pr

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ କୁମିଆପାଲି ଗ୍ରାମରେ ଜନ ଶୁଣାଣି

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ ଲୋଇସିଂହା ବ୍ଲକର ରେଙ୍ଗାଲି ଗ୍ରାମ ପଂଚାୟତ ଅନ୍ତର୍ଗତ କୁମିଆପାଲି ଗ୍ରାମଠାରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ତଥା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର କୁମାର ମହାପାତ୍ର, ବଲାଙ୍ଗିର ଉପଜିଲ୍ଲାପାଳ ତଥା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ସ୍ଵତନ୍ତ୍ର ଭୂ–ଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନିରଞ୍ଜନ ରାଉତ, ଲୋଇସିଂହା ତହସିଲଦାର ସଙ୍ଘମିତ୍ରା କାଲୋ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ତୋଫାନ ବାଗ, ଜୋନ ଅଫିସର ନୂତନ ସେଠ, ମନୋଜ ପାଣିଗ୍ରାହୀ, ଚକାମନ ପାତ୍ର, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ କୁମିଆପାଲି ଗ୍ରାମର ଚିହ୍ନଟ ହୋଇଥିବା ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଗ୍ରାମବାସୀ ତଥା ଅନ୍ୟ ଗ୍ରାମବାସୀମାନେ ଯୋଗଦେଇଥିଲେ । ଜମି ଅଧିଗ୍ରହଣ, କ୍ଷତି ପୂରଣ ରାଶି ପ୍ରଦାନ ଇତ୍ୟାଦି ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ତଥା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ଗ୍ରାମବାସୀଙ୍କୁ ସବିଶେଷ ବୁଝାଇଥିଲେ । ଜନ ଶୁଣାଣିରେ ଗ୍ରାମବାସୀମାନେ ସେମାନଙ୍କର ବ୍ୟକ୍ତିଗତ ତଥା ସାମୁହିକ ଆପତ୍ତି ଅଭିଯୋଗ ଦାଖଲ କରିଥିଲେ । ସେମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣି କରିବା ସହ ଆଇନ ଅନୁସାରେ ତର୍ଜମା କରାଯାଇ ଉଚିତ୍‌ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଗ୍ରାମର ସର୍ବାଙ୍ଗୀନ ବିକାଶ ନିମନ୍ତେ ଗ୍ରାମବାସୀମାନେ ଉପସ୍ଥାପନ କରିଥିବା ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଜନ ଶୁଣାଣି କାର୍ଯ୍ୟକ୍ରମକୁ ଶୋଭାଯାତ୍ରାରେ ଆସି କିଛି ଲୋକ ସେମାନଙ୍କର ଦାବୀ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲାପାଳ ସେମାନଙ୍କ ସହ ଆଲୋଚନା କରି ଆଇନ ସମ୍ମତ ଦାବୀ ଗୁଡିକ ସମ୍ପର୍କରେ ବିଚାର କରି ସମାଧାନ କରାଯିବ ଓ ଆଲୋଚାନା ଜରିଆରେ ସମସ୍ୟା ଗୁଡିକର ସମାଧାନ ହୋଇପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଅନୁସୂଚିତ ଜନଜାତି ସମୁଦାୟଙ୍କ ଜୀବନ ଜୀବିକାର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ଗୁଡିକର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ସର୍ଭେ ଓ ଜନ ଶୁଣାଣି କାର୍ଯ୍ୟକ୍ରମରେ ସହଯୋଗ କରି ଯଥା ଶୀଘ୍ର ନିଜ ନିଜର ନ୍ୟାୟୋଚିତ ପ୍ରାପ୍ୟ ଗ୍ରହଣ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ ।

nrusinghnath
Leave A Reply

Your email address will not be published.