jayashree

ବରଗଡ଼ରେ ସ୍ୱାସ୍ଥ୍ୟ ସେବାରେ ବ୍ୟାପକ ଅନିୟମିତତା : ସାଇକୃପା ହସ୍ପିଟାଲକୁ ନିଲମ୍ବିତ କଲେ ରାଜ୍ୟ ସରକାର

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରୁ ଆସିଲା ଏକ ବଡ଼ ଖବର । ସ୍ୱାସ୍ଥ୍ୟ ସେବାର ନାଁରେ ଚାଲିଥିଲା ବଡ଼ ଧରଣର ଲୁଟ୍ । ଆୟୁଷ୍ମାନ ଭାରତ ଯୋଜନାର ଫାଇଦା ଉଠାଇ ଗରିବ ରୋଗୀଙ୍କ ପକେଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ବରଗଡ଼ର ‘ସାଇକୃପା ପଲି କ୍ଲିନିକ୍ ଆଣ୍ଡ ହସ୍ପିଟାଲ’ ବିରୋଧରେ ଏବେ ରାଜ୍ୟ ସରକାରଙ୍କ କାର୍ୟ୍ୟାନୁଷ୍ଠାନ । ସରକାରଙ୍କ ନିର୍ଦ୍ଦେଶରେ ଏହି ହସ୍ପିଟାଲକୁ ନିଲମ୍ବନ କରାଯାଇଛି । କିନ୍ତୁ ପ୍ରଶ୍ନ ଉଠୁଛି, ପୂର୍ବ ସରକାର ସମୟରେ କାହା ଛତ୍ରଛାୟାରେ ଏତେ ବଡ଼ ଦୁର୍ନୀତି ଚାଲିଥିଲା ?” “ବରଗଡ଼ ସହରର ଜଣାଶୁଣା ସାଇକୃପା ପଲି କ୍ଲିନିକ୍ ଆଣ୍ଡ ହସ୍ପିଟାଲ । ସରକାରୀ ଯୋଜନାରେ ମାଗଣା ଚିକିତ୍ସା ମିଳିବା କଥା, କିନ୍ତୁ ଏଠି ଚାଲିଥିଲା ଓଲଟା ଚିତ୍ର । ମିଳିଥିବା ସୂଚନା ଅନୁଯାୟୀ, ସ୍ୱର୍ଗତ୍‌ ଦ୍ରୌପଦୀ ବେନ୍ତକାର ନାମ୍ନୀ ଜଣେ ରୋଗୀ ଯିଏ କି ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ହିତାଧିକାରୀ ଥିଲେ, ତାଙ୍କଠାରୁ ହସ୍ପିଟାଲ କର୍ତ୍ତୃପକ୍ଷ ୪୨,୦୦୦ ଟଙ୍କା ବେଆଇନ ଭାବେ ଆଦାୟ କରିଥିଲେ । ତଦନ୍ତରୁ ଜଣାପଡିଛି ଯେ, ଉକ୍ତ ରୋଗୀଙ୍କୁ ନଗଦ ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା । ଏତିକିରେ ସରିନି, ତଦନ୍ତରେ ହସ୍ପିଟାଲରୁ ପିସି-ପିଏନ୍‌ଡ଼ିଟି ଆଇନ ଉଲ୍ଲଂଘନ ହୋଇଥିବା ମଧ୍ୟ ପ୍ରମାଣ ମିଳିଛି । ​ସବୁଠାରୁ ବଡ଼ କଥା ହେଉଛି, ପୂର୍ବ ସରକାର ସମୟରେ ବରଗଡ଼ର କିଛି ତୁଙ୍ଗ ନେତାଙ୍କ ସହିତ ଏହି ହସ୍ପିଟାଲର ଘନିଷ୍ଠ ସମ୍ପର୍କ ଥିବା ନେଇ ଦୀର୍ଘଦିନ ହେଲା ଚର୍ଚ୍ଚା ହେଉଥିଲା । ସେହି ନେତାଙ୍କ ଆଶୀର୍ବାଦ ରହିଥିବାରୁ ହିଁ ହସ୍ପିଟାଲ କର୍ତ୍ତୃପକ୍ଷ ଏତେ ବଡ଼ ଦୁଃସାହସ କରିପାରୁଥିଲେ ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି । କିନ୍ତୁ ଏବେ ସରକାର ବଦଳିଛି । ରାଜ୍ୟ ସ୍ୱାସ୍ଥ୍ୟ ସୁରକ୍ଷା ସମିତି ଦ୍ୱାରା ଏହି ହସ୍ପିଟାଲକୁ ତୁରନ୍ତ ନିଲମ୍ବିତ କରାଯାଇଛି । ୫ ଦିନ ଭିତରେ ସ୍ପଷ୍ଟୀକରଣ ରଖିବାକୁ ହସ୍ପିଟାଲକୁ ନୋଟିସ୍ ଦିଆଯାଇଛି । ବର୍ତ୍ତମାନର ସରକାରଙ୍କ ଏଭଳି କଠୋର ପଦକ୍ଷେପ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଚାଲିଥିବା ଦୁର୍ନୀତିଖୋରମାନଙ୍କ ମଧ୍ୟରେ ଏବେ କମ୍ପନ ସୃଷ୍ଟି କରିଛି । ଆଗାମୀ ଦିନରେ ଏହି ଘଟଣାରେ ଆଉ କେଉଁମାନଙ୍କ ମୁଖା ଖୋଲୁଛି, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.