ଆବାସ ଯୋଜନା ଘୋଟାଲା : ପଡ଼ିଛି ଫାଉଣ୍ଡେସନ୍‌, ଉଠିଛି ଛାତ ଲେବଲ୍‌ର ବିଲ୍

କଳାହାଣ୍ଡି, (ପି.କେ.ସାହୁ) : ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ଆସୁଥିବା ଆବାସ ଯୋଜନାକୁ ସରକାରୀ କର୍ମଚାରୀ ମାନେ ସ୍ପଷ୍ଟ ଦିବାଲୋକରେ ହରିଲୁଟ୍‌ କରୁଥିବା ପରି ଏକ ସଂଗୀନ ଅଭିଯୋଗ ଆସିଛି କଳାହାଣ୍ଡି ଜ଼ିଲ୍ଲା କୋକସରା ବ୍ଲକରୁ । ଏହି ବ୍ଲକ ଆମପାଣି ପଞ୍ଚାୟତ କୁଟ୍ରୁ ଗାଁର ଲେଖାଆମପଡାର ସୋମବାରୁ ସାନ୍ତା ଏବଂ ଇଶ ସାନ୍ତାଙ୍କୁ ୨୦୧୯/୨୦ରେ ଆବାସ ଯୋଜନା କାର୍ୟ୍ୟାଦେଶ ମିଳିଥିଲା । ହେଲେ ଜିଓଟେଗ କରୁଥିବା କର୍ମଚାରୀ ଏହି ଦୁଇ ଆଦିବାସୀଙ୍କ ଆବାସ ଗୃହକୁ ଠିକାରେ ନେଇ ନିର୍ମାଣ କରିଦେବି ବୋଲି କହିଥିଲେ । ଜିଓଟେଗ କରୁଥିବା ବ୍ୟକ୍ତି ନିରୀହ ଆଦିବାସୀଙ୍କୁ ଭୁଆଁ ବୁଲେଇ ସେମାନଙ୍କ ଘର ନିର୍ମାଣ ନକରି ଟଙ୍କା ଉଠେଇ ନେଇ ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଶେଷରେ ଜିଓଟେଗ ଭଳି ଯାନ୍ତ୍ରିକ ତଥ୍ୟକୁ ଜାଲିଆତି କରି ପ୍ଳିନ୍ଥ ନ ପଡ଼ିଥିଲେ ମଧ୍ୟ ଛାତ ଲେବଲ ପର୍ୟ୍ୟନ୍ତ ଚଞ୍ଚକତାର ସହିତ ବିଲ କରେଇ ନେଇଥିବା ଅଭିଯୋଗ ଆସିଛି । ଇସ ସାନ୍ତାର ଜମାଖାତାରେ ତିନୋଟି କିସ୍ତିରେ ୧ଲକ୍ଷ ଟଙ୍କା ଜମାହୋଇଥିଲା । ଏଥିରୁ ଇସ ସାନ୍ତା ୫୫ ହଜାର ଟଙ୍କା ଉଠାଇ ଜିଓଟେଗ କରୁଥିବା ଲୋକଙ୍କୁ ଦେଇଥିବା ପ୍ରକାଶ କରିଛନ୍ତି । ସେହିପରି ସୋମବାରୁ ସାନ୍ତାଙ୍କ ଜମା ଖାତାରେ ଦୁଇ କିସ୍ତିରେ ୫୫ ହଜାର ଟଙ୍କା ପଡ଼ିଛି ଓ ଏହି ଟଙ୍କା ଜିଓଟେଗ କରୁଥିବା ଲୋକ ନେଇଯାଇଛି ବୋଲି ସେ କହିଛନ୍‌ନ୍ତି । ଅନ୍ୟପଟେ ସୋମବାରୁ ସାନ୍ତାଙ୍କ ଘର ଆରମ୍ଭ ହୋଇନାହିଁ ।

ଲୋକେ ଘର ନିର୍ମାଣ କରି ବିଲ୍‌ ପାଇଁ ମାସ ମାସ ଅପେକ୍ଷା କରୁଥିବା ବେଳେ ଏପଟେ ଘର ନ ଥାଇ ବିଲ୍‌ ହେବା ଘଟଣା ବିଭାଗୀୟ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ଇଙ୍ଗିତ କରୁଛି । ଏନେଇ କୋକସରା ବିଡିଓ ମନୀଷା ଦାସଙ୍କୁ ଯୋଗାଯୋଗ କରିଥିଲେ ହେଁ ତାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Leave A Reply

Your email address will not be published.