jayashree

ନୂଆଁଖାଇ ଭେଟଘାଟ ପାଇଁ ରଙ୍ଗୋଲି, ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏବିସିଡି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେଉଥିବା ୨୮ତମ ବୋଡାସମ୍ବର ନୂଆଁଖାଇ ଭେଟଘାଟ-୨୦୨୬କୁ ନେଇ ଆରମ୍ଭ ହୋଇଛି ବିଭିନ୍ନ ପ୍ରତିଯୋଗିତା । ନୂଆଁଖାଇ ଭେଟଘାଟର ଅବ୍ୟବହିତ ପୂର୍ବରୁ ରବିବାର ପଦ୍ମପୁରସ୍ଥିତ ରାଜାଜୀ ଟାଉନ ହଲରେ ରଙ୍ଗୋଲି, ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପଦ୍ମପୁର ସହରର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ଝୋଟି ପ୍ରତିଯୋଗିତା ହୋଇଥିବା ବେଳେ ମହିଳାମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପ୍ରତିଯୋଗିତାର ସଂଯୋଜନା ଦାୟିତ୍ୱ ପ୍ରତାପ ନାଥ ଓ ସହଦେବ ମେହେର ତୁଲାଇଥିଲେ । ବିଚାରକ ଭାବେ ଜଗନ୍ନାଥ ସେଠ, ଦୁର୍ଗାଶିଷ ପଟ୍ଟନାୟକ ଓ ନରେନ୍ଦ୍ର ବରିହା ଯୋଗଦେଇ ପ୍ରତିଯୋଗୀମାନଙ୍କ କଳାକୃତିର ମୂଲ୍ୟାୟନ କରିଥିଲେ । ପାରମ୍ପରିକ ଓଡ଼ିଆ ସଂସ୍କୃତି, ନୂଆଁଖାଇର ଭାବନା ଏବଂ ଲୋକକଳାକୁ ନେଇ ପ୍ରତିଯୋଗୀମାନେ ଆକର୍ଷଣୀୟ ରଙ୍ଗୋଲି, ଝୋଟି ଓ ଚିତ୍ର ପ୍ରସ୍ତୁତ କରିଥିଲେ । ଫଳରେ ଟାଉନ ହଲ ପରିସରରେ ଦେଖିବାକୁ ମିଳିଥିଲା ଓଡ଼ିଆ ପରମ୍ପରା ଓ ସୃଜନଶୀଳତାର ଅପୂର୍ବ ସମନ୍ୱୟ । ପ୍ରତିଯୋଗିତାରେ ବିଭିନ୍ନ ବିଭାଗରେ ସଫଳ ହୋଇଥିବା ପ୍ରତିଯୋଗୀମାନଙ୍କୁ ଆସନ୍ତା ୧୫ ସେପ୍ଟେମ୍ବର, ନୂଆଁଖାଇ ଦିନ ସନ୍ଧ୍ୟା ୬ଟାରେ ରାଜବୋଡାସମ୍ବର ହାଇସ୍କୁଲ ପ୍ରାଙ୍ଗଣରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ପୁରସ୍କୃତ କରାଯିବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଏବିସିଡି କ୍ଲବର ସମ୍ପାଦକ ରଘୁନାଥ ପୁରୀଙ୍କ ସମେତ ସୁମନ୍ତ ସାହୁ, ଶାନ୍ତ ସଂଗ୍ରାମ ଭୋଇ, ଅଂଶୁମାନ ମେହେର, ସୁନୀଲ ଭୋଇ, ରବୀନ୍ଦ୍ର ଦାଶ, ଅମୀୟ ପୁରୋହିତ, ସୁରେଶ ମିଶ୍ର, ସରୋଜ ଯୋଶୀ, ସରୋଜ ଦାନୀ ଓ ତୁଷାରକାନ୍ତ ପଧାନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଏବିସିଡି କ୍ଲବର ସଭାପତି ଅନିଲ କୁମାର ବେହେରା ସମସ୍ତ ପ୍ରତିଯୋଗୀ, ବିଚାରକ ଓ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଥିଲେ । ନୂଆଁଖାଇର ଭାଇଚାରା, ପରମ୍ପରା ଓ ଓଡ଼ିଆ ସଂସ୍କୃତିକୁ ଆହୁରି ସମୃଦ୍ଧ କରିବା ଉଦ୍ଦେଶ୍ୟରେ ଏଭଳି ଆୟୋଜନ ଜାରି ରହିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.