
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟ ପରିସରରେ ପୂଜ୍ୟ ଆରାଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ମହାନ୍ ଶିକ୍ଷାବିତ୍ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ରାଧାକୃଷ୍ଣନଙ୍କ ଜନ୍ମଦିବସକୁ ଗୁରୁ ଦିବସ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ଅତିଥିମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ ସହ ତାଙ୍କ ଶିକ୍ଷା ଓ ଆଦର୍ଶମୟ ଜୀବନ ସଂପର୍କରେ ଆଲୋଚନା କରାଯାଇଥିଲା । ଅଧ୍ୟକ୍ଷ ତାଙ୍କ ଭାଷଣରେ କହିଥିଲେ ଯେ, “ଜଣେ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ ସେ ଛାତ୍ରର ଜୀବନକୁ ଦିଗଦର୍ଶନ ଦିଅନ୍ତି ।” ଆଜିର ଡିଜିଟାଲ ଓ କୃତ୍ରିମ ବୁଦ୍ଧିମତାର ଯୁଗରେ ମଧ୍ୟ ଶିକ୍ଷକଙ୍କ ଭୂମିକା ଅପରିହାର୍ଯ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ । ଅଧ୍ୟାପକ, ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ନୈତିକତା, ଶୃଙ୍ଖଳା, ମାନବିକତା ଦାୟିତ୍ୱବୋଧର ମୂଲ୍ୟବୋଧକୁ ନେଇ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ । ଛାତ୍ର ସୁରଜ ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଛାତ୍ରୀ ପ୍ରିୟଙ୍କା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମଟି ଆନନ୍ଦ ଓ ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ସମାପ୍ତ ହୋଇଥିଲା ।