
ରାଉରକେଲା ବିଜେପିରେ ଅନ୍ତଃକନ୍ଦଳ : ସଭାନେତ୍ରୀ ପୂର୍ଣ୍ଣିମା କେର୍କେଟାଙ୍କୁ ବିଦା କରିବା ପାଇଁ ଜୁଏଲଙ୍କ ଗୋଷ୍ଠୀ ତତ୍ପର
ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ସାଙ୍ଗଠନିକ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଅନ୍ତଃକନ୍ଦଳ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶ୍ୱାନଙ୍କ ସମ୍ପୃକ୍ତି ରାଉରକେଲା ସର୍କିଟ ହାଉସ୍ ଅସ୍ତ୍ରଶସ୍ତ୍ର ଜବତ ମାମଲାରେ ମିଳିବା ପରେ, ତାଙ୍କୁ ବିଜେପିରୁ ବିଦାକରାଯିବା, ପ୍ରକାଶ ପାଶ୍ୱାନ ଫେରାର ହେବା ପରେ, ତାଙ୍କୁ ଏନ୍.ବି.ଡବ୍ଲୁ. ବଳରେ ରାଉରକେଲା ପୋଲିସ୍ ବିହାରରୁ ଗିରଫ କରି ଜେଲ୍ ପଠାଇବା ଏବଂ ରିମାଣ୍ଡରେ ଆଣି ଦୁଇ ଦିନ ପଚରାଉଚରା କରିବା ପରେ, ଅଭିଯୁକ୍ତ ପ୍ରକାଶ ପାଶୱାନ ବର୍ତ୍ତମାନ ରାଉରକେଲା ସ୍ୱତନ୍ତ୍ର ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓଡିଶା ବିଜେପିର ସାଂଗଠନିକ ସମ୍ପାଦକ ମାନସ ମହାନ୍ତିଙ୍କୁ ସାକ୍ଷାତ କରିବା ପରେ ଯେଉଁ ବିସ୍ଫୋରକ ବୟାନ ଦେଇଥିଲେ ତାହା ରାଉରକେଲା ସମେତ ଓଡ଼ିଶା ବିଜେପିରେ ଚହଳ ସୃଷ୍ଟି କରିଥିଲା । ଆଜି ରାଉରକେଲା ସେକ୍ଟର-୩, ବି/୩୩, ବିଜେପି କାର୍ଯ୍ୟାଳୟ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ନବନିଯୁକ୍ତ ରାଉରକେଲା ପ୍ରତିନିଧି ମନୋଜ ରଞ୍ଜନ ମୁନି, ବରିଷ୍ଠ ବିଜେପି ନେତ୍ରୀ ପ୍ରମିଳା ଦାସ, ଅମ୍ରିତ ଲାଲ ଓରାମ, ରାଜକିଶୋର ଭଞ୍ଜଙ୍କ ସମେତ ଅଶୋକ କୁମାର ଲେଙ୍କା, ତସିମ୍ ଖାନ୍, ମଳୟ ମହାପାତ୍ର, ନରେଶ ଜେନା, କମଳାକାନ୍ତ ବାରିକ, ଯୋଗେନ୍ଦ୍ର ବେହେରା, ବିନତୀ ଭୂମିଜ ପ୍ରମୁଖ ଉପସ୍ଥିତ ଥିଲେ । ମନୋରଞ୍ଜନ ମୁନି ଏବଂ ପ୍ରମିଳା ଦାସ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଯେ, ରାଉରକେଲା ବିଜେପି ସଭାନେତ୍ରୀ ଶ୍ରୀମତୀ ପୂର୍ଣ୍ଣିମା କେରକେଟା ଦଳକୁ ଏକ ଭୁଲ୍ ତଥ୍ୟ ଦେଇ ଦଳର ସଭାନେତ୍ରୀ ହୋଇଛନ୍ତି । ପୂର୍ଣ୍ଣିମା କେରକେଟା ଯେଉଁ ତଥ୍ୟ ଦେଇଛନ୍ତି ଯେ, ସେ ରେଲୱେ ଅଧିନସ୍ଥ ରାଇଟସ୍ ଲିମିଟେଡ୍ରେ ଏକ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କର ଯୋଗ୍ୟତା ଗ୍ରାଜୁଏଟ, ତାହା ସମ୍ପୂର୍ଣ୍ଣ ଭୁଲ୍ ତଥ୍ୟ ଦେଇଛନ୍ତି ଏବଂ ସେ ଗ୍ରାଜୁଏଟ ନୁହଁନ୍ତି । ତେଣୁ ଏ ବିଷୟରେ ସେମାନେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କୁ ପଠାଇଛନ୍ତି । ରାଉରକେଲା ବିଜେପିର ଅନ୍ୟ ଜଣେ ସଦସ୍ୟ ବ୍ରଜକିଶୋର ମିଶ୍ର ଏ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଏକ ପତ୍ର ଲେଖିଛନ୍ତି, ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ସବୁ କାର୍ଯ୍ୟକ୍ରମ ଖାଲି ଟୋକନ୍ ହିସାବ, କାଗଜକଲମ ଏବଂ ଫଟୋ ମାଧ୍ୟମରେ ଚାଲୁଛି । ଏହାକୁ ଯଦି ସ୍ୱତନ୍ତ୍ର ଦୃଷ୍ଟି ଦିଆନଯାଏ ତାହେଲେ ଆଗାମୀ ଦିନରେ ସଂଗଠନ ଦୁର୍ବଳ ଆଡକୁ ଗତିକରିବା ସହିତ ସଂଭାବ୍ୟଥିବା ସୁନ୍ଦରଗଡ ପରି ପୁରୁଣା ବିଜେପିର ଗଡ ସାଂଗଠନିକ ଢାଞ୍ଚା ଦୁର୍ବଳ ହୋଇଯିବ ଏବଂ ତାର ପରିଣାମ ପାର୍ଟିକୁ ବହନ କରିବାକୁ ପଢିବ । ରାଉରକେଲା ବିଜେପିରେ ଏହି ଗୋଷ୍ଠୀକନ୍ଦଳ ସହିତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କେତେକ ଗଣମାଧ୍ୟମ ସାମ୍ନାରେ ବିରୋଧିଙ୍କୁ ଜାଳି ଦେବା, ପୋଡିଦେବା ବିଷୟରେ କହିବାକୁ ନେଇ ରାଉରକେଲା ରାଜନୀତି ସରଗରମ ସମେତ ରାଜ୍ୟ ରାଜନୀତି ସରଗରମ ହୋଇଛି । ଆଗାମୀ ଦିନରେ ଏହି ଗୋଷ୍ଠୀ କନ୍ଦଳ କେଉଁ ଆଡକୁ ଗତି କରୁଛି ତାହା ଦେଖିବାକୁ ବାକି ରହିଲା ।