- ଏଆଇ ଯୁଗରେ ରଣନୈତିକ, ପ୍ରାମାଣିକ ଓ ଜନକୈନ୍ଦ୍ରିକ ଯୋଗାଯୋଗର ଆବଶ୍ୟକତା ଉପରେ ପିଆଇବି ଏଡିଜିଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର, (ପିଆଇବି) : ଆଜି ଭୁବନେଶ୍ୱରସ୍ଥିତ ପିଆଇବି କାର୍ଯ୍ୟାଳୟରେ ଓଡ଼ିଶାରେ କାର୍ଯ୍ୟରତ ଭାରତୀୟ ସୂଚନା ସେବା (ଆଇଆଇଏସ) ଅଧିକାରୀମାନଙ୍କ ପାଇଁ ‘ଯୋଗାଯୋଗ କ୍ଷେତ୍ରରେ ପରିବର୍ତ୍ତନଶୀଳ ଧାରା’ ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ବିକାଶମୁଖୀ ଯୋଗାଯୋଗ ଧାରା, ଡିଜିଟାଲ ରୂପାନ୍ତରଣ, ରଣନୀତିକ ଯୋଗାଯୋଗ ଏବଂ ଭବିଷ୍ୟତର ପ୍ରଚାର କୌଶଳ ଉପରେ ଗୁରୁତ୍ୱ ଦିଆଯାଇଥିଲା।
କର୍ମଶାଳାରେ ଅଧ୍ୟକ୍ଷତା କରି ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର, ଦ୍ରୁତ ଗତିରେ ବଦଳୁଥିବା ଗଣମାଧ୍ୟମ ପରିଦୃଶ୍ୟରେ ରଣନୀତିକ ଯୋଗାଯୋଗର ବଢୁଥିବା ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରଭାବଶାଳୀ ଭାବେ ପ୍ରସାର କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆରମ୍ଭରୁ ହିଁ ରଣନୀତିକ ଯୋଗାଯୋଗ ପଦ୍ଧତି ଅବଲମ୍ବନ କରିଆସୁଛି। ତଥ୍ୟ-ଆଧାରିତ ଯୋଗାଯୋଗ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ବ୍ୟକ୍ତିଗତ ଡିଜିଟାଲ୍ ସଂପୃକ୍ତିର ଯୁଗରେ, ଯୋଗାଯୋଗ ବିଶେଷଜ୍ଞମାନେ ପ୍ରଭାବଶାଳୀ ରହିବା ପାଇଁ ନିରନ୍ତର ଭାବେ ନିଜର ଦକ୍ଷତା ବୃଦ୍ଧି କରିବା ସହ ଅଭିନବ ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ।
ପ୍ରାମାଣିକ ଏବଂ ସଙ୍କଟକାଳୀନ ଯୋଗାଯୋଗର ଗୁରୁତ୍ୱ ଉପରେ ଜୋର ଦେଇ ଶ୍ରୀ ମିଶ୍ର କହିଥିଲେ ଯେ ବିଶ୍ୱସନୀୟତା, ସାଧୁତା ଏବଂ ଜନସାଧାରଣଙ୍କ ଆସ୍ଥା ହିଁ ପ୍ରଭାବଶାଳୀ ଯୋଗାଯୋଗର ମୂଳଦୁଆ। ପୌରାଣିକ କଥାବସ୍ତୁର ଉଦାହରଣ ଦେଇ ସେ କହିଥିଲେ ଯେ କର୍ତ୍ତବ୍ୟ ପ୍ରତି ନିଷ୍ଠା, ସାଧୁତା, ସାହସ ଏବଂ ଆତ୍ମ-ଅନୁଶାସନ ପ୍ରତ୍ୟେକ ଯୋଗାଯୋଗ ବିଶେଷଜ୍ଞଙ୍କ ପାଇଁ ଅପରିହାର୍ଯ୍ୟ ଗୁଣ ଅଟେ।
