jayashree

ପଦ୍ମପୁର ପୁରୁଣା ବସ୍ତି ମୁଖ୍ୟରାସ୍ତା ନିର୍ମାଣ ପାଇଁ କୋଟିଏ ଟଙ୍କା ବିନିଯୋଗ ପାଇଁ ଦାବି

  • ଥାନା ଛକରୁ ବୋଡାସମ୍ବର ଛକ ପର୍ଯ୍ୟନ୍ତ ପୁରୁଣା ବସ୍ତି ରାସ୍ତା ମରାମତି ପାଇଁ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ଦାବି ଜଣାଇଲେ କାଉନସିଲ୍ ଇଂ. କୁନାଲ ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ମୁଖ୍ୟ ଅଞ୍ଚଳରେ ଥାଇ ମଧ୍ୟ ବିକାଶରୁ ବଞ୍ଚିତ ପୁରୁଣା ବସ୍ତିର ମୁଖ୍ୟରାସ୍ତା । ପ୍ରତିଦିନ ଶହ ଶହ ଲୋକଙ୍କ ଯାତାୟାତର ମୁଖ୍ୟ ମାଧ୍ୟମ ହୋଇଥିବା ଏହି ରାସ୍ତା ଏବେ ଖାଲଖମାରେ ଭର୍ତ୍ତି । ବିଦ୍ୟାଳୟ, କଲେଜ, ବଜାର, ଚିକିତ୍ସାଳୟ ଠାରୁ ଆରମ୍ଭ କରି ଥାନାକୁ ଯିବା ପାଇଁ ମଧ୍ୟ ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ପ୍ରାୟ ୧୫ ବର୍ଷ ହେଲା ଏହି ରାସ୍ତାର ଶେଷଥର ପାଇଁ ନିର୍ମାଣ କାର୍ଯ୍ୟ ହୋଇଥିଲା । ଏହାପରେ ରାସ୍ତାର ନିୟମିତ ମରାମତି ନହେବାରୁ ଦିନକୁ ଦିନ ରାସ୍ତାର ଅବସ୍ଥା ଖରାପ ହୋଇଚାଲିଛି । ଏହାରି ମଧ୍ୟରେ ରାସ୍ତା ଉପରେ ଭାରୀଯାନ ଚଳାଚଳକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । କିଛି ମାସ ପୂର୍ବରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଭାରୀଯାନ ଚଳାଚଳ ଉପରେ ରୋକ୍ ଲଗାଯାଇଥିଲେ ମଧ୍ୟ ତାହାର କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି । ଫଳରେ ପ୍ରତିଦିନ ୧୦ ଓ ୧୨ ଚକିଆ ଭାରୀଯାନ ଏହି ରାସ୍ତାରେ ଯାତାୟାତ କରୁଛି । ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତାର ବିଭିନ୍ନ ସ୍ଥାନ ଭାଙ୍ଗିଯିବା ସହ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି । ବର୍ଷା ହେଲେ ଏହି ଗାତଗୁଡ଼ିକରେ ପାଣି ଜମି ରହୁଛି । ଏପରିକି ନର୍ଦ୍ଦମା ପାଣି ମଧ୍ୟ ରାସ୍ତା ଉପରେ ବୋହିବା ଫଳରେ ଯାତାୟାତ ଆହୁରି ବିପଦଜନକ ହୋଇପଡ଼ୁଛି । ଦୁର୍ଘଟଣାର ଆଶଙ୍କା ମଧ୍ୟ ଲାଗିରହିଛି । ତେବେ ଏହି ରାସ୍ତାର ନିର୍ମାଣ ପାଇଁ ପୂର୍ବରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଣ୍ଠିରୁ ୬୦ ଲକ୍ଷ ଟଙ୍କା ପଦ୍ମପୁର ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ରାସ୍ତା ନିର୍ମାଣ ପାଇଁ ଏହି ଅର୍ଥ ପର୍ଯ୍ୟାପ୍ତ ନଥିବାରୁ ଆହୁରି ପ୍ରାୟ ୧ କୋଟି ଟଙ୍କା ଆବଶ୍ୟକ ଥିବା ସୂଚନା ମିଳିଛି । ଅନ୍ୟପଟେ ଚଳିତ ବର୍ଷ ଖଜଣା ଆଦାୟରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ସ୍ୱାୟତ୍ତ ଶାସନ ଦିବସ ଅବସରରେ ୨ କୋଟି ଟଙ୍କା ପୁରସ୍କାର ପାଇଛି । ତେଣୁ ଲୋକଙ୍କ ଠାରୁ ଆଦାୟ ହୋଇଥିବା ଟିକସରୁ ମିଳିଥିବା ଏହି ପୁରସ୍କାର ରାଶିରୁ ଅନ୍ତତଃ ଏକ କୋଟି ଟଙ୍କା ପୁରୁଣା ବସ୍ତିର ରାସ୍ତା ନିର୍ମାଣରେ ବିନିଯୋଗ କରାଯାଉ ବୋଲି ଦାବି ଉଠିଛି । ଏନେଇ କାଉନସିଲର ଇଞ୍ଜିନିୟର କୁନାଲ ପାଣିଗ୍ରାହୀ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି । କୁନାଲ ପାଣିଗ୍ରାହୀଙ୍କ କହିବା ଅନୁସାରେ, ଲୋକେ ନିଜ କଷ୍ଟାର୍ଜିତ ଟଙ୍କାରୁ ଟ୍ୟାକ୍ସ ଦେଉଛନ୍ତି । ସେହି ଟଙ୍କାରୁ ପରିଷଦକୁ ମିଳିଥିବା ପୁରସ୍କାରର ଏକ ଅଂଶ ଯଦି ଲୋକଙ୍କ ମୌଳିକ ସମସ୍ୟା ସମାଧାନରେ ଖର୍ଚ୍ଚ ହୁଏ, ତାହା ହିଁ ପୁରସ୍କାରର ପ୍ରକୃତ ସାର୍ଥକତା । ଦୀର୍ଘ ୧୫ ବର୍ଷ ଧରି ଅବହେଳିତ ହୋଇଥିବା ଏହି ରାସ୍ତାର ଶୀଘ୍ର ମରାମତି କରାଯାଇ ଲୋକଙ୍କ ଦୈନନ୍ଦିନ ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ ବୋଲି ଦାବି ହୋଇଛି । ଏବେ ପୁରୁଣା ବସ୍ତିବାସୀଙ୍କ ଅପେକ୍ଷା—କେବେ ପ୍ରଶାସନର ଦୃଷ୍ଟି ପଡ଼ିବ ଏହି ଜରାଜୀର୍ଣ୍ଣ ରାସ୍ତା ଉପରେ, ଆଉ କେବେ ମିଳିବ ଖାଲଖମାରୁ ମୁକ୍ତି ।

Leave A Reply

Your email address will not be published.