
ବଲାଙ୍ଗିର, (କେପିଏନ୍ଏସ୍) : ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା, ବଲାଙ୍ଗିର ଠାରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାର ପ୍ରଥମ ଆଚାର୍ଯ୍ୟ ସହଦେବ ଖମାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାର ପ୍ରଥମ ଆଚାର୍ଯ୍ୟା କଲ୍ୟାଣୀ ସରାଫ ଯୋଗ ଦେଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଯୋଜନାର ଇତିବୃତି ଓ ସ୍ମୃତି ଚାରଣ କରିଥିଲେ । ବଲାଙ୍ଗିର କଦମପଡା ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରର ପ୍ରଥମ ପ୍ରଧାନ ଆଚାର୍ଯ୍ୟ ଚିନ୍ତାମଣି ମହନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସମ୍ପାଦକ ଯୋଗୀନ୍ଦ୍ର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏକତ୍ରୀକରଣର ମହତ୍ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପୂର୍ବ ଆଚାର୍ଯ୍ୟ ଆଶୁକବି ଡ. ହେମନ୍ତ କୁମାର ଦାଶ କାବ୍ୟିକ ଢଙ୍ଗରେ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଏଥିରେ ଜିଲ୍ଲାର ଶତାଧିକ ପୁରାତନ ପ୍ରଧାନ ଆଚାର୍ଯ୍ୟ, ପ୍ରଧାନ ଆଚାର୍ଯ୍ୟା ତଥା ଆଚାର୍ଯ୍ୟ, ଆଚାର୍ଯ୍ୟା ଯୋଗ ଦେଇ ଭାବ ବିହ୍ୱଳ ହୋଇ ନିଜ ନିଜ ଅନୁଭୂତି ବଖାଣିଥିଲେ । ସଭା ପ୍ରାରମ୍ଭରେ ଦୟାନିଧି କରନଙ୍କ ଶୋକ ପ୍ରସ୍ତାବ କ୍ରମେ ଦିବଂଗତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ଶୋକସଭା କରିଥିଲେ । ପୂର୍ବ ପ୍ରଧାନ ଆଚାର୍ଯ୍ୟ ଜବର ସିଂ ବନଛୋର, ଜଗନ୍ନାଥ ମିଶ୍ର, ଦିଲୀପ ପାଢୀ, ମନମୋହନ ପଟ୍ଟନାୟକ, ବିଶ୍ୱଜିତ ଗୁରୁ , ଆଚାର୍ଯ୍ୟ ଭବାନୀ ଶଙ୍କର ପାଣିଗ୍ରାହୀ, ସୁଶାନ୍ତ ମହାନ୍ତି ପ୍ରମୁଖ ସମ୍ବର୍ଦ୍ଧିତ ପ୍ରତିଭୂ ମଞ୍ଚାସୀନ ଅତିଥି ତଥା ସର୍ବାଧିକ ସମୟ ସେବାଦାନ ଦେଇ ଅବସର ଗ୍ରହଣ କରିଥିବା କୈଳାସ ବହିଦାର ଓ ଜିଲ୍ଲାରୁ ପ୍ରଥମେ ଅବସର ନେଇଥିବା ଦିଲୀପ କୁଅଁରଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଅଞ୍ଜନ କୁମାର ସାଏ, ଧୀରେନ୍ଦ୍ର ମାହାଣା ଓ ରବୀନ୍ଦ୍ର ସାହୁଙ୍କ ଦାୟିତ୍ୱ ସମ୍ପାଦନ ପ୍ରଶଂସନୀୟ ଥିଲା । କୌଣସି ଆଚାର୍ଯ୍ୟ, ଆଚର୍ଯ୍ୟାଙ୍କ ଗମ୍ଭୀର ସ୍ୱାସ୍ଥ୍ୟଗତ ଅବସ୍ଥା ସ୍ଥଳେ ପରିଷଦ ତରଫରୁ ସମ୍ପୃକ୍ତ ଭାଇ ଭଉଣୀଙ୍କୁ ସହାୟତା ରାଶି ପ୍ରଦାନ କରିବା ପାଇଁ ଉପସ୍ଥିତ ସମସ୍ତଙ୍କ ତରଫରୁ ଗୁରୁତ୍ୱପୂର୍ଣ ପ୍ରସ୍ତାବ ଆସିଥିଲା । ଶେଷରେ ସତ୍ୟ ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।