ପୁରୀ/ପିପିଲି : ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ବାଗେଶ୍ୱରପୁର ଗ୍ରାମରୁ ସପ୍ତମ ଶତାବ୍ଦୀର ମୂର୍ତ୍ତି ଓ ପ୍ରାଚୀନ ଶିଳାଲେଖ ଉଦ୍ଧାର ହୋଇଛି । ଶିଳାଲେଖରେ ସଂସ୍କୃତ ଭାଷାରେ ଓଡ୍ରନାଗରୀ ଲିପି ରହିଛି । ଏଭଳି ଏକ ଐତିହ୍ୟକୁ ଆବିଷ୍କାର କରିଛନ୍ତି ଇନ୍ଟାକ୍ର ୪ ଜଣ ସଦସ୍ୟ ।
ଏହି ଲିପିର ଭାବାର୍ଥ ମଧ୍ୟ ଇନ୍ଟାକ୍ ସଦସ୍ୟ ଖୋଜି ବାହାର କରିଛନ୍ତି । ଏହି ମୂର୍ତ୍ତିଟି ବୌଦ୍ଧଧର୍ମର ଅବଲୋକିତେଶ୍ୱର ପଦ୍ମପାଣିଙ୍କର ହୋଇଥିବା ଅନୁମାନ କରାଯାଉଛି । ରାମେଶ୍ୱର ମହାଦେବ ମନ୍ଦିର ଚତୁର୍ଦ୍ଦଶ ଶତାବ୍ଦୀର ହୋଇଥିବା ବେଳେ ମୂର୍ତ୍ତିଟି ମନ୍ଦିରଠାରୁ ଢେର ପୁରୁଣା । ଏହା ଏକ ଶିବ ମନ୍ଦିର ମଧ୍ୟରେ ଥିବାରୁ ବର୍ତ୍ତମାନସୁ ଦ୍ଧା ଏହି ମୂର୍ତ୍ତିଟି ଶିବଙ୍କର ମୂର୍ତ୍ତି ଭାବେ ପୂଜିତ ହେଉଥିଲା । ଏହି ମୂର୍ତ୍ତି ପଛରେ ଶିଳାଲେଖରେ ଉଲ୍ଲେଖ ଅଛି ଯେ, ‘ୟେ ଧର୍ମ ହେ, ତୁ ପ୍ରଭାବୋ ହେ, ତୁ ତେସାମ୍ ତଥାଗ, ତୋ ହ୍ୟାବାଦା ତେସାମ୍, ଚା ୟୋ ନିରୋଧ ଏ, ବାମ୍ ବାଦୀ ମହଶ୍ର, ମନଃ’ ।
ଏହାର ଓଡ଼ିଆ ଭାବାର୍ଥ ହେଉଛି, ସମସ୍ତ ଧର୍ମ କିଛି କାରଣ ପାଇଁ ସୃଷ୍ଟ । ଏହି କାରଣ ସବୁକୁ ତଥାଗତ ଶିକ୍ଷା ଦେଇଛନ୍ତି ଏବଂ ତାହା ମଧ୍ୟ ଯାହା ଏହି ସବୁ କାରଣକୁ ଶେଷ କରେ । ଏହା ମଧ୍ୟ ସେହି ମହାଶ୍ରମଣଙ୍କ ଦ୍ୱାରା ଶିକ୍ଷିତ ହୋଇଛି । ମୂର୍ତ୍ତିଟି କେମିତି ମନ୍ଦିରକୁ ଆସିଲା ସେ ସମ୍ପର୍କରେ କିଛି ସଠିକ ତଥ୍ୟ ନାହିଁ । ରାମେଶ୍ୱର ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ବ ଗଙ୍ଗବଂଶୀୟ ସମୟରେ ଗଢ଼ା ହୋଇଥିବା ସୁସ୍ପଷ୍ଟ । କିନ୍ତୁ ଦୟା ନଦୀର ଅବବାହିକାରେ ବହୁ ପୂର୍ବରୁ ବୌଦ୍ଧଧର୍ମର ପ୍ରଭାବ ଥିଲା ବୋଲି ଐତିହ୍ୟ ଗବେଷକ ଦୀପକ ନାୟକ କହିଛନ୍ତି ।
ଐତିହ୍ୟ ଗବେଷକ ଅନୀଲ ଧୀର୍, ବିଶ୍ୱଜିତ ମହାନ୍ତି, ବିଷ୍ଣୁମୋହନ ଅଧିକାରୀ ଏବଂ ଶ୍ରୀ ନାୟକ ଦୟା ଓ ରତ୍ନଚୀରା ନଦୀ ଅବବାହିକା ଅଞ୍ଚଳରେ ସର୍ଭେ କରିବା ସହ ଏହି ମୂର୍ତ୍ତି ସଂସ୍ପର୍ଶରେ ଆସିଥିଲେ । ବାଗେଶ୍ୱରପୁର ଗ୍ରାମର ରାମେଶ୍ୱର ମହାଦେବ ମନ୍ଦିରରେ ଏହା ପୂଜା ପାଉଥିଲା । ମନ୍ଦିରର ପୂଜକ ଏହି ଛୋଟିଆ ମୂର୍ତ୍ତି ଦେଖାଇବା ସହ ଏହା ପଛରେ କିଛି ଲେଖାଥିବା ପ୍ରକାଶ କରିଥିଲେ । ୩-୪ ମାସ ଧରି ଗବେଷଣା କରିବା ପରେ ଏହି ମୂର୍ତ୍ତି ସପ୍ତମ ଶତାବ୍ଦୀର ହୋଇଥିବା ଇନ୍ଟାକ ସଦସ୍ୟ ଜାଣିବାକୁ ପାଇଛନ୍ତି ।