jayashree

ବରଗଡ଼ ସୀମାନ୍ତରେ ହରିଶଙ୍କର ରାସ୍ତା ଶୋଚନୀୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସୀମାନ୍ତ ଅଞ୍ଚଳରେ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ରାସ୍ତାର ଅବସ୍ଥା ବର୍ଷାଦିନେ ଶୋଚନୀୟ ହୋଇପଡ଼ିଛି । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଅନ୍ତର୍ଗତ ଡୁଡୁକିଝରିଆ ଗାଁ ଶେଷମୁଣ୍ଡରୁ ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅଧୀନ ଆମ୍ବବାହାଲି ଜଙ୍ଗଲ ପର୍ଯ୍ୟନ୍ତ ରହିଥିବା ଏହି ରାସ୍ତା ଏବେ ଯାତାୟାତ ପାଇଁ ଶୋଚନୀୟ ହୋଇପଡ଼ିଛି । ଏହି ରାସ୍ତା ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର ପୀଠକୁ ସଂଯୋଗ କରୁଥିବାରୁ ପ୍ରତିଦିନ ଏହି ପଥ ଦେଇ ବହୁ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ ଯାତାୟାତ କରୁଛନ୍ତି । ବିଶେଷ କରି ଗନ୍ଧମାର୍ଦ୍ଦନ ପର୍ବତମାଳାର ପାଦଦେଶରେ ଅବସ୍ଥିତ ନୃସିଂହନାଥ ଓ ହରିଶଙ୍କର ଭଳି ଦୁଇଟି ପ୍ରମୁଖ ଧାର୍ମିକ ପୀଠକୁ ଏକାସାଙ୍ଗରେ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏହି ରାସ୍ତାର ବିଶେଷ ଗୁରୁତ୍ୱ ରହିଛି । ବର୍ତ୍ତମାନ ବର୍ଷା ଋତୁ ଚାଲିଥିବାରୁ ରାସ୍ତାର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଛି । ଅନେକ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହେବା ସହ ମାଟି ଧୋଇଯାଇ ରାସ୍ତା କାଦୁଅ ପଚପଚ ହୋଇପଡ଼ିଛି । ଫଳରେ ଦୁଇଚକିଆ ଯାନ ଚାଳକମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଚାରିଚକିଆ ଯାନ ଚଳାଚଳ ମଧ୍ୟ କଷ୍ଟକର ହୋଇପଡ଼ିଛି । ବର୍ଷା ସମୟରେ ରାସ୍ତାରେ ଯାତାୟାତ କରିବାକୁ ଗଲେ ଯାନବାହନ ଫସିଯିବାର ଆଶଙ୍କା ମଧ୍ୟ ରହୁଛି । ଏହି ରାସ୍ତା କେବଳ ସ୍ଥାନୀୟ ଲୋକଙ୍କ ଯାତାୟାତ ପାଇଁ ନୁହେଁ, ଦୁଇ ଜିଲ୍ଲା ମଧ୍ୟରେ ଯୋଗାଯୋଗ ଓ ପର୍ଯ୍ୟଟନ ବିକାଶ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱ ବହନ କରୁଛି । ନୃସିଂହନାଥ ଓ ହରିଶଙ୍କର ପୀଠକୁ ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ଛତିଶଗଡ଼, ମଧ୍ୟପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟରୁ ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସିଥାନ୍ତି । ଏହି ଦୁଇପୀଠକୁ ଯୋଡୁଥିବା ରାସ୍ତାର ଉନ୍ନତି ହେଲେ ପର୍ଯ୍ୟଟକଙ୍କ ଯାତାୟାତ ସୁବିଧା ବଢ଼ିବା ସହ ଅଞ୍ଚଳର ଆର୍ଥିକ ଓ ପର୍ଯ୍ୟଟନ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇପାରିବ । ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ଏହି ରାସ୍ତାର ଉନ୍ନତି ପ୍ରତି ଆବଶ୍ୟକ ଗୁରୁତ୍ୱ ଦିଆଯାଇନାହିଁ । ଜଙ୍ଗଲ ଅଞ୍ଚଳ ହୋଇଥିବାରୁ ରାସ୍ତା ନିର୍ମାଣ ଓ ପ୍ରଶସ୍ତୀକରଣରେ ବିଭିନ୍ନ ପ୍ରଶାସନିକ ଓ ବନ ବିଭାଗୀୟ ପ୍ରକ୍ରିୟା ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ଆବଶ୍ୟକ ବୋଲି ସେମାନେ କହିଛନ୍ତି । ଅଞ୍ଚଳବାସୀଙ୍କ ମତରେ, ଡୁଡୁକିଝରିଆ ଜଙ୍ଗଲ ଆରମ୍ଭରୁ ଆମ୍ବବାହାଲି ଜଙ୍ଗଲ ପର୍ଯ୍ୟନ୍ତ ଆବଶ୍ୟକ ସ୍ଥାନରେ ଡାଇଭରସନ୍ କରି ଏକ ମଜବୁତ ପକ୍କା ରାସ୍ତା ନିର୍ମାଣ କରାଗଲେ ଦୁଇ ଜିଲ୍ଲାର ଲୋକଙ୍କ ସହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଉପକୃତ ହେବେ । ଏଥିସହ ନୃସିଂହନାଥ-ହରିଶଙ୍କର ମଧ୍ୟରେ ପର୍ଯ୍ୟଟନ ଯୋଗାଯୋଗ ଆହୁରି ସୁଦୃଢ଼ ହୋଇପାରିବ । ତେଣୁ ବରଗଡ଼ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନ ସମେତ ସମ୍ପୃକ୍ତ ବନ ବିଭାଗ ଓ ରାସ୍ତା ନିର୍ମାଣ ବିଭାଗ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ରାସ୍ତାର ସ୍ଥାୟୀ ଉନ୍ନତିକରଣ ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.