jayashree

ଗୋପବନ୍ଧୁ ପାଠାଗାରରେ ଗୁରୁ ଦିବସ ପାଳିତ

  • ସମାଜରେ ଶିକ୍ଷକଙ୍କ ପ୍ରାସଙ୍ଗିକତା ସର୍ବଦା ଅପରିବର୍ତ୍ତନୀୟ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ସଂସ୍କୃତିରେ ଗୁରୁଙ୍କ ସ୍ଥାନ ସର୍ବୋଚ୍ଚ । ଆମ ଶାସ୍ତ୍ରରେ କୁହାଯାଇଛି—

‘ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣୁଃ ଗୁରୁର୍ଦେବୋ ମହେଶ୍ୱରଃ ।
ଗୁରୁଃ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀଗୁରବେ ନମଃ ।’
​ଗୁରୁ କେବଳ ପୁସ୍ତକଗତ ଜ୍ଞାନ ଦିଅନ୍ତି ନାହିଁ, ସେ ଜୀବନ ଜିଇଁବାର କଳା ଶିଖାନ୍ତି । ଅଜ୍ଞାନତାର ଅନ୍ଧକାରକୁ ଦୂର କରି ଆଲୋକର ମାର୍ଗ ଦେଖାଉଥିବା ବ୍ୟକ୍ତି ହିଁ ପ୍ରକୃତ ଗୁରୁ । କୁମ୍ଭାର ଯେପରି କଞ୍ଚା ମାଟିକୁ ଗଢ଼ି ଏକ ସୁନ୍ଦର ପାତ୍ରର ରୂପ ଦିଏ, ଶିକ୍ଷକ ସେହିପରି ପ୍ରତ୍ୟେକ ଶିଶୁର କଞ୍ଚା ମନକୁ ସଂସ୍କାର, ମୂଲ୍ୟବୋଧ ଏବଂ ଶୃଙ୍ଖଳାରେ ଗଢ଼ି ଏକ ଆଦର୍ଶ ନାଗରିକ ଭାବେ ପ୍ରସ୍ତୁତ କରନ୍ତି । ଚରିତ୍ର ଗଠନ, ସମବେଦନା, ଦେଶପ୍ରେମ ଏବଂ ସାମାଜିକ ଦାୟିତ୍ୱବୋଧର ଶିକ୍ଷା କେବଳ ଜଣେ ଉପଯୁକ୍ତ ଗୁରୁଙ୍କ ଦ୍ବାରା ହିଁ ସମ୍ଭବ । ତେଣୁ ସମାଜରେ ଶିକ୍ଷକଙ୍କ ପ୍ରାସଙ୍ଗିକତା ସର୍ବଦା ଅପରିବର୍ତ୍ତନୀୟ । ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଗୁରୁ ଦିବସ ତଥା ଅଜିତ ଦାସ ସ୍ମୃତି ସାରସ୍ଵତ ସମାରୋହ ପାଳନ ଅବସରରେ ଅତିଥିମାନେ ଯୋଗଦେଇ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ । ସଭାପତି ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଏବଂ କୋଷାଧ୍ୟକ୍ଷ ଲକ୍ଷ୍ମଣ ନାଥ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସମାରୋହକୁ ଅତିଥିମାନେ ସର୍ବପଲ୍ଲୀ ରାଧାକୃଷ୍ଣନ ଏବଂ ସ୍ଵର୍ଗତ ଅଜିତ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ସଭାପତିଙ୍କ ସ୍ୱାଗତ ଅଭିଭାଷଣ ପରେ ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ଅନିଲ କୁମାର ଦାଶ ଅତିଥି ପରିଚୟ ପ୍ରଦାନ ସହ ପାଠାଗାରର ପ୍ରତିଷ୍ଠାତା ସ୍ୱର୍ଗତ ଅଜିତ ଦାସଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଚଳିତ ବର୍ଷ ପାଇଁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପତିଙ୍କୁ ‘ଅଜିତ ଦାସ ସ୍ମୃତି ସାରସ୍ଵତ ସମ୍ମାନ’ରେ ପୁଷ୍ପଗୁଚ୍ଛ, ମାନପତ୍ର, ସ୍ମୃତିଫଳକ ତଥା ଉତ୍ତରୀୟ ପ୍ରଭୃତି ପ୍ରଦାନ ପୂର୍ବକ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଲକ୍ଷ୍ମଣ ନାଥ ଦାସ ମାନପତ୍ର ପାଠ କରିଥିଲେ । ​ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ରାଉରକେଲାର ଏକମାତ୍ର ସାହିତ୍ୟ ଅନୁଷ୍ଠାନ ଭାବେ ଗୋପବନ୍ଧୁ ପାଠାଗାର ପବିତ୍ର ଗୁରୁ ଦିବସ ପାଳନର ପରମ୍ପରା ସୃଷ୍ଟି କରିଥିବାରୁ କର୍ମକର୍ତ୍ତାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ପାଠାଗାରର ସର୍ବାଙ୍ଗୀନ ଉନ୍ନତି ପାଇଁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶଲ୍ୟ ଚିକିତ୍ସକ ତଥା ଶାସ୍ତ୍ରଜ୍ଞ ଡା. ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଯୋଗଦେଇ ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ତଥା ବେଦ, ବେଦାନ୍ତ ଓ ଶାସ୍ତ୍ର-ପୁରାଣ ଆଧାରିତ ଭାବଗର୍ଭକ ତାତ୍ତ୍ୱିକ ଅଭିଭାଷଣ ପ୍ରଦାନ କରି ଶ୍ରୋତାମାନଙ୍କୁ ବିମୁଗ୍ଧ କରିଥିଲେ । ​ସମ୍ମାନିତ ଅତିଥି ଭାବେ ବେଦବ୍ୟାସ ମହାବିଦ୍ୟାଳୟର ସେବାନିବୃତ୍ତ ଅଧ୍ୟକ୍ଷ ଡ. ଆଶୁତୋଷ ମହାପାତ୍ର ଗୁରୁ ଦିବସର ତାତ୍ପର୍ଯ୍ୟ ବ୍ୟାଖ୍ୟା କରିବା ସହ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନ ଦର୍ଶନ ସମ୍ପର୍କରେ ଆଲୋଚନା କରି କହିଲେ ଯେ, ସେ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଶିକ୍ଷାର ସମନ୍ୱୟ ସାଧନ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତର ରଖି ଶ୍ରୀ ପତି ସାମ୍ପ୍ରତିକ ଶିକ୍ଷାବ୍ୟବସ୍ଥାର ତ୍ରୁଟିବିଚ୍ୟୁତି ଏବଂ ଶିକ୍ଷକମାନଙ୍କର ନ୍ୟାଯ୍ୟ ଦାବି ସମ୍ପର୍କରେ ଧ୍ୟାନ ଆକର୍ଷଣ କରିଥିଲେ । ପରିଶେଷରେ ପାଠାଗାର