pakka

ଗାନ୍ଧୀ ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

  • ଜିଲ୍ଲାର ଲୁକ୍କାୟିତ କ୍ରୀଡା ପ୍ରତିଭାଙ୍କ ନିମନ୍ତେ ଉଜ୍ୱଳ ଭବିଷ୍ୟତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମ ଉଦ୍‌ଘାଟନ ଅବସରରେ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶିପୁନମ ମିଞ୍ଜ ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବା ସହିତ ଏହା ଦ୍ୱାରା ଲୁକ୍କାୟିତ କ୍ରୀଡା ପ୍ରତିଭା ଲୋକଲୋଚନକୁ ଆସିବା ସହ ଯୋଗ୍ୟ ଓ ସଫଳ କ୍ରୀଡା ପ୍ରତିଭାଙ୍କ ଉଜ୍ୱଳ ଭବିଷ୍ୟତ ନିମନ୍ତେ ଏହା ବିଶେଷ ସୁଯୋଗ ବୋଲି ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲା କ୍ରୀଡା ଅଧିକାରୀ ସୁବର୍ଣ୍ଣପୁର ଅଭିଳାଷ ପୁରୋହିତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆଜି ସୋନପୁର, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ବରଗଡ଼, ନୂଆପଡା ପ୍ରଭୁତି ୦୭ଟି ଜିଲ୍ଲାର ୦୯ ରୁ ୧୫ ବର୍ଷ ମଧ୍ୟରେ ସମୁଦାୟ ଯୋଗ୍ୟ ୮୩ ଜଣଙ୍କ ମଧ୍ୟରୁ ଆଜି କେବଳ ୫୦ ଜଣ କ୍ରୀଡା ପ୍ରତିଭାଗୀ ଅଂଶଗ୍ରହଣ କରି ସେମାନଙ୍କ କ୍ରୀଡା ନୈପୁଣ୍ୟତାର ପ୍ରଦର୍ଶନ କରିଛନ୍ତି । କ୍ରୀଡା ପ୍ରତିଭା ଅନ୍ୱେଷଣକୁ ସ୍ୱଚ୍ଛ, ବ୍ୟବସ୍ଥିତ ଓ ସଠିକ ଭାବରେ ପରିଚାଳନା କରିବା ନିମନ୍ତେ ଜିଲ୍ଲା ଖେଳ ଶିକ୍ଷା ନିରୀକ୍ଷକ ଦୁର୍ଯ୍ୟୋଧନ ରାଉତଙ୍କ ନେତୃତ୍ୱରେ ଜିଲ୍ଲାର ପ୍ରତିଭା ସମ୍ପନ୍ନ ଖେଳ ଶିକ୍ଷକ ସତ୍ୟନାରାୟଣ ତ୍ରିପାଠୀ, ରଘୁନାଥ ଥେନାପତି, ପଦ୍ମିନୀ ସାହୁ, ସନ୍ଧ୍ୟାରାଣୀ ଖେତୀ, ଶ୍ୟାମସୁନ୍ଦର ନାୟକ, ସଞ୍ଜୟ କୁମାର ସାହୁ, ମହମ୍ମଦ କଲିମଙ୍କୁ ନିୟୋଜିତ କରାଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ଜିଲ୍ଲାରେ ଲୁଚିରହିଥିବା କ୍ରୀଡା ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ସହିତ ସେମାନଙ୍କୁ ସେମାନଙ୍କ ପ୍ରିୟ କ୍ରୀଡାରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ନିମନ୍ତେ ଏକ ନିଶ୍ଚିତ ଭିତିଭୂମି ପ୍ରଦାନ କରି ଆଗାମୀ ଦିନରେ ଏକ ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ପରିଚିତ କରିବା ଲକ୍ଷ୍ୟ ରହିଥିବା ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି । ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣରେ ଯୋଗ୍ୟ ବିବେଚିତ କ୍ରୀଡ଼ାବିତ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଆଜି ୦୪ ତାରିଖ ଓ ଆସନ୍ତା କାଲି ୦୫ ତାରିଖ ଦୁଇ ଦିନ ଧରି ଚାଲିବ । କ୍ରୀଡା ପରିଚାଳନାକୁ ସୁବ୍ୟବସ୍ଥିତ କରିବାରେ ଇନଫିନାଇଟି ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ।

Leave A Reply

Your email address will not be published.

15 − six =