ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ଚାଲିଥିବା କୋଶଲି ନାଟବାଦୀ-ନାଟଯାତ୍ରାର ଦ୍ୱିତୀୟ ଦିବସରେ ବଲାଙ୍ଗିର ନଟରାଜ କଳା ପରିଷଦ ତରଫରୁ ପ୍ରଶାନ୍ତ ଖମାରୀଙ୍କ ନିର୍ଦ୍ଦେଶିତ କୋଶଲି ପୌରାଣିକ ନାଟକ “ରାବଣ” ମଂଚସ୍ଥ ହୋଇଥିଲା । ଦଶାନନ ରାବଣ କିପରି ଭାବରେ ସୁବର୍ଣ୍ଣଲଙ୍କା ସିଂହାସନ ସହ ପୁଷ୍ପକ ବିମାନ ପାଇଥିଲା, ସେହି ପୁରାଣ ବଣ୍ଣିତ କଥାବସ୍ତୁ ଉପରେ ଆଧାରିତ ନାଟକଟି ଉଚ୍ଚ ପ୍ରସଂଶିତ ହୋଇଥିଲା । ଦ୍ୱିତୀୟ ନାଟକଟି ସୁମନ୍ତ ଭୋଇଙ୍କ ନିର୍ଦ୍ଦେଶନାରେ ସୋନପୁରର ବୀଣାପାଣି ସାହିତ୍ୟ ସଂସଦର କଳାକାରମାନେ ମଂଚସ୍ଥ କରିଥିଲେ ନାଟକ “ଟୁକୁ” । ପୁଅଝିଅ ଥାଇ ବୃଦ୍ଧ ପିତାମାତା ହଇରାଣ ହରକତ ହେଉଛନ୍ତି, ନ ଥାଇ ମଧ୍ୟ ସେୟା । ସମାଜକୁ ସୁଧାରିବା ପାଇଁ ନାଟକ “ଟୁକୁ”ର ପ୍ରୟାସ । ଏହି କଥାବସ୍ତୁ ଉପରେ କଳାକାରମାନଙ୍କ କଳା ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ଶେଷରେ ସଦାଇପାଲିର ନିରାକାର କଳାପରିଷଦ ତରଫରୁ ଗୀତିନାଟ୍ୟ “ସୂର୍ପଣଖା ନାସା ଛେଦନ” ପରିବେଷଣ ହୋଇଥିଲା । ଆଜି ଆୟୋଜକ କମିଟିର ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଏବଂ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଓ ସ୍ଥାନୀୟ ସମିତି ସଭ୍ୟ ଗୋଲାପ ବାଗ ଅତିଥି ଭାବରେ ଯୋଗଦାନ କରି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ମଧୁ ସୁଦନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଲୋଚନା ମିଶ୍ର, ହିତିକା ମହାନ୍ତି, ରେସମା ସା, ସୁଶ୍ମିତା ସୁନା, ଅନୁପମା ବାଗ, ପ୍ରଜ୍ଞାପରିମିତା ପରିଡା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

three × two =