ସମ୍ପାଦକ ବିଶ୍ଵନାଥ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ସ୍ୱର୍ଗତ ଅଜିତ ଦାସଙ୍କ ଜ୍ୟେଷ୍ଠ ପୁତ୍ର ରଞ୍ଜିତ ଦାସଙ୍କ ଅକାଳ ବିୟୋଗ ଯୋଗୁଁ ତାଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟ ନାରାୟଣ ପଣ୍ଡା, ଅଜିତ ବାରୱା, ରମେଶ ଚନ୍ଦ୍ର ସିଂହ, ଉମେଶ ଚନ୍ଦ୍ର ଜେନା ଏବଂ ଚିନ୍ମୟୀ ପୁରୋହିତ ପ୍ରମୁଖ ସହାୟତା କରିଥିବା ବେଳେ ଶ୍ରୀମତୀ ଶର୍ମିଷ୍ଠା କବି ଶତପଥୀ, ସସ୍ମିତା ପ୍ରଧାନ, ଅଞ୍ଜୁ ବାରିକ, ମଞ୍ଜୁ ବାରିକ, ଭାରତୀ ନାୟକ, ଅଭୟ କୁମାର ଦାସ, ରାଜୀବ ପାଣି, କିଶୋରୀ ମୋହନ କର, ନୃସିଂହ ଚରଣ ବିଶ୍ୱାଳ, ଡ . ଶକ୍ତି ପ୍ରସାଦ ସାମନ୍ତରାୟ, ନିର୍ମଳ ଚନ୍ଦ୍ର ଆଚାର୍ଯ୍ୟ, ସୁବାସ ଚନ୍ଦ୍ର ମହାପାତ୍ର, ଜୟନ୍ତ କୁମାର ମିଶ୍ର, ରବୀନ୍ଦ୍ର କୁମାର ପଣ୍ଡା, ଶ୍ରୀନିବାସ ରାୟ, ଭୀମସେନ ସାହୁ, ସୁଦର୍ଶନ ସାହୁ, ବିଶ୍ୱନାଥ ସାହୁ, ସୁଖବିନ୍ଦର ସିଂହ, ପି.କେ. ମହାନ୍ତି , ଆନନ୍ଦ ଚନ୍ଦ୍ର ସାମଲ, ହରିଶ୍ଚନ୍ଦ୍ର ଭୂମିଜ, ହୃଷୀକେଶ ନାୟକ, ରମେଶ ଚନ୍ଦ୍ର ଶତପଥୀ, ରାଧାମୋହନ ନାୟକ, ଅଜୟ କୁମାର ମହାନ୍ତି, ଅରବିନ୍ଦ ପାତ୍ର, ସୁନୀଲ କୁମାର ମହାନ୍ତି, ରବୀନ୍ଦ୍ର ନାଥ ସାହୁ, କୈଳାସ ଚନ୍ଦ୍ର ସାମଲ, ସୁରେନ୍ଦ୍ର କୁମାର ପଣ୍ଡା, ଅଶୋକ କୁମାର ଶୁକ୍ଳ, ପ୍ରବୋଧ ଚନ୍ଦ୍ର ଜେନା, ବିଜୟ କୁମାର ସାହୁ, ବିବେକାନନ୍ଦ ଜେନା, ଗଜେନ୍ଦ୍ର ସାହାଣୀ, ଗୋପାଳ ପ୍ରସାଦ ଜେନା, ଶରତ ଚନ୍ଦ୍ର ମହାନ୍ତି, ଜଗବନ୍ଧୁ ଜେନା, ସଂଗ୍ରାମ ଭୂୟାଁ, ଉଦୟ କୁମାର ସାହୁ, କୁଞ୍ଜବିହାରୀ ରାଉତ, ଦେବରାଜ ଗଉଡ଼, ଦିଲ୍ଲୀପ କୁମାର ଚକ୍ରବର୍ତ୍ତୀ, ଭାଗବତ ପ୍ରସାଦ ସାହୁ, ଉମେଶ ଚନ୍ଦ୍ର ନାୟକ, ମଦନ ମୋହନ ନାୟକ, ସରୋଜ କୁମାର ସ୍ୱାଇଁ, ଜଗଦୀଶ ମୋହନ ପ୍ରହରାଜ, ହିମାଦ୍ରୀ କୁମାର ବରୁଆ, ରାଧାଶ୍ୟାମ ନାୟକ, ତ୍ରିଲୋଚନ ସାହୁ, ଜ୍ଞାନେନ୍ଦ୍ର କୁମାର ରାୟ, ରଘୁନାଥ ଦାଶ, ଏନ.ଏନ. ସାମନ୍ତରାୟ ପ୍ରମୁଖଙ୍କ ସହ ପଠାଗାରର ସଦସ୍ୟ-ସଦସ୍ୟା ଏବଂ ଶତାଧିକ ସାହିତ୍ୟ – ସଂସ୍କୃତି ପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.