ଆଲବର୍ଟ କାମସଙ୍କ ପ୍ରସିଦ୍ଧ ଉପନ୍ୟାସ ‘ଦି ଷ୍ଟ୍ରେଞ୍ଜର’ର ସନ୍ଦର୍ଭ ଦେଇ ଶ୍ରୀ ମିଶ୍ର ଅଂଶଗ୍ରହଣକାରୀମାନଙ୍କୁ ସମାଲୋଚନାତ୍ମକ ଚିନ୍ତାଧାରା ଏବଂ ମାନବ ଆଚରଣ ତଥା ସାମାଜିକ ବାସ୍ତବତା ବିଷୟରେ ଅନ୍ତର୍ଦୃଷ୍ଟି ବିକଶିତ କରିବାକୁ ଉତ୍ସାହିତ କରିଥିଲେ। ଅର୍ଥପୂର୍ଣ୍ଣ ଯୋଗାଯୋଗ କେବଳ ସୂଚନା ପ୍ରସାରଣ ମଧ୍ୟରେ ସୀମିତ ନୁହେଁ, ବରଂ ଏଥିପାଇଁ ସହାନୁଭୂତି, ପ୍ରାସଙ୍ଗିକ ବୁଝାମଣା ଏବଂ ନୈତିକ ଦାୟିତ୍ୱବୋଧ ଆବଶ୍ୟକ ବୋଲି ସେ କହିଥିଲେ। ଅଧିକାରୀମାନଙ୍କୁ ସତ୍ୟବାଦୀ, ନାଗରିକ-କେନ୍ଦ୍ରିକ ଏବଂ ପ୍ରଭାବଶାଳୀ ଜନସାଧାରଣ ଯୋଗାଯୋଗ ପ୍ରତି ପ୍ରତିବଦ୍ଧ ରହିବା ସହ ନିଜର ବୃତ୍ତିଗତ ଦକ୍ଷତାକୁ ନିରନ୍ତର ବୃଦ୍ଧି କରିବାକୁ ଏବଂ ବଦଳୁଥିବା ଯୋଗାଯୋଗ ବ୍ୟବସ୍ଥା ସହ ନିଜକୁ ଖାପଖୁଆଇ ଚଳିବାକୁ ସେ ଅନୁରୋଧ କରିଥିଲେ।
ସଭାକୁ ସମ୍ବୋଧିତ କରି ବିଶିଷ୍ଟ ସାମ୍ବାଦିକ ଶ୍ରୀ ଭାସ୍କର ପରିଛା ଭାରତୀୟ ସୂଚନା ସେବା (ଆଇଆଇଏସ)କୁ ସରକାର ଏବଂ ନାଗରିକଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବରେ ବର୍ଣ୍ଣନା କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଜନସାଧାରଣଙ୍କ ନିକଟରେ ପ୍ରାମାଣିକ, ବିଶ୍ୱସନୀୟ ଏବଂ ଯାଞ୍ଚ ହୋଇଥିବା ସଠିକ ସୂଚନା ପହଞ୍ଚାଇବାରେ ସରକାରୀ ଯୋଗାଯୋଗ ବ୍ୟବସ୍ଥା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କୋଭିଡ-୧୯ ମହାମାରୀ ସମୟରେ ସଠିକ୍ ସୂଚନା ପ୍ରସାରଣର ଗୁରୁତ୍ୱକୁ ମନେ ପକାଇ ଶ୍ରୀ ପରିଛା କହିଥିଲେ ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ବିକାଶମୁଖୀ ପ୍ରଯୁକ୍ତିବିଦ୍ୟା ଯୋଗାଯୋଗର ଗତିକୁ ଯଥେଷ୍ଟ ବୃଦ୍ଧି କରିଥିଲେ ମଧ୍ୟ ସମ୍ପାଦକୀୟ ନିଷ୍ପତ୍ତି, ତଥ୍ୟ ଯାଞ୍ଚ (ଫ୍ୟାକ୍ଟ-ଚେକିଂ) ଏବଂ ସାମ୍ବାଦିକତାର ନୈତିକତାକୁ ଏହା ବଦଳାଇ ପାରିବ ନାହିଁ। ସେ ସଞ୍ଚାର ବିଶେଷଜ୍ଞମାନଙ୍କୁ ନିରପେକ୍ଷ, ବିଶ୍ୱସନୀୟ ହେବା ସହ ଜନସ୍ୱାର୍ଥକୁ ବଜାୟ ରଖିବା ଏବଂ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତିକୁ ଆପଣେଇବାକୁ ଅନୁରୋଧ କରିଥିଲେ।
