
- ଜଗନ୍ନାଥ ଧରୁଆଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ, ଉଚ୍ଚସ୍ତରୀୟ ତଦନ୍ତ, ଅନ୍ୱେଷା ଯୋଜନା ପୁନଃଚାଲୁ ଓ ଏମ୍ଏମ୍ଡିଆର୍ ଆଇନ ପ୍ରତ୍ୟାହାର ଦାବି ।
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତୁରେକେଲା ବ୍ଲକ ଆନୁକୂଲ୍ୟରେ ତହସିଲଦାର କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଆଦିବାସୀମାନଙ୍କ ଚଉଦ ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ତହସିଲଦାରଙ୍କ ଜରିଆରେ ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା । ଦାବିଗୁଡିକ ମଧ୍ୟରେ କଣ୍ଟାବାଞ୍ଜି ଅନ୍ୱେଷା ଯୋଜନାରେ ଆବାସିକ ସୁବିଧା ସହିତ ଜେ. ଏମ୍. ଏମ୍. ପ୍ରାଇଭେଟ୍ ଇଂଲିଶ୍ ମିଡିୟମ୍ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଆଦିବାସୀ ଛାତ୍ର ଜଗନ୍ନାଥ ଧରୁଆଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ଉଚ୍ଚସ୍ତରୀୟ ତଦନ୍ତ ଏବଂ ଦାୟୀ ବ୍ୟକ୍ତି ଓ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଆଦିବାସୀ ବିରୋଧୀ ଖଣି ଏବଂ ଖଣିଜ ସମ୍ପଦ, ବିକାଶ ଏବଂ ନିୟନ୍ତ୍ରଣ ଆଇନ (ଏମ୍ଏମ୍ଡିଆର୍ ଆଇନ) ପ୍ରତ୍ୟାହାର କରାଯାଉ । କାରଣ ଏହି ଆଇନ ହେଲେ ଆଦିବାସୀ ମାନେ ଜମି, ଜଙ୍ଗଲ, ପାହାଡ଼, ପର୍ବତ, ନଦୀ ନାଳ ଖଣିଜ ସମ୍ପଦ ସର୍ବସ୍ୱ ହରାଇବେ, ଓଡିଶା ସରକାର ବର୍ଷକୁ ୧୫ କୋଟି ଖଣି ଟେକ୍ସ, ରୟାଲଟି କ୍ଷତି ସହିବେ, ରାଜସ୍ୱ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଆଦିବାସୀ ଜମିର ବିକ୍ରି, ବନ୍ଧକି ଆଦି ବେଆଇନ ହସ୍ତାନ୍ତର ବନ୍ଦ କରିବା, ପେସା ଆଇନର ପୂର୍ଣ୍ଣ କାର୍ଯ୍ୟକାରିତା, ୨୦୨୭ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କ ନ୍ୟାୟସଙ୍ଗତ ସଂରକ୍ଷଣ, ଅନ୍ୱେଷା ଯୋଜନାରେ ନୂତନ ନାମଲେଖା ପୁନଃଆରମ୍ଭ, ଆଦିବାସୀ ଚାଷୀ ଓ ଉଦ୍ୟୋଗୀଙ୍କୁ ଋଣ ରିହାତି, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଚିନି, ପିଆଜ, ତେଲ ଲୁଣ ପେଟ୍ରୋଲ ଡିଜେଲ ଗ୍ୟାସର ଦରଦାମ ହ୍ରାସ କରିବା, ବଲାଙ୍ଗିରରେ ସ୍ୱତନ୍ତ୍ର ଏସ୍ଟି ଏସ୍ସି କୋର୍ଟ ନିର୍ମାଣ ପାଇଁ ୨୦୧୫ ରୁ ୨ କୋଟି ଟଙ୍କା ଆସିଛି ତେଣୁ ତୁରନ୍ତ ଫାଷ୍ଟ ଟ୍ରାକ କୋର୍ଟ ନିର୍ମାଣ, ଆଦିବାସୀ ଅଞ୍ଚଳରେ ନିଯୁକ୍ତିରେ ଅଗ୍ରାଧିକାର ଏବଂ ଖଣି ପ୍ରଭାବିତ ଅଞ୍ଚଳର ଜମି–ଜଳ–ଜଙ୍ଗଲ ଓ ଜୀବନଜୀବିକା ସୁରକ୍ଷାକୁ ମୁଖ୍ୟ ଦାବି ଭାବେ ଉଠାଯାଇଛି । ଏହି ଦାବିଗୁଡ଼ିକର ସମର୍ଥନରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ଉପସଭାପତି ଭାନୁ ପ୍ରତାପ ସିଂ ମାଝି, ବିଶିଷ୍ଟ ଆଦିବାସୀ ନାରୀନେତ୍ରୀ ଶ୍ରୀମତୀ ମିଥିଲା ମାଝି, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ତୁରେକେଲା ବ୍ଲକ ସଭାପତି ଚୌବନ କିଶୋର ମାଝି, ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ମନରଞ୍ଜନ ଭୋଇ, ମୁରିବାହାଲ ବ୍ଲକ ସଭାପତି ରାଜୀବ କୁଅଁର, ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ସଂଗଠନ ସମ୍ପାଦକ ଥବିର ପୁଝାରୀ, ଟିଟିଲାଗଡ଼ ନଗର ସଭାପତି ନିତ୍ୟାନନ୍ଦ ମାଝି, କଣ୍ଟାବାଞ୍ଜି ନଗର ସଭାପତି ରାମ ଶବରଙ୍କ ସମେତ ବହୁ ଆଦିବାସୀ ନେତା ଓ କର୍ମକର୍ତ୍ତା ସାମିଲ ହେବେ । ଅନ୍ୟମାନଙ୍କ ମଧ୍ୟରେ ଅମର ସିଂ ମାଝି, ଲୟକର ଛତ୍ରିଆ, ମୁକେଶ ଭୋଇ, ଈଶ୍ୱର ନାଏକ, ଶ୍ରୀମତୀ ପତ୍ରଙ୍ଗି ମାଝି, ଶ୍ରୀମତୀ ଲକ୍ଷ୍ମୀ ମାଝି, ଶ୍ରୀମତୀ ଖେଳନ୍ତି ସମରଥ, ଶ୍ରୀମତୀ ଭୂମିସୁତା ସମରଥ, ଶ୍ରୀମତୀ ସୁରେଶ୍ୱରୀ ଯାନୀ, ଆଦିବାସୀ ନେତା ଅଚ୍ୟୁତ ଭୋଇ, ବସନ୍ତ ଭୋଇ, ମଧୁସୂଦନ ଜାନି, ଲିଙ୍ଗ ମାଝି, କ୍ଷେତ୍ର ମାଝି, ମହାଦେବ ଭୋଇ, ଲିଙ୍ଗରାଜ ଧରୁଆ ଓ କୁଶ ମାଝି ପ୍ରମୁଖ ଯୋଗଦେବେ । ଆଦିବାସୀ ସମାଜର ସାମ୍ବିଧାନିକ ଅଧିକାର, ଜମି–ଜଙ୍ଗଲ–ଜଳ, ସଂସ୍କୃତି, ଶିକ୍ଷା ଓ ଜୀବିକା ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦାବିଗୁଡ଼ିକ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ନେତୃବୃନ୍ଦ ଦାବି କରିଛନ୍ତି ।