
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୭ ସ୍ଥିତ ରାୟମା କ୍ଲବରେ ଓରିଜିନାଲ ପାୱାର କ୍ଲବ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଓପନ ସୁନ୍ଦରଗଡ ମହିଳା ୱେଟଲିଫ୍ଟିଙ୍ଗ, ଡେଡଲିଫ୍ଟଙ୍ଗ ଓ ପାୱାରଲିଫ୍ଟିଙ୍ଗ ପ୍ରତିଯୋଗିତା ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ଐତିହାସିକ ପ୍ରତିଯୋଗିତାରେ ସୁନ୍ଦରଗଡ ଜିଲ୍ଲାର ୪୮ ଜଣ ବାଳିକା ଅଂଶଗ୍ରହଣ କରି ନିଜର ଶକ୍ତି ଓ ସାମର୍ଥ୍ୟର ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ରାଉରକେଲା ମାଟିରେ ମହିଳାଙ୍କ ପାଇଁ ଏଭଳି ପ୍ରତିଯୋଗିତା ପ୍ରଥମ ଥର ହୋଇଥିବାରୁ ଏହାକୁ ନେଇ ସହରରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ଯୋଗ ଦେଇଥିଲେ । ସେ କହିଥିଲେ ଯେ, ଏହି ଆୟୋଜନ ମହିଳା ସଶକ୍ତିକରଣ ଦିଗରେ ଏକ ବହୁତ ପ୍ରଶଂସନୀୟ ପଦକ୍ଷେପ । ମହିଳାମାନେ ଆଗକୁ ଆସିଲେ ସମାଜ ଆହୁରି ମଜବୁତ ହେବ । ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ଓ ମୋମେଣ୍ଟୋ ଦେଇ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ଓପି ସିଂହ କହିଥିଲେ, “ଆଜି ମହିଳାମାନେ ଘରୁ ବାହାରି ନିଜର ପରିଚୟ ସୃଷ୍ଟି କରୁଛନ୍ତି, ସେମାନଙ୍କ ଆତ୍ମବିଶ୍ୱାସ ବଢୁଛି, ଯାହା ପୁରା ଜିଲ୍ଲା ପାଇଁ ଗର୍ବର ବିଷୟ ।” ସମାରୋହରେ ସମ୍ମାନିତ ଅତିଥି ଭାବେ ତାରା ତିୱାରୀ, ବେଦ ପ୍ରକାଶ ତିୱାରୀ, ସୁରେଶ ଶର୍ମା, ଗ୍ରେସୀ ଡେଭିଡ, ପିଙ୍କୁ ଜୟସୱାଲ, କୃଷ୍ଣା ସାହୁ, ଦେବେନ୍ଦ୍ର ବାଗ, ଦିଲୀପ ସିଂହ ଗୁଡ୍ଡୁ ଓ ରବି ଶର୍ମା ଉପସ୍ଥିତ ଥିଲେ । ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଯୋଗ ଦେଇ ବିଜେତା ଓ ଅଂଶଗ୍ରହଣକାରୀ ବାଳିକାଙ୍କୁ ସାର୍ଟିଫିକେଟ ଓ ମୋମେଣ୍ଟୋ ଦେଇ ସମ୍ମାନିତ କରିଥିଲେ । ସେ ରାୟମା କ୍ଲବର ଭିତ୍ତିଭୂମିକୁ ଆହୁରି ଉନ୍ନତ କରିବା ପାଇଁ ଘୋଷଣା କରିଥିଲେ ଯାହା ଦ୍ୱାରା ବାଳିକାମାନେ ଭଲ ଭାବେ ଅଭ୍ୟାସ କରିପାରିବେ । ସେ ବାସୁ ବାନାର୍ଜୀ, ବିକ୍ରମ ସୱାଇ ଓ ଓରିଜିନାଲ ପାୱାର କ୍ଲବର ପ୍ରୟାସକୁ ପ୍ରଶଂସା କରିଥିଲେ । ପ୍ରତିଯୋଗିତା ରେଫରୀ ବିକ୍ରମ ସୱାଇ, ମୁକୁଲ ଶର୍ମା ଓ ଶିବ ରାମ ପଣ୍ଡାଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା । ଏହାକୁ ସଫଳ କରିବାରେ ଏମ୍ଏନ୍ ଅଳଙ୍କାର, ରିଙ୍କୁ ସମ୍ବଲପୁରୀ ଶାଢୀ, ଡିଆର୍ପି ଫ୍ୟାନ୍ସ, ଉତ୍ତର ଭାରତୀୟ ସମନ୍ୱୟ ସମିତି ଓ ଓରିଜିନାଲ ପାୱାର କ୍ଲବର ଓପି ସିଂହ, ରିଷି ସେବକ, ହରିଶଙ୍କର ସାହା, ମନୀଷ ତିୱାରୀ, ରିଙ୍କୁ ଅଗ୍ରୱାଲ, ରାହୁଲ ପ୍ରସାଦ, ସତ୍ୟବାନ ସାହୁଙ୍କ ବିଶେଷ ସହଯୋଗ ରହିଥିଲା ।