
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ପକ୍ଷରୁ ଏଡ୍ସ ନିୟନ୍ତ୍ରଣ ସମିତିର ସହଯୋଗରେ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. କୌତୁକ ପନ୍ଦରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ ସଂଚାଳନ କରିଥିଲେ ଓଡ଼ିଆ ବିଭାଗର ମୁଖ୍ୟ ସହକାରୀ ପ୍ରଫେସର ଶ୍ରୀକାନ୍ତ କୁମାର ବାରିକ । ଏହି ଅବସରରେ ସଚେତନ ବାର୍ତ୍ତା ଦେଇ ଅଧ୍ୟକ୍ଷ କହିଛନ୍ତି । “ଏଡ୍ସ କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ, ଏହା ସହ ଜଡ଼ିତ ଭ୍ରାନ୍ତ ଧାରଣା ଓ ସାମାଜିକ ଅବହେଳା ମଧ୍ୟ ଏକ ବଡ଼ ଆହ୍ୱାନ । ଏଡ୍ସ ସମ୍ପର୍କରେ ସଠିକ୍ ତଥ୍ୟ ଜାଣିବା, ଅନ୍ୟମାନଙ୍କୁ ସଚେତନ କରିବା ଏବଂ ବିଭିନ୍ନ ଭୁଲ ଧାରଣା ଦୂର କରିବା ଆମ ସମସ୍ତଙ୍କ ଦାୟିତ୍ୱ । ବିଶେଷକରି ଯୁବପିଢ଼ି ସଚେତନ ହେଲେ ଏକ ସୁସ୍ଥ ଓ ସୁରକ୍ଷିତ ସମାଜ ଗଠନ ସମ୍ଭବ । ଆସନ୍ତୁ, ଆମେ ସମସ୍ତେ ମିଶି ଏଡ୍ସ ବିରୋଧରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ଏବଂ ଏଡ୍ସ ସହିତ ବଞ୍ଚୁଥିବା ବ୍ୟକ୍ତିଙ୍କ ପ୍ରତି ସମ୍ମାନ, ସହାନୁଭୂତି ଓ ସହଯୋଗର ମନୋଭାବ ରଖିବା ।” ଏଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସଭାପତି ମହୋଦୟ ଉପସ୍ଥିତ ରହି ଏଡ୍ସର କାରଣ, ନିରାକରଣ, ପ୍ରତିରୋଧ ଓ ସଚେତନତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ଜାତୀୟ ସେବା ଯୋଜନା ଅଧିକାରୀ ଡଃ. ରମଣୀ ନାଏକ, ଯୁବ ରେଡକ୍ରସ୍ ଅଧିକାରୀ ବନ୍ଦନା ବାର, ବିଭିନ୍ନ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହିବା ସହିତ ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଛନ୍ତି ।