ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ନୁତନ କୃଷି ବିଲ-୨୦୨୦ ପ୍ରତ୍ୟାହାର ଦାବୀରେ ସାରା ଦେଶରେ କୃଷକ ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଛି । ପ୍ରଥମେ ପଞ୍ଜାବ ଓ ହରିଆଣାରେ କୃଷି ବିଲ୍ ବିରୁଦ୍ଧରେ ଚାଷୀମାନେ ଆନ୍ଦୋଳନ କରିବା ସହ ଦିଲ୍ଲୀ ଆସୁଥିବା ସମସ୍ତ ରାସ୍ତାକୁ ଘେରିଥିଲେ । ସରକାର ଏହି ଆନ୍ଦୋଳନକୁ ଦମନ କରିବାରେ ବିଫଳ ହେବା ପରେ କୃଷି ବିଲ ଉପରେ ଆଲୋଚନା କରିବା ପାଇଁ କୃଷକମାନଙ୍କୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ବାରମ୍ବାର ଏହି ଆଲୋଚନା ବିଫଳ ହେବା ପରେ ନୁତନ କୃଷି ବିଲ ପ୍ରତ୍ୟାହାର ଦାବୀରେ କୃଷକ ସଂଗଠନ ମାନେ ଡିସେମ୍ବର ୮ ତାରିଖରେ ଭାରତ ବନ୍ଦ ଡାକରା ଦେଇଥିଲେ । କେନ୍ଦ୍ର ସରକାରଙ୍କ କୃଷକ ଓ କୃଷି ବିରୋଧୀ ନୁତନ କୃଷି ଆଇନ ବିରୁଦ୍ଧରେ ଡିସେମ୍ବର ୮କୁ ହେବାକୁ ଥିବା ଏହି ଆନ୍ଦୋଳନ ଏବେ ସାରା ଦେଶରେ ବ୍ୟାପିଛି । କୃଷକମାନଙ୍କ ସମର୍ଥନରେ ସମସ୍ତ ରାଜନୈତିକ ଦଳ, କେନ୍ଦ୍ରୀୟ କୃଷକ ସଂଗଠନ, ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ବିଭିନ୍ନ ରାଜ୍ୟ ସରକାର ଏହି ବନ୍ଦକୁ ସଂପୁର୍ଣ୍ଣ ସମର୍ଥନ କରୁଥିବା ବେଳେ ଦୁଃଖର ବିଷୟ ଯେ, ଓଡିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକମାନଙ୍କ ଏହି ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇବା ତ’ ଦୁରର କଥା, ଏପର୍ୟ୍ୟନ୍ତ ଏହି ଆନ୍ଦୋଳନ ତଥା ଭାରତ ବନ୍ଦକୁ ନେଇ ନିଜର ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ କରି ନାହାନ୍ତି । ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବାକୁ ଥିବା ଏହି ଆନ୍ଦୋଳନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମୁହଁ ନ ଖୋଲି ସେ କେନ୍ଦ୍ରର ମୋଦୀ ସରକାରଙ୍କ ବୋଲକରା ମୁଖ୍ୟମନ୍ତ୍ରୀର ପରିଚୟ ଦେଉନାହାନ୍ତି ତ ବୋଲି କଂଗ୍ରେସ ବିଧୟକ ଦଳର ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ କରିଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆନ୍ଦୋଳନରେ କୃଷକ ଜାତି ପ୍ରତି ନିଜର ସମର୍ଥନ ନ ଜଣାନ୍ତି, ତେବେ ରାଜ୍ୟରେ ଲୋକେ ତାଙ୍କୁ ଜଣେ କୃଷକ ବିରୋଧୀ ମୁଖ୍ୟମନ୍ତ୍ରୀ ଭାବେ ନିଶ୍ଚୟ ଗଣନା କରିବେ । ତେଣୁ ଦେଶବ୍ୟାପୀ ଚାଲିଥିବା ଏହି କୃଷକ ଆନ୍ଦୋଳନ ପ୍ରତି ମୁଖ୍ୟମନ୍ତ୍ରୀ ନିଜର ସମର୍ଥନ ଘୋଷଣା କରନ୍ତୁ । ନଚେତ ଆଗାମୀ ଦିନରେ ରାଜ୍ୟର କୃଷକ ସମାଜ ତାଙ୍କୁ କଦାପି କ୍ଷମା ଦେବ ନାହିଁ ବୋଲି ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେତାଇ ଦେଇଛନ୍ତି ।