କଲରାପତରିଆ ବାଘ ଛାଲ ଜବତ ଘଟଣା : ସହଯୋଗୀ ସହ ଧରାପଡିଲା ମୁଖ୍ୟ ଅଭିଯୁକ୍ତ, ବ୍ୟାଙ୍କ କର୍ମଚାରୀ ସାଜି ଘରକୁ ଯାଇଥିଲେ ବନ ବିଭାଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପ୍ରଥମ ଥର ପାଇଁ ଅଞ୍ଚଳରେ ଏବେ କଲରାପତରିଆ ବାଘ ଛାଲକୁ ନେଇ ଜୋର ଧରିଛି ଚର୍ଚ୍ଚା । ଖବର ପାଇବା ପରେ ଗତ ସୋମବାର ଦିନ ବିଳମ୍ବିତ ରାତିରେ ବଲାଙ୍ଗିର ଡ଼ିଏଫଓ ସମୀର ଶତପଥୀଙ୍କ ନେତୃତ୍ୱରେ ସଇଁନ୍ତଲା ବ୍ଳକ କଂସର ଗ୍ରାମର ଯୁବକ ବିଶ୍ୱାମିତ୍ର ରଣାଙ୍କ ଘରରୁ ବନ ବିଭାଗ ଚଢ଼ାଉ କରି ଏକ କଲରାପତରିଆ ବାଘ ଛାଲ ଜବତ କରିଥିଲା । ତେବେ ବାଘ ଛାଲର ଲମ୍ବା ୨.୬ ଫୁଟ ଥିବା ବେଳେ ଓଜନ ପ୍ରାୟ ୩ କେଜି ରହିଥିବା ଜଣାପଡିଛି । ଏହାର ବଜାର ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରିଛି ବନ ବିଭାଗ । ବାଘର ଛାଲରେ ଏବେ ବି ଆଦ୍ରତା ଥିବାରୁ ପ୍ରାୟ ୧୦ରୁ ୨୦ଦିନ ଭିତରେ ତାକୁ ମରା ଯାଇଥାଇ ପାରେ ବୋଲି ବନ ବିଭାଗ ପକ୍ଷରୁ ସନ୍ଧେହ କରୁଛି । ଚଢ଼ଉ ସମୟରେ ଘରେ ଥିବା ଜଣେ ଯୁବକ ନୀଳକଣ୍ଠ ସାହୁଙ୍କ ପୁଅ ବିନୋଦ ସାହୁଙ୍କୁ ଘଟଣାସ୍ଥଳରୁ ବନ ବିଭାଗ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡ ମୁଖ୍ୟ ଅଭିଯୁକ୍ତ ବିଶ୍ଵାମିତ୍ର ରଣାଙ୍କୁ ମଦ୍ୟ ଗତ ବିଳମ୍ବିତ ରାତିରେ ଗିରଫ କରି ପଚରା ଉଚରା କରୁଥିବା ନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଡ଼ିଏଫଓ ସମୀର ଶତପଥୀ ।

ସୂଚନା ଅନୁଯାୟୀ, କଅଁସର ଗ୍ରାମର ବିଶ୍ୱାମିତ୍ର ରଣା ବାଘଛାଲ ଚୋରା ଚାଲାଣ କରୁଥିବା ସମ୍ପର୍କରେ ଡ଼ିଏଫଓ ଶ୍ରୀ ଶତପଥୀ ଖବର ପାଇ ଚଢ଼ଉ ପାଇଁ ଯୋଜନା କରିଥିଲେ । ଡ଼ିଏଫଓଙ୍କ ନେତୃତ୍ୱରେ ବିଭିନ୍ନ ରେଞ୍ଜ ଏବଂ ମୋବାଇଲ ୟୁନିଟକୁ ନେଇ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଗଠନ ପରେ ଉକ୍ତ ଗ୍ରାମକୁ ଚଢ଼ଉ ପାଇଁ ଗାଁକୁ ଯାଇଥିଲା ବନ ବିଭାଗ । ହେଲେ ବିଶ୍ୱାମିତ୍ରଙ୍କ ଘରେ ତାଲା ପଡିଥିବାରୁ ସେମାନେ ଫେରି ଆସିଥିଲେ । ପରେ କେତେକ ସାଧା ପୋଷାକଧାରୀ ବନ ବିଭାଗ ଅଧିକାରୀ ନିଜକୁ ବ୍ୟାଙ୍କ କର୍ମଚାରୀ କହି ସେହି ଘରକୁ ଯାଇଥିଲେ । ହେଲେ ବିଶ୍ୱାମିତ୍ର ଘରେ ନଥିବାରୁ ସେ କୁଆଡ଼େ ଯାଇଛନ୍ତି ବୋଲି ସେଠାରେ ଉପସ୍ଥିତ ଜଣେ ଯୁବକ କହିଥିଲେ ଏବଂ ବିଶ୍ୱାମିତ୍ରଙ୍କୁ ଫୋନ ଯୋଗେ ଜଣାଇଥିଲେ । ତେବେ ସନ୍ଧ୍ୟା ସମୟରେ କୌଣସି ବ୍ୟାଙ୍କ କର୍ମଚାରୀ କାହିଁକି ଆସିବେ ଭାବି ବିଶ୍ୱାମିତ୍ର ସନ୍ଦେହରେ ଘରେ ତାଲା ମାରି ଦେବାକୁ ଉକ୍ତ ଯୁବକ ଜଣକୁ କହିଥିଲେ । ଉକ୍ତ ଯୁବକ ଜଣକ ଘରେ ଆଉ ଏକ ତାଲା ଦେବାର ଉଦ୍ୟମ କରିବା ବେଳେ ତାକୁ କାବୁ କରି ବନ ବିଭାଗ କର୍ମଚାରୀମାନେ ଘର ଅଣ୍ଡାଳି ଥିଲେ । ସେହି ସମୟରେ ଏକ ଅଖାବସ୍ତା ଭିତରେ ଭର୍ତ୍ତି ହୋଇଥିବା ବାଘ ଛାଲ ଦେଖିବାକୁ ପାଇଥିଲା ବନ ବିଭାଗ । ସମ୍ପୃକ୍ତ ଯୁବକକୁ ବନ ବିଭାଗ କାବୁ କରି ଆଣିବାକୁ ଚେଷ୍ଟା କରିଥିଲା । ଏହାପରେ ଗାଁରେ ସାମାନ୍ୟ ଉତ୍ତେଜନା ମଧ୍ୟ ଦେଖାଯାଇଥିଲା । କିନ୍ତୁ ସାଧା ପୋଷାକଧାରୀମାନେ ବନ ବିଭାଗ କର୍ମଚାରୀ ବୋଲି ଜାଣିବା ପରେ ଛାଡ଼ି ଦେଇଥିଲେ । ବାଘଛାଲ ଏବଂ ଯୁବକ ବିନୋଦଙ୍କୁ ପ୍ରଥମେ ସଇଁନ୍ତଲା ରେଞ୍ଜ ଏବଂ ପରେ ବଲାଙ୍ଗିର ଆଣି ଅଟକ ରଖାଯାଇଥିବା ବେଳେ ସେ ଆଉ କେତେ ଚମଡା ରଖିଛନ୍ତି, ଏଥିରେ କିଏ କିଏ ସାମିଲ ଅଛନ୍ତି, ଚମଡ଼ା ଜବତ ହୋଇଥିବା ବେଳେ ବାଘ ମାଂସ କୁଆଡେ ଗଲା, ଏହି ଜବତ ଚମଡ଼ା ସେମାନେ କାହାକୁ ଦେଇଥାନ୍ତେ ଆଦି ବିଷୟକୁ ନେଇ ପଚରାଉଚୁରା ଚାଲିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ସଇଁନ୍ତଲା ଅଞ୍ଚଳରେ ବାଘ ଛାଲର ସକ୍ରିୟ କେତେ ଦୂର ପର୍ଯ୍ୟନ୍ତ ଚେର ଲମ୍ବିଛି ତାହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୀର୍ଘ ଦିନ ହେବ କଂସର ଅଞ୍ଚଳରେ ଲଗାତାର ଭାବରେ ବାରାହ ଶିକାର ମଧ୍ୟ ଚାଲିଥିଲା ହେଲେ ଟଙ୍କା ଲୋଭରେ ଅନେକ ବାରାହଙ୍କ ମଧ୍ୟ ଜୀବନ ଯାଉଛି । ତେବେ ଏହି ଯୁବକ ମାନେ ବରାହ ଶିକାରରେ ସାମିଲ ଥିବା ମଧ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ବାଘକୁ କେମିତି ହତ୍ୟା କରି ସେହି ବାଘର ଚମଡାକୁ କିଭଳି ଘରକୁ ଆଣିଲେ ତାହାକୁ ନେଇ ଅନେକ ସନ୍ଧେହ ମଧ୍ୟ ଦେଖାଦେଉଛି । ଏହି ବାଘ ଛାଲରେ ଆଣିବାରେ ଅନେକ ଲୋକେ ସାମିଲ ହୋଇଥିବା ମଧ୍ୟ ଜଣାଯାଇଛି ।

ପ୍ରକାଶ ଯେ, ସ୍ଥାନୀୟ ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ ଥିବା ବର୍ଣ୍ଣିଂ ଜଙ୍ଗଲରେ ଗତ ୨୦୧୯ ମସିହାରେ ଏକ କଲରାପତରିଆ ବାଘର ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ହେଲେ ବାଘ କିଭଳି ଭାବରେ ମୃତ୍ୟୁ ହେଲା, କେବେଠାରୁ ମୃତ୍ୟୁ ଏବଂ କାହା ପାଇଁ ମୃତ୍ୟୁ ତାର କାରଣ ସାମ୍ନାକୁ ଆସିପାରି ନାହିଁ । ବାଘ ମୃତ୍ୟୁ ଘଟଣା ଏକ ରହସ୍ୟ ହୋଇ ରହି ଯାଇଥିଲା । ଯାହା ଫଳରେ ଅନେକ ଚର୍ଚ୍ଚା ମଧ୍ୟ ଲାଗି ରହିଥିଲା । ତେବେ ସହଯୋଗୀ ସହ ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଗିରଫ କରାଯାଇଥିବା ବେଳେ ବଲାଙ୍ଗିର ବନ ବିଭାଗକୁ ବଡ ସଫଳତା ମଳିଛି । ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି ବୋଲି ବଲାଙ୍ଗିର ଡ଼ିଏଫଓ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.