
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ କାନୁଟ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସକାଳୁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ହଠାତ୍ ଟଳିପଡ଼ି ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କାନୁଟ ଗ୍ରାମର ପ୍ରିୟରଞ୍ଜନ ବଗର୍ତ୍ତୀ । ପରିବାର ଲୋକଙ୍କ କହିବା ଅନୁସାରେ, ପ୍ରିୟରଞ୍ଜନ ଆଜି ସକାଳେ ଗ୍ରାମର ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ପୋଖରୀ ପାହାଚରେ ବସିଥିବା ସମୟରେ ହଠାତ୍ ସେ ତଳେ ପଡ଼ିଯାଇଥିଲେ । କିଛି ସମୟ ମଧ୍ୟରେ ସେ ଅଚେତ ହୋଇପଡ଼ିଥିଲେ । ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଯାଇଥିଲେ । ତେବେ ସେଠାରେ ଡାକ୍ତର ପରୀକ୍ଷା କରି ପ୍ରିୟରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି । ପ୍ରିୟରଞ୍ଜନଙ୍କ ଅକାଳ ମୃତ୍ୟୁ ଖବର ପ୍ରଚାର ହେବା ପରେ କାନୁଟ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ତାହା ନେଇ ତଦନ୍ତ ପରେ ଅଧିକ ସ୍ପଷ୍ଟ ହେବ ।