jayashree

ଗ୍ରାମପଥର କବି ବିନୋଦ ଚନ୍ଦ୍ର ନାୟକଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ପାନପୋଷ ସ୍ଥିତ ରଘୁନାଥପାଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଗ୍ରାମପଥର କବି ବିନୋଦ ଚନ୍ଦ୍ର ନାୟକଙ୍କ ଜୟନ୍ତୀ ଓ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା ଚକ୍ର ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସବିତା ବସ୍ତିଆଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟସ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି, କବି ଗୌତମ ଦାସ ସମ୍ମାନିତ ଅତିଥି ଓ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କବିଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସବୁଜ ଯୁଗ ପରବର୍ତ୍ତୀ ସାହିତ୍ୟିକଙ୍କ ମଧ୍ୟରେ କବି ବିନୋଦଙ୍କ ସ୍ଥାନ ସ୍ୱତନ୍ତ୍ର। ସୌନ୍ଦର୍ଯ୍ୟନୁଭୂତି, ରୂପପିପାସା, ସୁନ୍ଦର ଭାଷା ତାଙ୍କ କବିତାର ପ୍ରାଣ । ସମ୍ମାନିତ ଅତିଥି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଲେ ଯେ, କାଳଜୟୀ ସାହିତ୍ୟ ସୃଷ୍ଟି ଦିଗରେ କବି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ସୃଷ୍ଟି ରହିଛି ଅପୂର୍ବ କବିତ୍ୱର ସ୍ୱାକ୍ଷର ବିଦ୍ୟମାନ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, ପଲ୍ଲୀ ମାଟି କବିଙ୍କର ଅତିପ୍ରିୟ । ଗ୍ରାମ୍ୟ ଜୀବନ ସୁଷମା ମଣ୍ଡିତ । ନୈସର୍ଗିକ ବିଭବରେ ପରିପୂର୍ଣ୍ଣ । ଏଥିପାଇଁ ଗ୍ରାମପଥ କବିତାରେ ସେ ସ୍ୱାକ୍ଷର ଛାଡିଛନ୍ତି । ସଭାପତିତ୍ୱ କରିଥିବା ଶ୍ରୀମତୀ ବସ୍ତିଆ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଓଡିଆ ସାହିତ୍ୟର ଏହି ଯୁଗରେ ଥିଲେ ସେ ସୁଦକ୍ଷ ବିନ୍ଧାଣୀ । ଏଭଳି କାର୍ଯ୍ୟକ୍ରମ ପାଇଁ ସେ ମଞ୍ଚକୁ ସାଧୁବାଦ ଦେଇଥିଲେ । ଏହି ଅବସରରେ ଛାତ୍ରୀ ରୀୟା କୁମାରୀ, ଲିଜା ମାହାନ୍ତ, ଅନୁଶ୍ରୀ ଜେନା ପ୍ରମୁଖ କବି ବିନୋଦ ଚନ୍ଦ୍ର ନାୟକଙ୍କ କବିତା ପାଠ କରିଥିଲେ । ସେହିପରି ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ରଶ୍ମିତା ଜେନା, ସାଗରିକା ଦାଶ, ସାଗରିକା ସାହୁ, ଲୀତାଞ୍ଜଳୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.