ଆଇଇଡବ୍ଲୁ -୨୦୨୫ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଶକ୍ତି କାର୍ଯ୍ୟକ୍ରମ ହେବ : କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ଏସ୍ ପୁରୀ
ନୂଆଦିଲ୍ଲୀ, (ପିଆଇବି) : ଫେବୃୟାରୀ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଯଶୋଭୂମିରେ ଆୟୋଜନ ହେବାକୁ ଯାଉଛି ଭାରତୀୟ ଶକ୍ତି ସପ୍ତାହ (ଆଇଇଡବ୍ଲ୍ୟୁ) – ୨୦୨୫ । ୧ ଲକ୍ଷ ବର୍ଗ ମିଟରରୁ ଅଧିକ ବ୍ୟାପ୍ତ ଅଞ୍ଚଳରେ ଏହି ଉତ୍ସବ ଆୟୋଜନ କରାଯିବ । ଏଥିରେ ବିଭିନ୍ନ ବିଭାଗର ମନ୍ତ୍ରୀ, ଖ୍ୟାତିସମ୍ପନ୍ନ କମ୍ପାନୀମାନଙ୍କ ସିଇଓ ଏବଂ ଶିଳ୍ପ ନେତୃବୃନ୍ଦଙ୍କ ଅତୁଳନୀୟ ବିଶ୍ୱସ୍ତରୀୟ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହା ଶକ୍ତି କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରିବ । ଅଂଶଗ୍ରହଣ, ପ୍ରଦର୍ଶନୀ ସ୍ଥାନ ଏବଂ ଅଧିବେଶନ ଦୃଷ୍ଟିରୁ ଦେଖିଲେ ଏହା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଶକ୍ତି କାର୍ଯ୍ୟକ୍ରମ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ମୁମ୍ବାଇରେ କହିଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ ଶ୍ରୀ ପୁରୀ ଆଇଇଡବ୍ଲ୍ୟୁ ୨୦୨୫ ଅବସରରେ ଆୟୋଜିତ ହେବାକୁ ଥିବା ସ୍ୱଚ୍ଛ ରୋଷେଇ ଉପରେ ଆଲୋକପାତ କରିଥିଲେ । ସ୍ୱଚ୍ଛ ରୋଷେଇ ଉପାୟର ବିଶ୍ୱବ୍ୟାପୀ ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବା ତଥା ସହଯୋଗୀ ପ୍ରୟାସକୁ ସୁଦୃଢ଼ କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରିବ । ଭାରତର ଅତ୍ୟନ୍ତ ସଫଳତା ଲାଭି କରିଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍ୟୁୱାଇ) ଏହି କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁରେ ରହି ଶକ୍ତି ଉପଲବ୍ଧତା ଆହ୍ୱାନର ମୁକାବିଲା ପାଇଁ ଏକ ବିଶ୍ୱସ୍ତରୀୟ ଢାଞ୍ଚା ଭାବରେ ମୂଲ୍ୟବାନ ଦିଗ ଏବଂ ସର୍ବୋତ୍ତମ ଅଭ୍ୟାସ ପ୍ରଦର୍ଶନ କରିବ । ପୂର୍ବ ସଂସ୍କରଣ ତୁଳନାରେ ଆଇଇଡବ୍ଲ୍ୟୁ ୨୦୨୫ ବ୍ୟାପକତା ଏବଂ ଅଂଶଗ୍ରହଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିବାକୁ ଯାଉଛି । ପ୍ରଦର୍ଶନୀ ସ୍ଥାନ ୬୫% ବୃଦ୍ଧି ପାଇ ୨୮,୦୦୦ ବର୍ଗ ମିଟର ହେବ, ସମ୍ମିଳନୀ ଅଧିବେଶନ ସଂଖ୍ୟା ୧୦୫କୁ ବୃଦ୍ଧି ପାଇବ ଏବଂ ୭୦ହଜାରରୁ ଅଧିକ ବିଶ୍ୱସ୍ତରୀୟ ପ୍ରତିନିଧି ଭାଗ ନେବେ । ଏଥିରେ ପ୍ରମୁଖ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବକ୍ତାଙ୍କ ସମେତ ୫୦୦ରୁ ଅଧିକ ବକ୍ତା ଅଂଶଗ୍ରହଣ କରିବେ, ଯାହା ଏହି କାର୍ଯ୍ୟକ୍ରମର ବଢୁଥିବା ବୈଶ୍ୱିକ ମହତ୍ତ୍ୱକୁ ପ୍ରତିଫଳିତ କରିବ । ଏହି ସମ୍ମିଳନୀରେ ଆମେରିକା, ବ୍ରିଟେନ, ରୁଷିଆ, ଜାପାନ, ଜର୍ମାନୀ ଏବଂ ନେଦରଲ୍ୟାଣ୍ଡଭଳି ଅଗ୍ରଣୀ ଦେଶର ୧୦ଟି ପ୍ୟାଭିଲିୟନ ସହିତ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, ଜୈବ ଇନ୍ଧନ ଏବଂ ପେଟ୍ରୋକେମିକାଲ ପ୍ରଭୃତି ଆଠଟି ବିଷୟଭିତ୍ତିକ ଜୋନ୍ ମଧ୍ୟ ରହିବ । ଏହି କାର୍ଯ୍ୟକ୍ରମରେ ୨୦ରୁ ଅଧିକ ଦେଶର ଶକ୍ତି ମନ୍ତ୍ରୀ କିମ୍ବା ଉପମନ୍ତ୍ରୀଙ୍କ ସମେତ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଏବଂ ଫର୍ଚୁନ୍ ୫୦୦ ଶକ୍ତି କମ୍ପାନୀର ୯୦ ସିଇଓ ଅଂଶଗ୍ରହଣ କରିବେ । ଏହା ବିଶ୍ୱ ଶକ୍ତି ପରିବର୍ତ୍ତନ ଆଲୋଚନାକୁ ଆକାର ଦେବାରେ ଭାରତର ବଢୁଥିବା ପ୍ରଭାବକୁ ପ୍ରତିଫଳିତ କରିବ । ଅଗ୍ରଣୀ ଆଇଆଇଟି, “ଅଭିନ୍ୟ” ଏବଂ “ବସୁଧା” ଭଳି ଷ୍ଟାର୍ଟଅପ୍ ପ୍ଲାଟଫର୍ମ ଏବଂ ଦିଲ୍ଲୀ ଏନ୍ସିଆର୍ର ୫୦୦ ଛାତ୍ରଛାତ୍ରୀ ନବ ସୃଜନ ଏବଂ ପ୍ରଯୁକ୍ତି ଭିତ୍ତିକ ସମାଧାନ କ୍ଷେତ୍ରରେ ପ୍ରଦର୍ଶନ କରିବେ । ଏହା ସହିତ ଯୁବ ଏବଂ ଉଦ୍ଭାବକମାନଙ୍କୁ ଯୋଡ଼ିବା ପାଇଁ ଏଠାରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀ ପୁରୀ ଆଲୋକପାତ କରିଥିଲେ । ଆଇଇଡବ୍ଲ୍ୟୁ ୨୦୨୫ର ଏକ ପ୍ରମୁଖ ଆକର୍ଷଣ ହେଉଛି ଶକ୍ତି ନିରାପତ୍ତା, ନ୍ୟାୟପୂର୍ଣ୍ଣ ଏବଂ ଶୃଙ୍ଖଳିତ ରୂପାନ୍ତରଣ, ସହଯୋଗ, ସ୍ଥିରତା, ଦକ୍ଷତା ବୃଦ୍ଧି ଏବଂ ଡିଜିଟାଲ ଅଗ୍ରଗତି ସମେତ ଆକର୍ଷଣୀୟ ବିଷୟବସ୍ତୁ ଉପରେ ଧ୍ୟାନ ଦେବା । ଏହି କାର୍ଯ୍ୟକ୍ରମର ସ୍ୱଚ୍ଛ ରୋଷେଇ, ସ୍ଥାୟୀ ଏବଂ ସୁଲଭ ଶକ୍ତି ସମାଧାନର ଉପଲବ୍ଧତା ସୁନିଶ୍ଚିତ କରିବାରେ ଭାରତର ନେତୃତ୍ୱକୁ ଆହୁରି ବଢ଼ାଇବ ଏବଂ ଶକ୍ତି ସମାନତା ପ୍ରତି ଏହାର ବିଶ୍ୱସ୍ତରୀୟ ପ୍ରତିବଦ୍ଧତାକୁ ସୁଦୃଢ଼ କରିବ । ଭାରତ ଶକ୍ତି ସପ୍ତାହ ୨୦୨୫ର ଅତୁଳନୀୟ ବ୍ୟାପକତା ଏବଂ ନବସୃଜନ ଉପରେ ଗୁରୁତ୍ୱ ଭାରତକୁ ବିଶ୍ୱ ଶକ୍ତି ରୂପାନ୍ତରଣରେ ଅଗ୍ରଣୀ ସ୍ଥାନରେ ରଖିବାକୁ ଏବଂ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଏକ ଉତ୍ପ୍ରେରକ ଭାବରେ ଭୂମିକା ନିର୍ବାହନକୁ ସୁଦୃଢ଼ କରିବ ।