ରାଉରକେଲାର ସ୍ୱପ୍ନା ଭାରତୀଙ୍କୁ ମିସେସ ଇଣ୍ଡିଆ ଡିଭାର ପ୍ରଥମ ରନର୍ସଅପ ଟାଇଟଲ

ରାଉରକେଲା, (ସସ୍ମିତା ପଧାନ) : ରାଉରକେଲା ସହରର ଗର୍ବ ଓ ଗୌରବ ସ୍ୱପ୍ନା ଭାରତୀ ଜାତୀୟ ସ୍ତରରେ ସୁନ୍ଦରୀ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି କେବଳ ରାଉରକେଲା ନୁହେଁ ସାରା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ଏହାର ଆୟୋଜକ ଥିଲେ ମିସ ଏବଂ ମିସେସ ଇଣ୍ଡିଆ ଡିଭା । ଏହା ନୂଆଦିଲ୍ଲୀର ଉମରାଓ ହୋଟେଲ ଠାରେ ୨୪ ସେପ୍ଟେମ୍ବରରେ ଆୟୋଜନ ହୋଇଥିଲା । ସୂଚନା ଯୋଗ୍ୟ ଯେ, ସାରା ଭାରତ ବର୍ଷରୁ ୭୩୦୦ ପ୍ରତିଯୋଗୀ ଯୋଗ ଦେଇଥିବା ବେଳେ ସେଥି ମଧ୍ୟରୁ ନିଜର ସୁନ୍ଦରତା ଏବଂ ବୁଦ୍ଧିମତାକୁ ପାଥେୟ କରି ସ୍ୱପ୍ନା ଏହି ଗୌରବ ଅର୍ଜନ କରିଥିଲେ । ଏହାଫଳରେ ବିଚାରକ ମଣ୍ଡଳୀ ତାଙ୍କୁ ମିସେସ ଇଣ୍ଡିଆ ଡିଭା ୨୦୨୨ ରନର୍ସ ଅପ ଟାଇଟଲ ପ୍ରଦାନ କରିଥିଲେ । ଶ୍ରୀମତୀ ସ୍ୱପ୍ନା ଏହାର ସମସ୍ତ ଶ୍ରେୟ ତାଙ୍କର ବାପା, ମାଁ, ଶାଶୁ, ଶଶୁର, ପତି, ପରିବାରବର୍ଗ ଓ ସମସ୍ତ ସହରବାସୀଙ୍କୁ ଦେଇଛନ୍ତି । ଏହି ପ୍ରତିଯୋଗିତାରେ ବିଜୟ ହେବା କେବଳ ତାଙ୍କର ମନୋବଳ ବଢ଼ାଇବ ତାହା ନୁହେଁ । ଏହା ଅନ୍ୟ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକଟ କରାଯାଉଛି । ଶ୍ରୀମତୀ ଭାରତୀ ରାଉରକେଲାର ଝିଅ ଏବଂ ତାଙ୍କର ସମସ୍ତ ପାଠ୍ୟକ୍ରମ ରାଉରକେଲାରେ କରିଛନ୍ତି । ଅତି ନିବିଡ ଭାବେ ରାଉରକେଲାକୁ ଭଲପାଉଥିବା ଶ୍ରୀମତୀ ଭାରତୀ ସମ୍ପ୍ରତି ସ୍ଵାମୀଙ୍କ ଚାକିରି ବଦଳି ଯୋଗୁଁ ସମ୍ବଲପୁରରେ ଅବସ୍ଥାପନ କରୁଛନ୍ତି । କଠିନ ପରିଶ୍ରମ ଓ ଦୃଢ ମନୋବଳ ସଫଳତାର ଚାବିକାଠି ବୋଲି ସେ ଏହି ଅବସରରେ ପ୍ରକାଶ କରିଛନ୍ତି । ରାଉରକେଲା କ୍ଲବ ଠାରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ତାଙ୍କର ସଫଳତା ପାଇଁ ନୃତ୍ୟ ମଧୁରମ ତରଫରୁ ସମ୍ବର୍ଦ୍ଧନା ଦିଆଯାଇ କେକ୍ କଟାଯାଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁବ୍ରତ ଭୂୟାଁ, ଲୁସି ଦାଶ, ଲୀନା ବିଶ୍ୱାଳ, ଅମୂଲ୍ୟ ବିଶୋଇ, ସୋନି ପିଲାଇ, ଏସ ପିଲାଇ, ବିଶ୍ୱଜିତ ନାୟକ, ରାକେଶ ପଣ୍ଡା, ଆଦିତି ଭାରତୀ ଓ ଅଂଶୁମାନ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

five × four =