- ବର୍ତ୍ତମାନର ଭାରତୀୟ ରେଳ ନେଟୱାର୍କରେ ପ୍ରାୟ ୧୪୫ କିଲୋମିଟର ନୂଆ ଲାଇନ୍ ହେବ ନିର୍ମାଣ
- ୨୦୩୦-୩୧ ସୁଦ୍ଧା ସରିବାକୁ ଥିବା ଉଭୟ ପ୍ରକଳ୍ପ ପାଇଁ ୩,୯୦୭ କୋଟି ଟଙ୍କା ବ୍ୟୟବରାଦ
- ପାରାଦୀପ-ହରିଦାସପୁର ଲାଇନର ଦୋହରୀକରଣ ଦ୍ୱାରା ଲଳିତଗରି ବୌଦ୍ଧ ପରିସର ଏବଂ ଶ୍ରୀ ବଳଦେବଜୀଉ ମନ୍ଦିରକୁ ସହଜ ହେବ ଯୋଗାଯୋଗ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି ରେଳ ମନ୍ତ୍ରଣାଳୟର ପ୍ରାୟ ୩,୯୦୭ କୋଟି ଟଙ୍କାର ଦୁଇଟି ରେଳ ମାର୍ଗ ପ୍ରଶସ୍ତିକରଣ ପ୍ରକଳ୍ପକୁ ଅନୁମୋଦନ କରିଛି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି:
- ପାରାଦୀପ – ହରିଦାସପୁର – ଦୋହରୀକରଣ
- ରାଜଖରସୱାନ୍ – ଡାଙ୍ଗୋପୋସି – ଚତୁର୍ଥ ଲାଇନ୍ ।
ଏହି ଦୁଇଟି ରେଳ ଲାଇନର ଉନ୍ନତିକରଣ ଦ୍ୱାରା ଟ୍ରେନ ଚଳାଚଳ ଯଥେଷ୍ଟ ଉନ୍ନତ ହେବ । ଏହା ଫଳରେ ଭାରତୀୟ ରେଳବାଇର ପରିଚାଳନାଗତ ଦକ୍ଷତା ଏବଂ ସେବା କ୍ଷମତା ବୃଦ୍ଧି ପାଇବ। ଏହି ମଲ୍ଟି-ଟ୍ରାକିଂ ପ୍ରସ୍ତାବ ଟ୍ରେନ୍ ଚଳାଚଳକୁ ସୁବ୍ୟବସ୍ଥିତ କରିବା ଏବଂ ଭିଡ଼ ହ୍ରାସ କରିବାରେ ସାହାଯ୍ୟ କରିବ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଭାରତର ଦୃଷ୍ଟିକୋଣ ଅନୁରୂପ, ଯାହାର ଲକ୍ଷ୍ୟ ସ୍ଥାନୀୟ ଅଞ୍ଚଳର ବ୍ୟାପକ ବିକାଶ ମାଧ୍ୟମରେ ପାର୍ଶ୍ୱବର୍ତ୍ତୀ ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ତଥା ସେମାନଙ୍କ ପାଇଁ ନିଯୁକ୍ତି/ଆତ୍ମନିଯୁକ୍ତି ସୁଯୋଗ ବୃଦ୍ଧି କରିବା।
ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଅଂଶବିଶେଷ ଭାବେ ଏହି ପ୍ରକଳ୍ପଗୁଡ଼ିକର ପରିକଳ୍ପନା କରାଯାଇଛି । ସମନ୍ୱିତ ଯୋଜନା ପ୍ରସ୍ତୁତି ଏବଂ ଅଂଶୀଦାରଙ୍କ ବିଚାରବିମର୍ଶ ମାଧ୍ୟମରେ ବହୁମୁଖି ଯୋଗାଯୋଗ ଏବଂ ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି କରିବା ଏହାର ଲକ୍ଷ୍ୟ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଯାତ୍ରୀ, ସାମଗ୍ରୀ ଏବଂ ସେବାର ସୁଗମ ପରିବହନ ସୁନିଶ୍ଚିତ ହେବ।
ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ଦେଇ ଯିବାକୁ ଥିବା ଏ ଦୁଇଟି ରେଳ ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କରେ ପ୍ରାୟ ୧୪୫ କିଲୋମିଟର ନୂଆ ଲାଇନ୍ ଯୋଡ଼ିବ।
ପ୍ରସ୍ତାବିତ ପ୍ରଶସ୍ତିକରଣ ପ୍ରକଳ୍ପ ପ୍ରାୟ ୧୪ ଲକ୍ଷ ଜନସଂଖ୍ୟା ସହିତ ପ୍ରାୟ ୧୫୨୬ ଗ୍ରାମକୁ ଯୋଗାଯୋଗରେ ଉନ୍ନତି ଆଣିବ ।
ପ୍ରସ୍ତାବିତ କ୍ଷମତା ବୃଦ୍ଧି ଦେଶର ଅନେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ – ଲଳିତଗିରି ବୌଦ୍ଧ ପରିସର, ଶ୍ରୀ ବଳଦେବଜିଉ ମନ୍ଦିର, ମେଘାହାତୁବୁରୁ ପାହାଡ଼ ଆଦିକୁ ରେଳ ସଂଯୋଗରେ ଉନ୍ନତି ଆଣିବ।
ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ କୋଇଲା, ଲୁହାପଥର, ଡୋଲୋମାଇଟ୍, ଚୂନପଥର, ଜିପସମ୍ ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଅତ୍ୟାବଶ୍ୟକ ମାର୍ଗରେ ଆସୁଛି । କାମ ସରିବା ପରେ, ଏହି ପ୍ରକଳ୍ପଗୁଡ଼ିକ ପ୍ରତିବର୍ଷ ୪୪ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ କ୍ଷମତା ପ୍ରଦାନ କରିବ। ରେଳ, ଏକ ପରିବେଶ ଅନୁକୂଳ ଏବଂ ଶକ୍ତି-ଦକ୍ଷ ପରିବହନ ପଦ୍ଧତି ହୋଇଥିବାରୁ ଏହା ଜଳବାୟୁ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ । ଏଥିସହିତ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ ପାଇବ ଏବଂ ତୈଳ ଆମଦାନୀ (୬୦ ନିୟୁତ ଲିଟର) କମିବ । ଏହାଦ୍ୱାରା ଅଙ୍ଗାରକାମ୍ଳ ନିର୍ଗମନ (୨୯୦ ନିୟୁତ କିଲୋଗ୍ରାମ) ମଧ୍ୟ ହ୍ରାସ ପାଇବ ଯାହା ୧୦ ନିୟୁତ ଗଛ ଲଗାଇବା ସହିତ ସମାନ।
