ଶୂନ୍ୟ ପକ୍ଷପାତିତା ଓ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ

  • ୧୦- ବଲାଙ୍ଗିର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇ.ଏ.ଏସ୍‌ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପରିଚାଳନା ଓ ସମ୍ବେଦନଶୀଳ ବୁଥ୍‌ର ସମୀକ୍ଷା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୧୦- ବଲାଙ୍ଗିର ଲୋକସଭା ସଂସଦ ଏବଂ ୬୪- ବୀରମହାରାଜପୁର ଓ ୬୫- ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନ ପରିଚାଳନାକୁ ନିରପେକ୍ଷ, ସ୍ୱଚ୍ଛ ଓ ବ୍ୟବସ୍ଥିତ ଭାବେ ସମାହିତ କରିବା ପାଇଁ ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇଏଏସ୍‌ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ସାମଗ୍ରିକ ନିର୍ବାଚନ ପରିଚାଳନା ତଥା ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥ୍ ଗୁଡିକର ପରିଚାଳନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପର୍ଯ୍ୟବେକ୍ଷକ ଜିଲ୍ଲା ପାଇଁ ନିୟୋଜିତ ବିଭିନ୍ନ କମିଟିର ନୋଡାଲ୍‌ ଅଧିକାରୀ ତଥା ସଦସ୍ୟ, ସଦସ୍ୟାଙ୍କ ସହ ଆଗାମୀ ନିର୍ବାଚନ ପରିଚାଳନା ଉପରେ ବିସ୍ତୃତ ଆଲୋଚନା କରିବା ସହ ବିଶେଷତଃ ସ୍ପର୍ଶକାତର ବୁଥ୍ ପରିଚାଳନା ସହ ମତଦାନ ଓ ମତଦାତାର ନିରାପତ୍ତା ଉପରେ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନ୍ୟା ଦାସ ଜିଲ୍ଲାରେ ନିର୍ବାଚନ ସୁପରିଚାଳନା ନିମନ୍ତେ ନିଆଯାଇଥିବା ପ୍ରସ୍ତୁତି ଉପରେ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଇଥିଲେ । ବୈଠକରେ ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀମଲ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ସମାପନ ନିମନ୍ତେ ବିଭିନ୍ନ ମୋବାଇଲ୍ ପାର୍ଟିଙ୍କ ଦାୟିତ୍ଵ ବଣ୍ଟନ ଏବଂ ସ୍ପର୍ଶକାତର ବୁଥ୍ ପରିଚାଳନା ପାଇଁ ନିଆଯାଇଥିବା ବ୍ୟବସ୍ଥା ଉପରେ ପାୱାର ପଏଣ୍ଟ ମାଧ୍ୟମରେ ଅବଗତ କରାଇଥିଲେ । ଜିଲ୍ଲାର ଉତ୍ତେଜନା ପ୍ରବଣ ଅଞ୍ଚଳରେ କେନ୍ଦ୍ରୀୟ ପୋଲିସ ବଳର ଫ୍ଳାଗ୍ ମାର୍ଚ୍ଚ ସମ୍ବନ୍ଧରେ ସୂଚନା ଦେବା ସହିତ ଯେକୌଣସି ପ୍ରତିକୂଳ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଜିଲ୍ଲା ପୋଲିସ ନିୟନ୍ତ୍ରଣ କରିବାକୁ ସକ୍ଷମ ବୋଲି ଜଣାଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ନିର୍ବାଚନର ବିଭିନ୍ନ ବିଭାଗର ଦାୟିତ୍ୱରେ ଥିବା ନୋଡାଲ୍‌ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ସମ୍ପୃକ୍ତ ବିଭାଗ କାର୍ଯ୍ୟକାରିତାର ତଥ୍ୟ ଉପସ୍ଥାପନ କରିଥିଲେ । ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ନିର୍ବାଚନ ପରିଚାଳନାରେ ସମ୍ପୃକ୍ତ ପୋଲିସ, ଅବକାରୀ, ଆୟକର, ବିକ୍ରିକର, ଇତ୍ୟାଦି ବିଭାଗର ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ । ଅବକାରୀ ବିଭାଗ ଜିଲ୍ଲାର ସମସ୍ତ ଦେଶୀ ମଦଭାଟି ଏବଂ ବିଦେଶୀ ମଦଦୋକାନ ଉପରେ ତୀକ୍ଷ୍ଣ ନଜର ରଖି ଏହାର ବେନିୟମ ଏବଂ ସମୟ ବାହାରେ ବିକ୍ରି ଉପରେ କଟକଣା ଲଗାଇବା ପାଇଁ କହିଥିଲେ । ଖର୍ଚ୍ଚ ପରିଚାଳନା କମିଟି ସଦସ୍ୟ ତଥା ଅଧିକାରୀ ମାନଙ୍କୁ ପ୍ରାର୍ଥୀଙ୍କ ଖର୍ଚ୍ଚ ହିସାବ କଡ଼ାକଡ଼ି କରିବା ସହ ଶୂନ୍ୟ ପକ୍ଷପାତିତାରେ ନିର୍ବାଚନ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନରେ ନିଶା କାରବାର ଓ ଟଙ୍କାର ବେଆଇନ୍‌ ବ୍ୟବହାର ରୋକିବାକୁ ବିଭିନ୍ନ ସ୍ଥାନରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବେରିକେଡିଂ କରି ମିଳିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇ ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହା ସହ ପର୍ଯ୍ୟବେକ୍ଷକ ନିର୍ବାଚନ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରିତା, ସି-ଭିଜିଲ୍‌ ଉପଯୋଗ, ଆଇନ୍ ଶୃଙ୍ଖଳା ଓ ସାମଗ୍ରିକ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବିଭିନ୍ନ ଅଧିକାରୀ ମାନଙ୍କୁ ଉତ୍ସର୍ଗୀକୃତ ଭାବରେ କାମକରି ଜିଲ୍ଲାରେ ସଫଳ ନିର୍ବାଚନ କରିବା ପାଇଁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.