଣା ବ୍ୟକ୍ତିତ୍ୱ ନାରାୟଣ ପତି, ଶଶଧର ପାତ୍ର, ଶୈଳେନ୍ଦ୍ର ମହାନ୍ତି, ଜଗନ୍ନାଥ ରାଉତ, ପ୍ରଶାନ୍ତ ଦାସ, ମିଟୁ ବେଉରିଆ, ନିରଞ୍ଜନ ଦାସଙ୍କ ସମେତ ଫ୍ରଣ୍ଟର କର୍ମକର୍ତ୍ତା, ସଚେତନ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

20 + fifteen =