
• ନିରନ୍ତର ସାମୁଦ୍ରିକ ବୀମା ସୁରକ୍ଷା ଯୋଗାଇ ଦେବା ଲାଗି ୧୨,୯୮୦ କୋଟି ଟଙ୍କାର ସାର୍ବଭୌମ ଗ୍ୟାରେଣ୍ଟି ସହ ଗଠନ ହେବ ବିଏମଆଇ ପୁଲ୍
• ଘରୋଇ ବୀମା ପୁଲ୍ ବିଶ୍ୱସ୍ତରୀୟ ଭୂରାଜନୈତିକ ଅସ୍ଥିରତାର ସମାଧାନ କରିବ ଏବଂ ବାହ୍ୟ ବୀମା ଉପରେ ଭାରତୀୟ ଜାହାଜଗୁଡ଼ିକର ନିର୍ଭରଶୀଳତାକୁ ହ୍ରାସ କରିବ
• ଏହି ପୁଲ୍ ହଲ୍ ଓଯନ୍ତ୍ରାଂଶ, ମାଲ୍, ପିଆଣ୍ଡଆଇ ଏବଂ ଯୁଦ୍ଧ ବିପଦ ଭଳି ସମସ୍ତ ସାମୁଦ୍ରିକ ବିପଦ ପାଇଁ ସୁରକ୍ଷା ଦେବ, ଯେକୌଣସି ଅନ୍ତର୍ଜାତୀୟ ଉତ୍ସରୁ ଭାରତୀୟ ବନ୍ଦରକୁ ମାଲ ପରିବହନ କରୁଥିବା ଜାହାଜ ଗୁଡ଼ିକୁଏଥିରେ ସୁରକ୍ଷା ଦିଆଯିବ; ଅସ୍ଥିର ସାମୁଦ୍ରିକ କରିଡରରେ ପରିବହନ ସମୟରେ ମଧ୍ୟ ବୀମା ସୁବିଧା ମିଳିବ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଏକ ସ୍ୱଦେଶୀବୀମା ପୁଲ ସୃଷ୍ଟି କରିବା ପ୍ରସ୍ତାବକୁ ଅନୁମୋଦନ କରିଛି । ଏହି ବୀମା ପାଣ୍ଠି ଲାଗି ୧୨,୯୮୦ କୋଟି ଟଙ୍କାର ସାର୍ବଭୌମ ଗ୍ୟାରେଣ୍ଟି ରଖାଯାଇଛି । ଏହା ନିରନ୍ତର ସାମୁଦ୍ରିକ ବୀମା ସୁରକ୍ଷାକୁ ସୁଗମ କରିବ। ଯେକୌଣସି ଅନ୍ତର୍ଜାତୀୟ ଉତ୍ସରୁ ଭାରତୀୟ ବନ୍ଦର ପର୍ଯ୍ୟନ୍ତ କିମ୍ବା ଏହାର ବିପରୀତ ମାର୍ଗରେ ମାଲ୍ ନେଇଯାଉଥିବା ଜାହାଜଗୁଡ଼ିକୁ ସୁଲଭ ବୀମା ଯୋଗାଣ ପାଇଁ ଏହା ଭାରତୀୟ ବ୍ୟବସାୟଗୁଡ଼ିକୁ ସହାୟକ ହେବ । ଅସ୍ଥିର ସାମୁଦ୍ରିକ ମାର୍ଗ ଦେଇ ଅତିକ୍ରମ କରୁଥିବା ଜାହାଜ ଗୁଡ଼ିକୁ ମଧ୍ୟ ବୀମା ସୁବିଧା ମିଳିବ । ବର୍ଦ୍ଧିତ ବିଶ୍ୱସ୍ତରୀୟ ଭୂରାଜନୈତିକ ଅସ୍ଥିରତା ଯୋଗୁଁସାମୁଦ୍ରିକ ବାଣିଜ୍ୟ ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ମାଲ୍ ଏବଂ ଜାହାଜଗୁଡ଼ିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ବୃଦ୍ଧି ପାଇଛି । ଫଳସ୍ୱରୂପ, ବୀମା ମୂଲ୍ୟ ବୃଦ୍ଧି ପାଇଛିଏବଂ ନିରନ୍ତର ବୀମା ସୁରକ୍ଷା ଉପଲବ୍ଧତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଏହା ବ୍ୟତୀତ, ଭାରତୀୟ ଜାହାଜଗୁଡ଼ିକ ପିଏଣ୍ଡଆଇ ବୀମା ପାଇଁ ‘ଅନ୍ତର୍ଜାତୀୟ ସୁରକ୍ଷା ଏବଂ କ୍ଷତିପୂରଣ ଗୋଷ୍ଠୀ (ଆଇଜିପିଏଣ୍ଡଆଇ) କ୍ଲବ’ ଉପରେ ଅତ୍ୟଧିକ ନିର୍ଭର କରନ୍ତି – ଯାହା ତୈଳ ପ୍ରଦୂଷଣ ଦାୟିତ୍ୱ, ନଷ୍ଟ ହୋଇଯାଇଥିବା ପଦାର୍ଥ ଅପସାରଣ, ମାଲ୍ କ୍ଷତି, କର୍ମଚାରୀଙ୍କ ଆଘାତ ଓ ପ୍ରତ୍ୟାବର୍ତ୍ତନ, ସଂଘର୍ଷ ଦାୟିତ୍ୱ ଇତ୍ୟାଦି ତୃତୀୟ-ପକ୍ଷ ଦେୟତାକୁ କଭର କରିଥାଏ । ତେଣୁ, ଏକ ସ୍ୱଦେଶୀ ସାମୁଦ୍ରିକ ବିପଦ ସୁରକ୍ଷା ପୁଲର ଆବଶ୍ୟକତା ଥିଲା ଯାହା ବାଣିଜ୍ୟର ସାର୍ବଭୌମତ୍ୱ ଏବଂ ନିରନ୍ତରତାକୁ ସୁରକ୍ଷା ଦେବାରେ ସକ୍ଷମ । ଏପରିକି କଟକଣା କିମ୍ବା ଭୂରାଜନୈତିକ ଉତ୍ତେଜନା ଯୋଗୁଁ ବୀମାସୁରକ୍ଷା ପ୍ରତ୍ୟାହାର କରାଯାଉଥିବା ପରିସ୍ଥିତିରେ ମଧ୍ୟ ଏଥିରେ ସୁରକ୍ଷା ମିଳିପାରିବ ।
ଉପରୋକ୍ତ ପୃଷ୍ଠଭୂମିରେ ସରକାର ଭାରତୀୟ ଜାହାଜ ପାଇଁ କିମ୍ବା ଭାରତକୁ ଆସୁଥିବା ଅଥବା ପ୍ରସ୍ଥାନ କରୁଥିବା ଜାହାଜ ପାଇଁ –‘ଭାରତୀୟ ସାମୁଦ୍ରିକ ବୀମା ପୁଲ୍’ (ବିଏମଆଇପୁଲ୍) ଗଠନକୁ ଅନୁମୋଦନ କରିଛନ୍ତି । ଏହା ଏକ ସାର୍ବଭୌମ ଗ୍ୟାରେଣ୍ଟି ଦ୍ୱାରା ସମର୍ଥିତ ହେବ । ଏହି ପୁଲ୍ ସମସ୍ତ ସାମୁଦ୍ରିକ ବିପଦ, ଯେପରିକି ହଲ୍ ଓଯନ୍ତ୍ରାଂଶ, କାର୍ଗୋ, ପିଏଣ୍ଡଆଇ, ଏବଂ ଯୁଦ୍ଧ ବିପଦକୁ କଭର କରିବ । ପୁଲ୍ ର ସଦସ୍ୟ ବୀମାକାରୀଙ୍କ ଦ୍ୱାରା ବୀମା ପଲିସି ଜାରି କରାଯିବ, ଯେଉଁମାନେ ପୁଲର ସାମୂହିକ ଅଣ୍ଡରରାଇଟିଂ କ୍ଷମତାକୁ ବ୍ୟବହାର କରିବେ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ 950 କୋଟି ଟଙ୍କାହେବ । ଏହି ପୁଲ୍ ଭାରତୀୟ ଜାହାଜ ଚଳାଚଳ ପରିସ୍ଥିତି ଓ ନିୟାମକ ଆବଶ୍ୟକତା ଅନୁରୂପ ସ୍ଥାନୀୟ ସ୍ତରରେ ଦେୟତା ବୀମାର ପରିଚାଳନା କରିବା ତଥା ଭାରତ ଭିତରେ ସ୍ୱତନ୍ତ୍ର ସାମୁଦ୍ରିକ ବୀମା, ଦାବି ପରିଚାଳନା ଏବଂ ଆଇନ ଗତ ବିଶେଷଜ୍ଞତା ବିକଶିତ କରିବାରେ ସହାୟକ ହେବ । ଏହା ସହିତ, ଏକ ପରିଚାଳନା ସଂସ୍ଥା ପୁଲର ଗଠନ ଏବଂ କାର୍ଯ୍ୟକାରିତା ତଦାରଖ କରିବ । ପ୍ରସ୍ତାବିତ ସ୍ୱଦେଶୀ ବୀମା ସଂସ୍ଥାକୁ ସାର୍ବଭୌମ ଗ୍ୟାରେଣ୍ଟି ପ୍ରଦାନ କରିବାର ଔଚିତ୍ୟ ଆତ୍ମନିର୍ଭରଶୀଳତାକୁ ମଜବୁତ କରିବ । ଏହାର ଉଦ୍ଦେଶ୍ୟ ହେଉଛି ପ୍ରତିବନ୍ଧକ ପ୍ରତି ସହନୀୟ ହେବା ଏବଂ ଅଧିକ ସାର୍ବଭୌମ ନିୟନ୍ତ୍ରଣ ସୁନିଶ୍ଚିତ କରିବା ।