
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାର କେଳେଙ୍କାରୀ ଏବଂ ଲାଠୋର କୁ ଏନଏସି ମାନ୍ୟତା ପାଇଁ ଆଜି ବିଜୁ ଜନତା ଦଳ ପୂର୍ବତନ ବିଧାୟକ ସରୋଜ କୁମାର ମେହେର ଙ୍କ ନେତୃତ୍ୱରେ ଶହ ଶହ ବିଜେଡି କର୍ମୀ ଆଜି ଖପ୍ରାଖୋଲ ବିଜେଡି କାର୍ୟ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଖପ୍ରାଖୋଲ ବସଷ୍ଟାଣ୍ଡ ପରିକ୍ରମା କରି ଖପ୍ରାଖୋଲ ବ୍ଲକ କାର୍ୟ୍ୟାଳୟ ରେ ପହଞ୍ଚି ଥିଲେ । ଖପ୍ରାଖୋଲ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ଦଫା ସମ୍ବଳିତ ଦାବିପତ୍ର ବିଡ଼ିଓ ଙ୍କ ଅନୁପସ୍ଥିତିରେ ଖପ୍ରାଖୋଲ ସହକାରୀ ଯନ୍ତ୍ରୀ ରାଜକିଶୋର ନାଏକ ଙ୍କୁ ଦେଇଥିଲେ । ବର୍ତ୍ତମାନ ର ସରକାର ଚାଷୀ ମାନଙ୍କ ପାଇଁ ସାରର ସୁବ୍ୟବସ୍ଥା କରିନଥିବାରୁ ଚାଷୀ ମାନେ ବହୁତ ହଇରାଣ ହେଉଛନ୍ତି । ଗୋଟିଏ ୫୦ କେଜି ୟୁରିଆ ସାର ପେକେଟର ସରକାରୀ ମୂଲ୍ୟ ୨୬୬ ଟଙ୍କା ଥିବାବେଳେ ପେକ୍ସ ମାନଙ୍କରେ ତାହା ୩୫୦ ଟଙ୍କାରେ ଦିଆଯାଉଛି । ସାର ଦୋକାନୀ ମାନଙ୍କ ଠାରେ ତାହା ୮୦୦ରୁ ୧୨୦୦ ଟଙ୍କା ପର୍ୟ୍ୟନ୍ତ ବିକ୍ରୀ ହେଉଥିବା ଦେଖାଦେଇଛି । ସାର ର କଳାବଜାରୀ ଏତେ ମାତ୍ରାରେ ବଢ଼ି ଯାଇଛି ଯେ, ଚାଷୀ ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ସମସ୍ୟାର ସମାଧାନ ପ୍ରତି ସରକାର ଉଚିତ୍ ପଦକ୍ଷେପ ନେବାକୁ ଦାବୀ କରିଛି ବିଜେଡ଼ି ।