
ବଲାଙ୍ଗିର, (କେପିଏନ୍ଏସ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଲୋଇସିଂହା ଅଞ୍ଚଳରେ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ପରିବେଶ ମଧ୍ୟରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ନେତୃତ୍ୱରେ ବିଭିନ୍ନ ପ୍ରମୁଖ ମନ୍ଦିରଗୁଡ଼ିକରେ ଏହି ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ଶୁଭାରୋଗ୍ୟ, ଦୀର୍ଘାୟୁ ଓ ନିରନ୍ତର ଦେଶସେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବିଭିନ୍ନ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ଦୀପ ପ୍ରଜ୍ଜ୍ୱଳନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଥିଲେ । ଦୀପର ଆଲୋକ ମାଧ୍ୟମରେ ଦେଶର ପ୍ରଗତି, ସମୃଦ୍ଧି ଓ ଶାନ୍ତି ପାଇଁ ମଧ୍ୟ ଶୁଭକାମନା ଜଣାଯାଇଥିଲା । ଏହି ଅବସରରେ ଆଗଲପୁରର ଲଂସା ଶିବ ମନ୍ଦିର, ଡୁଡୁକାର ସାନଟିକରା ଶିବ ମନ୍ଦିର, କୁଶମେଲର କୁଟୁରାପାଲି ଜଗନ୍ନାଥ ମନ୍ଦିର, ଲୋଇସିଂହାର ରାମ ମନ୍ଦିର, ଯୋଗିସୁର୍ଡ଼ା ଶିବ ମନ୍ଦିର, ସାଉନ୍ତପୁର ବିଲେଇସର୍ଡ଼ା ଜଗନ୍ନାଥ ମନ୍ଦିର, ଭଦ୍ରାପାଲି ଶିବ ମନ୍ଦିର ଏବଂ ଦଶପୁର ଶ୍ରୀରାମ ମନ୍ଦିରଠାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଥିଲା । ଏହା ସହ ସାମାଜିକ ଅନୁଷ୍ଠାନ ଡିବିରି ତରଫରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଟେଷ୍ଟ ପେପର ବଣ୍ଟନ କରାଯାଇଥିଲା । ପ୍ରତ୍ୟେକ ସ୍ଥାନରେ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଓ ଆଧ୍ୟାତ୍ମିକ ଭାବନା ପରିଲକ୍ଷିତ ହୋଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଦେଶ ବିକାଶର ଏକ ନୂତନ ଯାତ୍ରା ଅତିକ୍ରମ କରୁଛି । ଦେଶର ସାଧାରଣ ଲୋକଙ୍କ କଲ୍ୟାଣ, ଗରିବ ଓ ବଞ୍ଚିତ ବର୍ଗଙ୍କ ସଶକ୍ତିକରଣ ଏବଂ ଦେଶକୁ ଏକ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ସେ କହିଥିଲେ । ମନ୍ତ୍ରୀ ଡ. ମହାଲିଙ୍ଗ କହିଥିଲେ ଯେ, ଆଜିର ଏହି ‘ଆଶୀର୍ବାଦର ଦୀପ’ କେବଳ ଏକ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ନୁହେଁ; ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଜନସାଧାରଣଙ୍କ ଶୁଭକାମନା, ଶ୍ରଦ୍ଧା ଓ ଆଶୀର୍ବାଦର ଏକ ପ୍ରତୀକ । ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଜୀବନ, ଦୀର୍ଘାୟୁ ଏବଂ ଦେଶସେବାରେ ତାଙ୍କର ଅବିରତ ଯାତ୍ରା ପାଇଁ ଆମେ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସହ ତାଙ୍କ ଦ୍ୱାରା ଦିଆଯାଇଥିବା ଜନସେବାର ସଂକଳ୍ପକୁ ଆଗକୁ ନେବା ଆମର ଦାୟିତ୍ୱ ବୋଲି ସେ ଉଲ୍ଲେଖ କରିଥିଲେ । ସେ ଆହୁରି କହିଥିଲେ ଯେ, ଦେଶର ସାମଗ୍ରିକ ବିକାଶ ସହିତ ଓଡ଼ିଶାର ବିକାଶକୁ ମଧ୍ୟ ନୂତନ ଗତି ମିଳୁଛି । ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, ମହିଳା ଓ ଯୁବ ସଶକ୍ତିକରଣ ସମେତ ବିଭିନ୍ନ କ୍ଷେତ୍ରରେ ଲୋକକଲ୍ୟାଣମୂଳକ ପଦକ୍ଷେପ ମାଧ୍ୟମରେ ସାଧାରଣ ଲୋକଙ୍କ ଜୀବନକୁ ସୁଗମ କରିବା ଦିଗରେ ପ୍ରୟାସ ଜାରି ରହିଛି । ଜନସେବାକୁ କେନ୍ଦ୍ରବିନ୍ଦୁ କରି ସମାଜର ପ୍ରତ୍ୟେକ ବର୍ଗ ପର୍ଯ୍ୟନ୍ତ ବିକାଶର ସୁଫଳ ପହଞ୍ଚାଇବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥତା, ଦୀର୍ଘାୟୁ ଓ ଦେଶର ନିରନ୍ତର ପ୍ରଗତି ପାଇଁ ସମସ୍ତେ ପ୍ରାର୍ଥନା କରିଥିଲେ । ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋଇସିଂହା ଅଞ୍ଚଳରେ ଆଧ୍ୟାତ୍ମିକତା, ସେବା ଓ ଜନକଲ୍ୟାଣର ଭାବନାକୁ ଆହୁରି ଦୃଢ଼ କରିବାର ବାର୍ତ୍ତା ଦିଆଯାଇଥିଲା । ଦୀପର ଆଲୋକ ଭଳି ଦେଶର ବିକାଶ ଓ ଜନସେବାର ଏହି ଯାତ୍ରା ନିରନ୍ତର ଉଜ୍ଜ୍ୱଳ ହୋଇ ଆଗକୁ ବଢ଼ୁ ବୋଲି ଉପସ୍ଥିତ ସମସ୍ତେ ଶୁଭକାମନା ଜଣାଇଥିଲେ । ସେହିପରି ଭାବେ ବଲାଙ୍ଗିର ସଦରମହକୁମା ସ୍ଥିତ ପ୍ରସିଦ୍ଧ ବାବା ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡ଼ମ୍ବରର ସହ ସମ୍ପାଦିତ ହୋଇଯାଇଛି । ଏହି ବିଶେଷ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମାଜସେବୀ, ବୁଦ୍ଧିଜୀବୀ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ଏଥିସହିତ ସ୍ୱେଚ୍ଛାସେବୀ ମା’ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ୱଳନ କରିଥିଲେ ।

