
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଗଞ୍ଜାମ ଲକ୍ଷ୍ୟ ନିକେତନରେ ‘ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ୍ (ଏସ୍ଆଇଆର୍) ୨୦୨୬’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମିଲ ହେଲେ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ । ବ୍ରହ୍ମପୁରର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଗଞ୍ଜାମ ଲକ୍ଷ୍ୟ ନିକେତନ (ଜିଏଲ୍ଏନ୍) ପରିସରରେ ‘ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ୍’ (ଏସ୍ଆଇଆର୍) ୨୦୨୬ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଭୋଟର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପ-ଜିଲ୍ଲାପାଳ (ସବ୍-କଲେକ୍ଟର), ଅତିରିକ୍ତ ଉପ-ଜିଲ୍ଲାପାଳ, ବ୍ରହ୍ମପୁର ତହସିଲଦାର ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।।ଏହି ଅବସରରେ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନେ ଜିଏଲଏନ୍ର ଛାତ୍ରଛାତ୍ରୀମାନଙ୍କ ସହ ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ୍ ପ୍ରକ୍ରିୟା ଉପରେ ସିଧାସଳଖ ଆଲୋଚନା କରିଥିଲେ । ଆଗାମୀ ନିର୍ବାଚନ ପରିଚାଳନା ଏବଂ ଏସ୍ଆଇଆର୍ ୨୦୨୬କୁ ସଫଳ କରିବାରେ ଯୁବ ସମାଜ ତଥା ଛାତ୍ରଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଅଧିକାରୀମାନେ ପ୍ରକାଶ କରିଥିଲେ । ଏଥିସହ ଛାତ୍ରଛାତ୍ରୀମାନେ ନିଜ ନିଜ ସ୍ଥାନୀୟ ଅଞ୍ଚଳରେ ଭୋଟର ସଚେତନତାର ବାର୍ତ୍ତା ବାହକ (ଅମ୍ବାସଡର) ସାଜିବା ସହ କ୍ଷେତ୍ରସ୍ତରୀୟ କାର୍ଯ୍ୟକ୍ରମ ସମୟରେ ବୁଥ୍ସ୍ତରୀୟ ଅଧିକାରୀ (ବିଏଲ୍ଓ) ମାନଙ୍କୁ ସକ୍ରିୟ ସହଯୋଗ କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା । କାର୍ଯ୍ୟକ୍ରମ ଦ୍ୱିତୀୟ ପର୍ଯ୍ୟାୟରେ ‘ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ୍’ ପ୍ରକ୍ରିୟାର ସାମ୍ବିଧାନିକ ବ୍ୟବସ୍ଥା, ଆଇନଗତ ଆଭିମୁଖ୍ୟ ଏବଂ ସମ୍ପୃକ୍ତ ନିର୍ବାଚନ ଆଇନ ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା (ପ୍ରେଜେଣ୍ଟେସନ୍) ପ୍ରଦାନ କରାଯାଇଥିଲା । ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଏକ ସଠିକ୍, ସ୍ୱଚ୍ଛ ତଥା ସର୍ବସମାବେଶୀ ଭୋଟର ତାଲିକା ପ୍ରସ୍ତୁତ କରିବାରେ ସମସ୍ତଙ୍କ ସହଭାଗିତାକୁ ନିଶ୍ଚିତ କରିବା ଏହି ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ସଚେତନତା ସଭାରେ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ବେଶ୍ ଉତ୍ସାହର ସହ ଭାଗ ନେଇଥିଲେ । ଆଗାମୀ ଦିନରେ ଏହି ଜନସଚେତନତା ଅଭିଯାନକୁ ବ୍ୟାପକ କରିବା ସହ ଏସ୍ଆଇଆର୍୨୦୨୬ ର ସଫଳତା ପାଇଁ ସେମାନେ ନିଜର ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ପ୍ରକାଶ କରିଥିଲେ ।