jayashree

ସରକାରଙ୍କ ମିଛ ପ୍ରତିଶୃତିକୁ ଚାଷୀ ନେତା ଆକାଶ ମିଶ୍ରଙ୍କ ପ୍ରତିବାଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ସରକାରଙ୍କ ଧାନ କିଶାକୁ ନେଇ ଆସିଛି ଚାଷୀଙ୍କ ଅସନ୍ତୋଷର ପ୍ରତିବାଦ । ସରକାର ପ୍ରଥମେ ନୋଟିସ ମଧ୍ୟମରେ ଜିଲ୍ଲାର ଅର୍ନ୍ତଗତ ବଲାଙ୍ଗିର ଉପଖଣ୍ଡର ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କର ଅବଗତି ନିମନ୍ତେ ଚଳିତ ୨୦୨୪ ବର୍ଷ ଡିସେମ୍ବର ମାସ ୨ ତାରିଖରୁ ଧାନ କ୍ରୟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଥିବାର ଘୋଷଣା କରିଥିଲେ । କିନ୍ତୁ ନିର୍ଦ୍ଧାଚିତ ସମୟରେ ମଣ୍ଡି ନ ଖୋଲାଯାଇ ପ୍ରାୟ ୨୦ ଦିନରୁ ଅଧିକ ବିଳମ୍ବରେ ମଣ୍ଡି ଖୋଲାଗଲା ଯାହା ଦ୍ୱାରା ଚାଷୀ ଅଭାବି ବିକ୍ରିର ଶିକାର ହୋଇ ଧାନ ୧୪୦୦ ଟଙ୍କାରୁ ୧୯୦୦ ଟଙ୍କା ମଧ୍ୟରେ ବିକ୍ରି କରିବା ପାଇଁ ବାଧ୍ୟ ହୋଇ ଶୋଷିତ ହେଲା । ଏବଂ ଅଦିନିଆଁ ବର୍ଷା ଯୋଗୁଁ ଚାଷୀ ପାଖରେ ଥିବା ଧାନ କ୍ଷତି ମଧ୍ୟ ହେଲା । ଏଣୁ ଅଦିନିଆଁ ବର୍ଷାରେ କ୍ଷତି ହୋଇଥିବା ଧାନର ସରକାର ଉଚିତ୍‌ କ୍ଷତି ପୂରଣ କରିବାକୁ ସଂଘ ଦାବି କରୁଛି । ଅନ୍ୟ ପକ୍ଷରେ ଓଡିଶା ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ଖରିଫ ଋତୁ (୨୦୨୪ – ୨୫) ବର୍ଷ ପାଇଁ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ୍‌ କିଣିବାକୁ ସ୍ଥିର ହୋଇଥିବା ଏବଂ ୮୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ୍‌ ଇନପୁଟ ସବସିଡି ଦେଇ ସର୍ବ ମୋଟ ୩୧୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ୍‌ କିଣି ବାକୁ ଘୋଷଣା କରିଛନ୍ତି । କିନ୍ତୁ ନିର୍ବାଚନ ସମୟରେ ସରକାର ଦେଇଥିବା ପ୍ରତିଶୃତି ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ୍‌ କରିବା କଥା ହେଲେ ସରକାର ଧାନ କ୍ୱିଣ୍ଟାଲ୍‌ ପ୍ରତି ୨୩୦୦ କରିଛନ୍ତି । କିନ୍ତୁ ଏଠି ସରକାରଙ୍କୁ ଚାଷୀ ମାନଙ୍କର ପ୍ରଶ୍ନ ରହୁଛି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ବଦଳରେ ୨୩୦୦ ଟଙ୍କା କାହିଁକି ରଖୁଛନ୍ତି । ଏହା ଫଳରେ ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୨୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ୍‌ ଥିବା ବେଳେ ରାଜ୍ୟ ସରକାରଙ୍କ ସିଡ କୋର୍ପୋରେସନ ବିଭାଗ ୨୨୦୦ ଟଙ୍କାରୁ ଅଧିକ ଟଙ୍କା ବିହନ ବାବଦକୁ ଦେଉଥିଲା । ଯଦି ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ଅନୁଯାୟୀ ଧାନର ମୂଲ୍ୟ ୩୧୦୦ ଟଙ୍କା ହୋଇଥିଲେ ଆଜି ବିହନ ବିକ୍ରି କରିବାରେ ଚାଷୀକୁ ୩୧୦୦ ଟଙ୍କାରୁ ଅଧିକ ଟଙ୍କା ବିହନ ବାବଦକୁ ମିଳିଥାନ୍ତା । କିନ୍ତୁ ସରକାରଙ୍କ ଏହି ମିଥ୍ୟା ରାଜନୈତିକ ପ୍ରତିଶୃତି ଯୋଗୁଁ ଆଜି ଚାଷୀ ୮୦୦ ଟଙ୍କାରୁ ଅଧିକ ବିହନ ବିକ୍ରିରେ କ୍ଷତି ସହୁଛି । ଆମର ଦାବି ରହୁଛି ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ପାଳନ କରନ୍ତୁ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ଘୋଷଣା କରି