
- “ଯାହା ଦେଖ ଅଛି ତହିଁ ଶିଖିବାର କଥା
ତହୁଁ ଶିକ୍ଷା ଲଭେ ଜ୍ଞାନୀ ନତ କରି ମଥା”
ବଲାଙ୍ଗିର, (କେପିଏନ୍ଏସ୍) : ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ନବାଗତ ଛାତ୍ରଛାତ୍ରୀଙ୍କ ସକାଶେ ‘ଦୀକ୍ଷାରମ୍ଭ’ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବରେ ଆୟୋଜିତ ହୋଇଛି । ନୂତନ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ, ନିୟମଶୃଙ୍ଖଳା, ଶିକ୍ଷାଦାନ ପଦ୍ଧତି ତଥା ବିଭିନ୍ନ ସୁଯୋଗ ସମ୍ପର୍କରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. କୌତୁକ ପନ୍ଦର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ନବାଗତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହିତ ଶୃଙ୍ଖଳା, ନୈତିକତା, ମାନବିକତା ଓ ଦାୟିତ୍ୱବୋଧକୁ ଜୀବନର ଅଂଶ କରିବାକୁ ପରାମର୍ଶ ଦେଇଥିଲେ । ଉଚ୍ଚଶିକ୍ଷା ମାଧ୍ୟମରେ ନିଜର ଜ୍ଞାନ, ପ୍ରତିଭା ଓ ସୃଜନଶୀଳତାର ବିକାଶ କରି ସମାଜର ଉନ୍ନତିରେ ଅବଦାନ ରଖିବାକୁ ସେ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ହିନ୍ଦି ବିଭାଗର ମୁଖ୍ୟ ଡଃ. ବିଜୟ କୁମାର ବେହେରା, ଅର୍ଥନୀତି ବିଭାଗର ଲେଫ୍ଟନାଣ୍ଟ କୁଶ କହଁର, ଶିକ୍ଷା ବିଭାଗର ମୁଖ୍ୟ ଡଃ. ମଧୁସ୍ମିତା ମିଶ୍ର, ଇତିହାସ ବିଭାଗର ମୁଖ୍ୟ ଡଃ. ରମଣି ନାଏକ ଇଂରାଜୀ ବିଭାଗର ମୁଖ୍ୟ ଡଃ. ବନ୍ଦନା ବାର୍ ଏବଂ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡଃ. ଅଶୋକ କୁମାର ମହାରଣା ପ୍ରମୁଖ ଉପସ୍ଥିତ ରହି ନବାଗତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଜୀବନ ସମ୍ପର୍କରେ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରିଥିଲେ । ସେମାନେ ନିୟମିତ ଅଧ୍ୟୟନ, ଶୃଙ୍ଖଳିତ ଜୀବନ, ସମୟର ସଦୁପଯୋଗ ଏବଂ ମହାବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ ଓ ସହ-ଶୈକ୍ଷିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହାଛଡ଼ା ଯୁବ ରେଡକ୍ରସ, ନୂତନ ଶିକ୍ଷାନୀତି, ଛାତ୍ରବୃତ୍ତି, ଜାତୀୟ ସେବା ଯୋଜନା, ପରୀକ୍ଷା ସମ୍ଵନ୍ଧୀୟ ବିଭିନ୍ନ ତଥ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଏହାର ପରବର୍ତ୍ତୀ କାଳରେ ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ନିଜ ନିଜର ପରିଚୟ ପ୍ରଦାନ କରିବା ସହିତ ନବାଗତଙ୍କ ପାଇଁ ବାର୍ତ୍ତା ରଖିଥିଲେ । ଅନେକ ନବାଗତ ଛାତ୍ରଛାତ୍ରୀ ନିଜର ମହାବିଦ୍ୟାଳୟରେ ଅତିବାହିତ କରିଥିବା ଅନୁଭୂତି ମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ସଙ୍ଗୀତା ସାହୁ ଆୟୋଜନକୁ ସୂଚାରୁରୂପେ ସମାପନ କରିବା ସହିତ ଶେଷରେ ଅଧ୍ୟାପକ ଆଫ୍ରିଦ ଆଲାମ୍ ଧନ୍ୟବାଦ ଅର୍ପଣ କରି ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁନ୍ଦର କବିତା ପଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଚନ୍ଦନ ପୁହାଣ, ଅଧ୍ୟାପକ ପୁରୁଷୋତ୍ତମ କିଷାନ, ଅଧ୍ୟାପକ ସୁମନ୍ତ ରଣା, ଅଧ୍ୟାପିକା ସରିତା ସାହୁ, ଅଧ୍ୟାପକ ଦେବାଶିଷ ବେରୁକ, ଅଧ୍ୟାପକ କମଳାକାନ୍ତ କରାଳି, ଅଧ୍ୟାପକ ମଚିନ୍ ସାହୁ, ଅଧ୍ୟାପିକା ସୁନୟନା ହୋତା ପ୍ରଭୃତି ସାହାଯ୍ୟ କରି ଆୟୋଜନକୁ ସଫଳ ମଣ୍ଡିତ କରିଥିଲେ । ଉଦୟରାଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ଦୀକ୍ଷାରମ୍ଭ’ କାର୍ଯ୍ୟକ୍ରମକୁ ନେଇ ଉତ୍ସାହ, ଆନନ୍ଦ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଥିଲା ।