mahavir

ବିପୁଳ ପରିମାଣର ୧୬୯୫ ଗୋଟି ୫୦୦ ଟଙ୍କିଆ ଜାଲ ନୋଟ ଜବତ : ୨ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁରରୁ ବିପୁଳ ପରିମାଣର ନକଲି ନୋଟ୍ ଜବତ । କଳା ରଙ୍ଗର ସ୍କୋର୍ପିଓ, ଦୁଇଟି ମୋବାଇଲ ସହ ୨ ଜଣକୁ ଗିରଫ କରିଛି ସୋନପୁର ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି ଏସ୍‌ପି ନାରାୟଣ ନାୟକ । ଗତକାଲି ରାତି ସୋନପୁର ଥାନା ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ସହର ଭିତରେ ସନ୍ଦେହଜନକ ଭାବରେ ଏକ କଳା ରଙ୍ଗର ସ୍କୋର୍ପିଓ ଦେଖିଥିଲେ ଯାହାର ପଞ୍ଜିକୃତ ନମ୍ବର ଓଡ଼ି୩୪ ଜେଡ଼୍‌ ୧୯୧୯ । ଗାଡିକୁ ଏସ୍ଆଇ ଅନିଲ ବେହେରା ଓ ପୋଲିସ ଟିମ୍ ଅଟକାଇ ଯାଞ୍ଚ କରିବା ସମୟରେ ଗାଡି ଭିତରେ ଥିବା ୨ ଜଣ ଯୁବକ ଯାଜପୁର ଜିଲ୍ଲା ଜଖପୁର ଗ୍ରାମର ଅଭିଳାଷ ପୁରୁଷୋତ୍ତମ ଶତପଥୀ (୨୧) ଏବଂ ନୟାଗଡ଼ ଜିଲ୍ଲା ଖନପା ଥାନା ମର୍ଦ୍ଦରାଜପୁର ଗ୍ରାମର ପ୍ରଶାନ୍ତ ଦାସ(୩୪)ଙ୍କ ନିକଟରେ ଥିବା ଗୋଟିଏ ନୀଳ ରଙ୍ଗର କ୍ୟାରି ବ୍ୟାଗ ପାଇଥିଲେ । ଉକ୍ତ ବ୍ୟାଗକୁ ଖୋଲି ଦେଖିବାରୁ ସେହି କ୍ୟାରି ବ୍ୟାଗରୁ ୧୬୯୫ ଗୋଟି ୫୦୦ ଟଙ୍କିଆ ନୋଟ ସମୁଦାୟ ୮ ଲକ୍ଷ ୪୭ ହଜାର ୫୦୦ ଟଙ୍କା ମିଳିଥିଲା ତାକୁ ଯାଞ୍ଚ୍ କରିବାରୁ ସମସ୍ତ ନୋଟ୍ ନକଲି ବୋଲି ଜଣାପଡିଥିଲା । ତାକୁ ଜବତ କରାଯିବା ସହ ଦୁଇ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା ସମୟରେ ଉପରୋକ୍ତ ବ୍ୟକ୍ତିମାନେ ପ୍ରକାଶ କରିଥିଲେ ଯେ, ସେମାନେ ବରଗଡ଼ ଜିଲ୍ଲାରୁ ଏହା ସଂଗ୍ରହ କରି ସୁବର୍ଣ୍ଣପୁର ଜିଲ୍ଲା ଏବଂ ଅନ୍ୟାନ୍ୟ ଅଞ୍ଚଳରେ ନକଲି ନୋଟକୁ ଚାଲାଣ କରୁଥିଲେ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ସୋନପୁର ଥାନାରେ ଏକ ମାମଲା କେସ୍‌ ନଂ.୧୨୬ ତା.୧୪.୦୪.୨୦୨୬ ୟୁ/ଏସ୍‌- ୧୭୮/୧୭୯/୧୮୦/୬୧(୨) ବିଏନ୍‌ଏସ୍‌ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବା ଏସ୍‌ପି ନାରାୟଣ ନାୟକ କହିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ଏସ୍‌ପି ଶ୍ରୀ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ. କେ. ହରିପ୍ରସାଦ ଓ ଏସଆଇ ଅନିଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.