ଚାଷୀଙ୍କୁ ପ୍ରଦାନ କରନ୍ତୁ । ସରକାର ବିନା କଟନି ଛଟନିରେ ଧାନ କିଣୁଛନ୍ତି ବୋଲି ସରକାର ଭୁଆଁ ବୁଲାଇ ମିଛ କହୁଥିବା ବେଳେ ପ୍ରାୟତଃ ସମସ୍ତ ମଣ୍ଡିରେ ଖୁଲମ୍‌ଖୁଲା ୨ କେଜିରୁ ୫ କେଜି ପର୍ଯ୍ୟନ୍ତ ଧାନ କାଟୁଛନ୍ତି । ଯଦ୍ୱାରା ଚାଷୀର କ୍ଷତି ହେଉଛି । ସରକାର ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ । ମିଲର୍‌ ଧାନ ସଂଗ୍ରହ କରିବା ପୂର୍ବରୁ ଚାଷୀଙ୍କୁ ଅଖା ବସ୍ତା ଯୋଗାଇ ନ ପାରିବାକୁ ଚାଷୀ ଜରି ବସ୍ତାରେ ଧାନ ସଂଗ୍ରହ କରି ରଖିଛି । କିନ୍ତୁ ବର୍ତ୍ତମାନ କିଛି ମଣ୍ଡିରୁ ଜରି ବସ୍ତାରେ ଧାନ ଉଠୁଥିବା ବେଳେ ଅଧେରୁ ଅଧିକ ମଣ୍ଡିରେ କରି ବସ୍ତାରେ ଧାନ ଗ୍ରହଣ କରିବାକୁ ମିଲର ଖୁଲମଖୁଲା ମନା କରିଦେଉଛନ୍ତି । ଏବଂ ଫଟା ଅଖା ବଣ୍ଡା ମିଲର ଯୋଗାଇଛନ୍ତି । ଯାହା ଦ୍ୱାରା ଚାଷୀ ପ୍ରତି କ୍ୱିଣ୍ଟାଲ୍‌ରେ ୩ ରୁ ୪ କେଜି ଧାନର କ୍ଷତି ସହୁଛି । ଏଣୁ କରି ବସ୍ତାରେ ଥିବା ଧାନ ମଧ୍ୟ ମିଲର ଗ୍ରହଣ କରିବାକୁ ଚାଷୀ ସଂଗଠନ ଦାବି କରୁଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଚାଷୀଙ୍କୁ କମ ପରିମାଣର ଟୋକନ ଦିଆଯାଉଛି । ଯଦ୍ଵାରା ଚାଷୀ ଆଦାୟ କରୁଛି ପାଖାପାଖୂ ୨୫ କ୍ୱିଣ୍ଟାଲ୍‌ ପ୍ରତି ଏକର । କିନ୍ତୁ ବିକ୍ରି କରିବା ପାଇଁ କେଉଁଠି ୧୩ କ୍ୱିଣ୍ଟାଲ୍‌ର ସୁଯୋଗ ରହିଥିବା ବେଳେ ଆଉ କେଉଁଠି ୧୯ କ୍ୱିଣ୍ଟାଲ୍‌ର ସୁଯୋଗ ରହିଛି । ଯାହା ଫଳରେ ପ୍ରତ୍ୟେକ ଚାଷୀଙ୍କର କ୍ଷତି ହୋଇ ଅଭାବି ବିକ୍ରିର ଶିକାର ହେଉଛି । ଏଣୁ ସରକାର ଚାଷୀମାନଙ୍କ ପାଖରେ ମହଯୁଦ ଥିବା ସମସ୍ତ ଧାନ କ୍ରୟ କରିବାର ବ୍ୟବସ୍ଥା କରନ୍ତୁ । ହାତୀ, ବାରାହା, ମାଙ୍କଡ ପ୍ରମୁଖ ଜଙ୍ଗଲ ଜୀବଜନ୍ତୁଙ୍କ ଯୋଗୁଁ ହେଉଥୁବା ଚାଷୀର କ୍ଷୟକ୍ଷତିର ଆକଳନ କରି ଚାଷୀକୁ ତାର ଉଚିତ କ୍ଷତି ପୂରଣ ଯୋଗାଇ ଦେବା ସଙ୍ଗେସଙ୍ଗେ ପ୍ରତିଷେଧକ ମୂଳକ ସୁରକ୍ଷାର ବ୍ୟବସ୍ଥା କରିବା ପାଇଁ କୋଶଲୀ କିଶାନ ସଭାର ଉପଦେଷ୍ଟା ତଥା ବରିଷ୍ଠ ଚାଷୀ ନେତା ଆକାଶ ମିଶ୍ର ଆଜିର ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ସରକାରଙ୍କ ପାଖରେ ଦାବି ଜଣାଇଛନ୍ତି ଓ ସରକାର ଅତିଶୀଘ୍ର ଏହି ସବୁ ସମସ୍ୟାର ସମାଧନ କରନ୍ତୁ ନଚେତ ସମସ୍ତ ଚାଷୀ ସଂଗଠନ ଓ ସମସ୍ତ ଚାଷୀମାନଙ୍କୁ ନେଇ ଆଗାମୀ ଦିନରେ ରାଜ୍ୟ ବ୍ୟାପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଆଜିର ସମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଯଦି କିଛି ଅଘଟଣ ଘଟେ ତାରି ପାଇଁ ସରକାର ଦାୟୀ ରହିବେ ବୋଲି ଚାଷୀ ନେତା ଶ୍ରୀ ମିଶ୍ର କହିଛନ୍ତି । କୋଶଲୀ କିଶାନ ସଭାର ସଭାପତି ପ୍ରସାନ୍ତ ଭୋଇ, କାର୍ଯ୍ୟକାରୀ ସଭାପତି କସ୍ତୁବ ସାହୁ, ବରିଷ୍ଠ ଚାଷୀ ରବିନ୍ଦ୍ର ମିଶ୍ର, ରାଧାକାନ୍ତ ନାୟକ, କଙ୍ଗାଲି ଚରଣ ସାହୁଙ୍କ ସମେତ ପ୍ରମୁଖ ଚାଷୀ ନେତାମାନେ ଆଜିର ଏହି ସମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଚାଷିର ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ କରିଥିଲେ ।

Leave A Reply

Your email address will not be published.