csstore

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମିଶନ ଇଟାଭାଟି କ୍ଲିନ : କୁକୁଡାହାଡ ପରେ ସରଧାପୁରରେ ଦୁଇ ଇଟାଭାଟି ଉପରେ ଚଢାଉ, ୨ ଜେସିବି, ୫ ଟ୍ରାକ୍ଟର ଓ ୨ ହାଇୱା ଜବତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ସହରରେ ମିଶନ କ୍ଲିନ ଜରିଆରେ ଅପରାଧିମାନଙ୍କର ବେଆଇନ ଘର ଓ ଦୋକାନ ଭଙ୍ଗା ଚାଲିଥିବା ବେଳେ ସେପଟେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଉପରେ ପ୍ରଶାସନର ବୁଲଡୋଜର ଚାଲିଛି । ଟିଟିଲାଗଡ ଉପଜିଲ୍ଲାପାଳ ତାଙ୍କ ଟିମ୍‌ ନେଇ ଗତ କିଛି ଦିନ ହେଲା ବେଆଇନ ଇଟାଭାଟି ଉପରେ ଚଢାଉ କରୁଛନ୍ତି । ଗତ ୫ ଦିନ ତଳେ ତୁରେକେଲାର କୁକୁଡାହାଡ ଗାଁ ନିକଟରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଇଟାଭାଟିକୁ ବୁଲଡୋଜର ଲଗାଇ ଧ୍ୱଂସ କରାଯାଇଥିଲା । ଆଜି ପୁଣି ମୁରିବାହାଲ ତହସିଲର ସରଧାପୁର ଗାଁରେ ଦୁଇଟି ଇଟାଭାଟିରେ ପ୍ରଶାସନ ଚଢାଉ କରି ବୁଲଡୋଜର ଲଗାଇ ତାକୁ ଭାଙ୍ଗି ଦେଇଛି । ଏଠାରେ ପ୍ରାୟ ୪୦ ଲକ୍ଷ ଇଟା ନଷ୍ଟ କରାଯାଇଥିବା ସୂଚନା ମିଳିଛି । ସେହିପରି ଇଟାଭାଟି କାମରେ ଲାଗିଥିବା ୨ଟି ଜେସିବି, ୫ଟି ଟ୍ରାକ୍ଟର ଓ ୨ଟି ହାଇୱାକୁ ମଧ୍ୟ ଉପଜିଲ୍ଲାପାଳ ଜବତ କରିଛନ୍ତି । ଆଜି କୌଣସି ସୂତ୍ରରୁ ଖବର ପାଇ ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ, ମୁରିବାହାଲ ତହସିଲଦାର ସୋନାଲି ପାତ୍ର, ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର, କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ମୁରିବାହାଲ ଥାନାଧିକାରୀ ପଞ୍ଚାନନ ନାଏକ, ଟିଟିଲାଗଡ ଆଇଆଇସି ରଂଜନ ବରିହା, ବଙ୍ଗୋମୁଣ୍ଡା ଥାନାଧିକାରୀ ପ୍ରଣୟ ମୁର୍ମୁ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରଶାନ୍ତ ସୁନା ପ୍ରମୁଖ ମିଳିତ ଭାବରେ ଚଢାଉ କରି ଏହି ବେଆଇନ ଇଟାଭାଟିରେ ବୁଲଡୋଜର ଲଗାଇଥିଲେ । ଦୁଇଟି ଯାକ ଇଟାଭାଟି ସରଧାପୁରର ଗୁନେନ ଝାଙ୍କରଙ୍କର ବୋଲି ଜଣାପଡିଛି । ପ୍ରଶାସନ ଗତ କିଛିଦିନ ତଳେ ତାଙ୍କଠାରୁ ଇଟାଭାଟି ବାବଦରେ ଫାଇନ ମଧ୍ୟ ଆଦାୟ କରିଥିଲା ।

jayashree
Leave A Reply

Your email address will not be published.