
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ପଦ୍ମପୁରର ୱାର୍ଡ଼ ନମ୍ବର -୦୨ର କାଉନସିଲର ତଥା ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ କୁନାଲ ପାଣିଗ୍ରାହୀ, ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ଜିଲ୍ଲା ଉପ-ସଭାପତି ମଣ୍ଟୁ ପାଣ୍ଡେ, ସଂଯୋଜକ ଲକ୍ଷ୍ମୀକାନ୍ତ ବରିହା ସାକ୍ଷାତ କରି ପଦ୍ମପୁର ଅଞ୍ଚଳର ସ୍ୱାସ୍ଥ୍ୟସେବା ସମେତ ପଦ୍ମପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପଦ୍ମପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଆବଶ୍ୟକତା ଅନୁଯାୟୀ ଡାକ୍ତର ଓ ନର୍ସଙ୍କ ସଂଖ୍ୟା କମ୍ ଥିବାରୁ ସାଧାରଣ ରୋଗୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବିଷୟ ମନ୍ତ୍ରୀଙ୍କ ଦୃଷ୍ଟିକୁ ଅଣାଯାଇଥିଲା । ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି କରାଯିବା ସହିତ ଡାକ୍ତରଖାନାର ବିଭିନ୍ନ ଭିତ୍ତିଭୂମିଗତ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଥିଲା । ଏହି ଅବସରରେ ପଦ୍ମପୁରରେ ଏକ ଅତ୍ୟାଧୁନିକ ୧୦୦ ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନା ନିର୍ମାଣ କରାଯିବା ପାଇଁ ପ୍ରମୁଖ ଦାବି ଉପସ୍ଥାପନ କରାଯାଇଥିଲା । ଏହା ସହ ପଦ୍ମପୁରରେ ଏକ ସରକାରୀ ନର୍ସିଂ ଓ ଏଏନ୍ଏମ୍ କଲେଜ ସ୍ଥାପନ କରାଯିବା ପାଇଁ ମଧ୍ୟ ଦାବି ରଖାଯାଇଥିଲା । ପଦ୍ମପୁର ଅଞ୍ଚଳର ସ୍ୱାସ୍ଥ୍ୟସେବାକୁ କିପରି ଅଧିକ ସୁଦୃଢ଼ ଓ ଉନ୍ନତ କରାଯାଇପାରିବ, ଗରିବ ଓ ସାଧାରଣ ଲୋକମାନେ କିପରି ସୁବିଧାଜନକ ଭାବରେ ଉତ୍ତମ ଚିକିତ୍ସା ସେବା ପାଇପାରିବେ, ସେ ସମ୍ପର୍କରେ ମଧ୍ୟ ମାନନୀୟ ମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା । ଏହା ସହ ପଦ୍ମପୁର ଅଞ୍ଚଳର ଅନ୍ୟାନ୍ୟ ଜନ ସାଧାରଣଙ୍କ ସମସ୍ୟା ଓ ବିକାଶମୂଳକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ପରିଶେଷରେ ପଦ୍ମପୁରର ସ୍ୱାସ୍ଥ୍ୟସେବାର ସାମଗ୍ରୀକ ଉନ୍ନତି ପାଇଁ ଏକ ଦାବିପତ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କୁ ପ୍ରଦାନ କରାଯାଇଥିଲା । ପଦ୍ମପୁରରେ ଏକ ଆଧୁନିକ ଡାକ୍ତରଖାନା ଏବଂ ସରକାରୀ ନର୍ସିଂ ଓ ଏଏନ୍ଏମ୍ କଲେଜ ସ୍ଥାପନ ହେଲେ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟସେବାରେ ଏକ ନୂତନ ଦିଗ ସୃଷ୍ଟି ହେବା ସହିତ ସ୍ଥାନୀୟ ଛାତ୍ରଛାତ୍ରୀ ମାନେ ମଧ୍ୟ ନର୍ସିଂ ଶିକ୍ଷା କ୍ଷେତ୍ରରେ ଅଧିକ ସୁଯୋଗ ପାଇପାରିବେ ବୋଲି ଆଶା ପ୍ରକାଶ କରାଯାଇଛି ।