ଏହି ବୈଷୟିକ ଅଧିବେଶନରେ, ଉପସ୍ଥିତ ଅଧିକାରୀମାନେ ସେମାନଙ୍କର ସମ୍ପୃକ୍ତ ଗଣମାଧ୍ୟମ ଶାଖା ଦ୍ୱାରା ଆପଣାଯାଇଥିବା ସର୍ବୋତ୍ତମ ଯୋଗାଯୋଗ ଏବଂ ପ୍ରଚାର ଶୈଳୀ ଉପସ୍ଥାପନ କରିଥିଲେ। ଭବିଷ୍ୟତର ଯୋଗାଯୋଗ ଅଭିଯାନ ପାଇଁ ଅଭିନବ କୌଶଳର ସନ୍ଧାନ କରିବା ସହିତ ପିଆଇବି, ସିବିସି, ଆକାଶବାଣୀ, ଦୂରଦର୍ଶନ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ଶାଖା ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଅଧିକାରୀ ଏବଂ କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ “କ୍ୟାଚ୍ ଦି ରେନ୍” ଏବଂ “ଧୂମ୍ରପାନକୁ ନା କୁହନ୍ତୁ” ଶପଥ ମଧ୍ୟ ପାଠ କରାଯାଇଥିଲା।
ଏହି କର୍ମଶାଳାରେ ଦୂରଦର୍ଶନ ସମାଚାର ବିଭାଗ ମୁଖ୍ୟ ଡ. ଅଭିଷେକ ମିଶ୍ର, ଆକାଶବାଣୀ କଟକର ସମାଚାର ବିଭାଗ ମୁଖ୍ୟ ଡ. ଏସ.ଏନ. ପଟ୍ଟନାୟକ, ପିଆଇବି ଉପ-ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ଜାଲି, ଆକାଶବାଣୀର ଉପ-ନିର୍ଦ୍ଦେଶକ ଶ୍ରୀ ପ୍ରକାଶ ଦାଶ, ସିବିସିର ସହକାରୀ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ, ସିବିସିର ସହକାରୀ ନିର୍ଦ୍ଦେଶକ ଶ୍ରୀ ଏମ.ପି ଜେନା, ସିବିସିର ସହକାରୀ ନିର୍ଦ୍ଦେଶକ ଶ୍ରୀ ପାର୍ଥସାରଥୀ ମଲ୍ଲିକ, ଆକାଶବାଣୀର ସମ୍ବାଦ ସମ୍ପାଦକ ଶ୍ରୀ ନିର୍ମାଲ୍ୟ ବେହେରା, ଦୂରଦର୍ଶନର ସମ୍ବାଦ ସମ୍ପାଦକ ଶ୍ରୀ ସୁଦର୍ଶନ ସାହୁ, ଦୂରଦର୍ଶନର ସମ୍ବାଦ ସମ୍ପାଦକ ଶ୍ରୀ ପଦ୍ମଲୋଚନ ପ୍ରଧାନ, ସିବିସିର କ୍ଷେତ୍ର ପ୍ରଚାର ଅଧିକାରୀ ସସ୍ମିତା ପାଇକରାୟ, ପିଆଇବିର ଗଣମାଧ୍ୟମ ଏବଂ ଯୋଗାଯୋଗ ଅଧିକାରୀ ଶ୍ରୀ ସ୍ୱାଧୀନ ଶକ୍ତି ପ୍ରସାଦ ଏବଂ ପିଆଇବିର ଆଇଏ ଶ୍ରୀ ବିକାଶ ରଞ୍ଜନ ଦଳାଇ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
