jayashree

୨ ଦିନ ଧରି ଅନୁଷ୍ଠିତ ହେବ ଧର୍ମଶାଳା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ

  • ଅତୀତର ସ୍ମୃତି, ବର୍ତ୍ତମାନର ଗୌରବ ଓ ଭବିଷ୍ୟତର ସଂକଳ୍ପ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଏକ ଶିକ୍ଷାନୁଷ୍ଠାନର ୫୦ ବର୍ଷର ଯାତ୍ରା କେବଳ ସମୟର ହିସାବ ନୁହେଁ; ଏହା ଅସଂଖ୍ୟ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ, ଗୁରୁଜନଙ୍କ ନିଷ୍ଠା, ଅଭିଭାବକଙ୍କ ଆସ୍ଥା ଏବଂ ସମାଜର ଅବଦାନର ଏକ ଗୌରବମୟ ଇତିହାସ । ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ, ଧର୍ମଶାଳା,ଏହି ଗୌରବମୟ ୫୦ ବର୍ଷର ଯାତ୍ରାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଆସନ୍ତା ନଭେମ୍ବର ୧ ଓ ୨ ତାରିଖ ୨ ଦିନ ବ୍ୟାପୀ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ କରାଯିବ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆୟୋଜନ କମିଟିର ସଭାପତି ତଥା ସଦସ୍ୟ । ସେମାନେ କହିଛନ୍ତି ଏହି ଉତ୍ସବ କେବଳ ଏକ ଆନୁଷ୍ଠାନିକ ସମାରୋହ ନୁହେଁ; ବରଂ ଏହା ପୁରାତନ ଓ ନୂତନ ପିଢ଼ିର ଏକ ଭାବପୂର୍ଣ୍ଣ ମିଳନ ଉତ୍ସବ । ଏଥିରେ ପୂର୍ବତନ ଛାତ୍ରଛାତ୍ରୀ, ଅବସରପ୍ରାପ୍ତ ଓ ବର୍ତ୍ତମାନର ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ, ଶିକ୍ଷାବିତ୍, ଜନପ୍ରତିନିଧି ଓ ଅଞ୍ଚଳବାସୀଙ୍କ ମିଳିତ ଉପସ୍ଥିତି ଏହାକୁ ଅଧିକ ଗୌରବାନ୍ୱିତ କରିବ । ଉତ୍ସବ ଅବସରରେ ସ୍ମୃତିଚାରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରାତନ ଗୁରୁଜନ ଓ ପ୍ରତିଷ୍ଠାତା ସଦସ୍ୟଙ୍କୁ ସମ୍ବର୍ଦ୍ଧନା ତଥା ସ୍ମରଣିକା ଉନ୍ମୋଚନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହା ବ୍ୟତୀତ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନେଇ ଡ୍ରାମା “କନ୍ୟା ରତ୍ନ କର ଯତ୍ନ “ଓ ପୁରାତନ ଛାତ୍ର ମାନଙ୍କୁ ନେଇ ଓଡ଼ିଆ ଅପେରା “ଏମିତି ଭୁଲ କେବେ ହେବନି “ମଞ୍ଚସ୍ଥ ହେବାକୁ ଯାଉଛି । ଏହା ସହ ଆଲୁମିନି ସଦସ୍ୟ ମାନଙ୍କୁ ନେଇ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଯାଉଛି ଯହିଁରେ ୫୦ ରୁ ଅଧିକ ରେଜିଷ୍ଟ୍ରସନ ସରିଲାଣି । ଆମର ବିଶ୍ୱାସ, ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆମ ଅନୁଷ୍ଠାନର ଗୌରବମୟ ଅତୀତକୁ ସମ୍ମାନ ଜଣାଇବା ସହ ଆଗାମୀ ଦିନରେ ଏହାର ଶିକ୍ଷାଗତ ଓ ସାମାଜିକ ବିକାଶ ପାଇଁ ଏକ ନୂତନ ପ୍ରେରଣା ଓ ସଂକଳ୍ପ ସୃଷ୍ଟି କରିବ । ପରିଶେଷରେ, ଏହି ମହତ୍ ଆୟୋଜନକୁ ସଫଳ ଓ ସ୍ମରଣୀୟ କରିବା ପାଇଁ ସମସ୍ତ ଗଣମାଧ୍ୟମ ପ୍ରତିନିଧି, ପୂର୍ବତନ ଛାତ୍ରଛାତ୍ରୀ, ଅଞ୍ଚଳବାସୀ ଓ ଶୁଭେଚ୍ଛୁମାନଙ୍କର ଅକୁଣ୍ଠ ସହଯୋଗ ଓ ଉପସ୍ଥିତି କାମନା କରିଛନ୍ତି । ଏବଂ ସ୍ମୃତିରୁ ଶିକ୍ଷାକୁ ସେତୁ ବାନ୍ଧିବା ଏବଂ ଗୌରବମୟ ଅତୀତରୁ ଉଜ୍ଜ୍ୱଳ ଭବିଷ୍ୟତର ନୂତନ ଅଧ୍ୟାୟ ଲେଖିବା ପାଇଁ ସଂକଳ୍ପ ନେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ଗୁରୁଦତ୍ତ ମିଶ୍ର, ହାଇସ୍କୁଲର ପ୍ରଧାନ ଶିକ୍ଷକ ପର୍ଶୁରାମ ମେହେର, ବସନ୍ତ କୁମାର ଦାଶ, ପବିତ୍ର ମୋହନ ନେଗୀ, କେଶବ କୁମାର ଦାଶ, ନିର୍ଦ୍ଦେଶକ ବାସୁଦେବ ମିଶ୍ରଙ୍କ ସମେତ ବହୁ ପୁରାତନ ଛାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.