
ନୂଆଦିଲ୍ଲୀ : ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୬ରେ ଭାରତକୁ ମିଳିଛି ଗୌରବ । ମହିଳା କମ୍ପାଉଣ୍ଡ ଡବଲ୍ସ ତୀରନ୍ଦାଜୀରେ ଭାରତର ଶୀତଲ ଦେବୀ ଓ ଓଡ଼ିଶାର ବଲାଙ୍ଗିର ଝିଅ ପାୟଲ ନାଗ ରୌପ୍ୟ ପଦକ ହାସଲ କରିଛନ୍ତି । ଫାଇନାଲରେ ଚୀନର ଯୋଡ଼ିଙ୍କଠାରୁ ୧୪୧-୧୫୦ ପଏଣ୍ଟରେ ପରାସ୍ତ ହୋଇ ଭାରତୀୟ ଯୋଡ଼ି ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ମାତ୍ର ୧୮ ବର୍ଷ ବୟସରେ ପାୟଲଙ୍କ ଏହି ସଫଳତା ଦେଶ ପାଇଁ ଗର୍ବର ବିଷୟ । ପିଲାଦିନେ ଉଚ୍ଚ ବିଦ୍ୟୁତ୍ ଆଘାତରେ ଚାରି ଅଙ୍ଗ ହରାଇଥିଲେ ମଧ୍ୟ ହାର ମାନିନାହାନ୍ତି ସେ । ଶୀତଲ ଦେବୀଙ୍କଠାରୁ ପ୍ରେରଣା ପାଇ ତୀରନ୍ଦାଜୀରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଅନ୍ୟପଟେ ଶୀତଲ ଦେବୀ ଯୋଗ୍ୟତା ପର୍ଯ୍ୟାୟରେ ୭୦୪ ପଏଣ୍ଟ ହାସଲ କରି ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି । ପାୟଲଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।