mahavir

କୁଟାସିଂହା ଅଙ୍ଗନଦୀରେ ନଦୀଗର୍ଭ ଜଳାଶୟ ପ୍ରକଳ୍ପ କେବେ ?

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକର ଜୀବନ ଜୀବିକା କୁହାଯାଉଥିବା ଅଙ୍ଗନଦୀ ଖରା ପୂର୍ବରୁ ଶୁଖିଲା ପଡିଛି । ଦଶନ୍ଧି ପୂର୍ବେ ବର୍ଷ ତମାମ ନଦୀରେ ଧାର ବୋହୁଥିଲା । ଫଳରେ ଆଗଲପୁର ବ୍ଲକର ୩୫ଟି ଗାଁରୁ ଅଧିକ ଓ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ୧୫ଟି ଗାଁକୁ ଚାଷ ଓ ପିଇବା ପାଇଁ ପର୍ଯ୍ୟାପ୍ତ ପାଣି ମିଳୁଥିଲା । ହେଲେ ବର୍ତ୍ତମାନ ଶୀତରୁ ସ୍ରୋତ ଶୁଖିଯାଉଛି । ଦୀର୍ଘ ବର୍ଷ ହେଲା ଅଂଚଳବାସୀ ଅଙ୍ଗନଦୀରେ ବ୍ୟାରେଜ ନିର୍ମାଣ ପାଇଁ ଦାବୀ କରି ଆସୁଛନ୍ତି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଗଲପୁର ବ୍ଲକ କୁଟାସିଂହା ନିକଟରେ ଅଙ୍ଗନଦୀରେ ୨୪୭. ୫୦ କୋଟି ଟଙ୍କା ବ୍ୟୟରେ ନଦୀଗର୍ଭ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ଅର୍ଥ ମଂଜୁର କରିଥିଲେ । ବତ୍‌ର୍ତ୍ତମାନର ସ୍ଥାନୀୟ ବିଧାୟକ ଓ ବିଭାଗୀୟ ଅଧିକାରୀ ମଧ୍ୟ ପ୍ରସ୍ଥାବିତ ସ୍ଥାନକୁ ପରିଦର୍ଶନ କରି ଯାଇଛନ୍ତି । ହେଲେ ଏହା ଭିତରେ ୨ରୁ ଅଧିକ ବର୍ଷ ବିତି ଯାଇଥିଲେ ବି ପ୍ରକଳ୍ପ କାମ ଆରମ୍ଭ ହୋଇନାହିଁ । ଆଗକୁ ହେବ କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ । ସୂଚନାଯୋଗ୍ୟ ଯେ, ଅଙ୍ଗନଦୀରେ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ନିର୍ମାଣ ହେଲେ ଆଗଲପୁର ବ୍ଲକ କୁଟାସିଂହା, କଣ୍ଟାପାଲି, ତେନ୍ତୁଳି ଗାଁ, ଡୁଙ୍ଗୁରିପାଲି, ସେମେଲାମୁଣ୍ଡା, ହରଭଙ୍ଗା, ମୁରଶୁଣ୍ଢ, ସାଲେଭଟା ଆଦି ୨୦ଟି ଗାଁ ଓ ଡୁଙ୍ଗୁରିପାଲି ବ୍ଲକର କପାଶିରା, ଡାହୁକବୁଡ଼, ଭାଟବାହାଲି, ତମାମୁରା, ଦିଗଶିରା, ଚେରୁପାଲି ଆଦି ୧୦ରୁ ଅଧିକ ଗାଁର ଜନସାଧାରଣ ପାନୀୟ ଜଳ ପାଇବା ସହିତ ପାଖାପାଖି ୩୦ ହଜାର ହେକ୍ଟର ଜମିକୁ ପାଣି ମାଡାଇବା ନେଇ ଆକଳନ କରାଯାଇଛି । ଏବଂ ଏହା ସହିତ ଭୂତଳ ଜଳସ୍ତର ବୃଦ୍ଧି ହେବା ସହ ମାଛ ଚାଷ, ପଶୁ ପାଳନ ଆଦି କ୍ଷେତ୍ରରେ ସହାୟକ ହେବ । ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବ ସରକାର ସମୟରେ ଏହି ପ୍ରକଳ୍ପ ପାଇଁ ଅନୁଦାନ ଆସିଛି । ତେଣୁ କରି ତୁରନ୍ତ କାମ ଆରମ୍ଭ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.